ଭାରତୀୟ ରାଜ୍ୟଗୋଷ୍ଠୀ ଦଳର ଅଷ୍ଟ୍ରେଲିଆ ଗସ୍ତ

ଓଡ଼ିଶାରୁ ୮ଖେଳାଳି

ନୂଆଦିଲ୍ଲୀ: ଆଗାମୀ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ୍‌ ସଂଘ ୨୨୨ ଜଣିଆ ଭାରତୀୟ ଦଳକୁ ଗୋଲ୍‌ଡକୋଷ୍ଟ ପଠାଇଛି। ଅଷ୍ଟ୍ରେଲିଆର ଗୋଲ୍‌ଡଗୋଷ୍ଟ୍‍ରେ ଆସନ୍ତା ମାସ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ବୃହତ୍‌ ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ୧୫ ଭିନ୍ନ ଭିନ୍ନ କ୍ରୀଡ଼ା ଶୃଙ୍ଖଳରେ ପ୍ରତିନିଧିତ୍ୱ କରିବେ। ଜଳକ୍ରୀଡ଼ା, ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ବାସ୍କେଟ୍‌ବଲ୍‌, ମୁଷ୍ଟିଯୁଦ୍ଧ, ସାଇକେଲଚାଳନା, ଜିମ୍ନାଷ୍ଟିକ୍‌ସ, ହକି, ଲନ୍‌ ବାଉଲ୍‌ସ, ବନ୍ଧୁକଚାଳନା, ସ୍କ୍ଵାସ୍‌, ଟେବୁଲ ଟେନିସ୍‌, ଭାରୋତ୍ତୋଳନ, କୁସ୍ତି ଓ ଦିବ୍ୟାଙ୍କ କ୍ରୀଡ଼ାରେ ଭାରତ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ପ୍ରତିଯୋଗିତା ପାଇଁ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଦୌଡ଼କୁଦ, ଲନ୍‌ ବାଉଲ୍‌ସ, ମୁଷ୍ଟିଯୁଦ୍ଧ, ଭାରୋତ୍ତୋଳନ ଏବଂ ବାସ୍କେଟ୍‌ବଲ୍‌ ଦଳ ନିଜ ନିଜର ପ୍ରସ୍ତୁତି ଶିବିର ଏବଂ ଅଷ୍ଟ୍ରେଲୀୟ ପରିବେଶ ସହ ଖାପଖୁଆଇବା ପାଇଁ ଗୋଲ୍‌ଡକୋଷ୍ଟରେ ପହଞ୍ଚି ସାରିଛନ୍ତି। ତେବେ ଅବଶିଷ୍ଟ ୧୦ ଶୃଙ୍ଖଳର ଦଳ ଗୁରୁବାର ଏଠାରୁ ଗୋଲ୍‌ଡକୋଷ୍ଟ ଯାତ୍ରା କରିଛି। ଏହି ଦଳର ସଦସ୍ୟଙ୍କୁ ଶୁଭେଚ୍ଛ ଜଣାଇବା ପାଇଁ ଏକ ପଞ୍ଚତାରକା ହୋଟେଲରେ ଭାରତୀୟ ଅଲିମ୍ପିକ୍‌ ସଂଘ ଉତ୍ସବ ଆୟୋଜନ କରିଥିଲା। ଅଲିମ୍ପିକ୍‌ ସଂଘର ସଭାପତି ଡ. ନରିନ୍ଦର ବାତ୍ରାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି, ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କିରେନ୍‌ ରିଜିଜୁ ସମ୍ମାନୀତ ଅତିଥି ଭାବେ ଯୋଗେଦେଇ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ଭାରତୀୟ ଦଳ ପଦକ ଧରି ସ୍ୱଦେଶ ଫେରିବ ବୋଲି ଏହି ଅବସରରେ ବାତ୍ରା ବିଶ୍ୱାସ ପ୍ରକଟ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ୍‌ ସଂଘର ମହାସଚିବ ରାଜୀବ ମେହେଟ୍ଟା ଏବଂ ଏଡେଲ୍‌ଓ୍ଵିଜ୍‌ ଗ୍ରୁପ୍‌ର ବ୍ୟବସାୟ ଓ ଯୋଗଯୋଗ ମୁଖ୍ୟ ସବ୍‌ନମ୍‌ ପାଞ୍ଜ୍‌ଓ୍ଵାନି ଉପସ୍ଥିତ ରହି ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ସୂଚନାଯୋଗ୍ୟ, ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୨୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ୮ ଜଣ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ହକିରେ ୪ ଓ ପୁରୁଷ ହକିରେ ଜଣେ ସ୍ଥାନ ପାଇଥିଲା ବେଳେ ମହିଳା ହେପ୍ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏବଂ ମହିଳା ଭାରୋତ୍ତୋଳନରେ ସରସ୍ୱତୀ ରାଉତ ଏବଂ ଜିମ୍ନାଷ୍ଟିକ୍‌ସରେ ରାକେଶ କୁମାର ପାତ୍ର ଗୋଲ୍‌ଡକୋଷ୍ଟ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର