ଭାରତକୁ ୪ ପଦକ ନିଶ୍ଚିତ

ହୋ ଚି ମିନ୍‌ ସିଟି: ଏମ୍‌ସି ମେରିକମ୍‌ ଏଠାରେ ଚାଲିଥିବା ଏସୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୩ ଭାରତୀୟ ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚିଥିବାରୁ ଅନ୍ୟୁନ ୪ ପଦକ ନିଶ୍ଚିତ ହୋଇଯାଇଛି।

୩୪ ବର୍ଷ ବୟସ୍କା ୫ ଥର ବିଶ୍ୱ ବିଜୟିନୀ ଭାରତୀୟ ଯୋଦ୍ଧା ୪୮ କେଜି ଲାଇଟ୍‌ ଫ୍ଲାଇେଓ୍ଵଟ୍‌ ବର୍ଗ ପ୍ରଥମ ରାଉଣ୍ଡ୍‌ ବାଉଟ୍‌ରେ ସ୍ଥାନୀୟ ପସନ୍ଦର ଖେଳାଳି ଡିମ୍‌ ଥି ତ୍ରିନ୍‌ କିଉଙ୍କୁ ପରାସ୍ତ କରିବା ପରେ ଶନିବାର କ୍ୱାର୍ଟର ଫାଇନାଲ୍‌ରେ ଚାଇନିଜ୍‌ ତାଇପେ ପ୍ରତିଦ୍ୱନ୍ଦ୍ୱୀ ମେଙ୍ଗ୍‌ ଚିହ ପିନ୍‌ଙ୍କୁ ୪-୧ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ଏସୀୟ ପ୍ରତିଯୋଗିତାରେ ପୂର୍ବରୁ ୪ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଥିବା ମଣିପୁରୀ ଲଳନା ମେରି କମ୍‌ ଏଥି ସହିତ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ଅତି କମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିସାରିଥିବା ମେରି କମ୍‌ ସେମିଫାଇନାଲ୍‌ରେ ଜାପାନର ସୁବାସା କୋମୁରାଙ୍କ ସହ ଲଢ଼ିବେ।

ମେରି କମ୍‌ଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ଶିଖା (୫୪ କେଜି) ଓ ପ୍ରିୟଙ୍କା ଚୌଧୁରୀ (୬୦ କେଜି) ମଧ୍ୟ ପଦକ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ରେଳବାଇ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡରୁ ପ୍ରତିନିଧିତ୍ୱ କରିଥିବା ଶିଖା ଉଜ୍‌ବେକିସ୍ତାନର ଫେରାନ୍‌ଜିକ୍‌ ଖୋସିମୋଭାଙ୍କୁ ୫-୦ ଏବଂ ପ୍ରିୟଙ୍କା ଶ୍ରୀଲଙ୍କାର ଦୁଲାଞ୍ଜନୀ ଲଙ୍କାପୂରୟାଲାଗେଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ରେ ଶିଖାଙ୍କ ମୁକାବିଲା ଚାଇନିଜ୍‌ ତାଇପେର ଲିନ୍‌ ୟୁ ଟିଙ୍ଗ୍‌ଙ୍କ ସହ ହେବ। ଏହା ପୂର୍ବରୁ ସୀମା ପୁନିଆ (୮୧ କେଜିରୁ ଅଧିକ) ପ୍ରଥମ ଭାରତୀୟ ଭାବେ ସେମିଫାଇନାଲ୍‌ ପହଞ୍ଚି ସାରିଛନ୍ତି। ତେବେ ଅନ୍ୟତମ ଭାରତୀୟ ତଥା ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସାଓ୍ଵିଟି ବୁରା (୭୫ କେଜି) କ୍ୱାର୍ଟର ଫାଇନାଲ୍‌ରେ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ଲି କ୍ୱିଆନ୍‌ଙ୍କଠାରୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର