ଭାରତର ଲଗାତାର ନବମ ଶୃଙ୍ଖଳା ବିଜୟ

ଦିଲ୍ଲୀ ଟେଷ୍ଟ୍‌ ଅମୀମାଂସିତ କୋହଲି ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଟେଷ୍ଟ ଶେଷରେ ଅମୀମାଂସିତ ରହିଲା। ହେଲେ ଭାରତ କ୍ରମାଗତ ନବମ ଶୃଙ୍ଖଳା ଜିତିନେଲା। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସ ପର୍ଯ୍ୟନ୍ତ ଘରୋଇ ଭାରତୀୟ ଦଳର ପଲା ଭାରି ରହିଥିଲା। ଏପରିକି ୪୧୦ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିବା ବିରାଟ କୋହଲିଙ୍କ ଦଳ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୩ ଓ୍ଵିକେଟ୍‌ ଅକ୍ତିଆର କରିନେଇ ଶ୍ରୀଲଙ୍କାକୁ ପରାଜୟ ଆଡକୁ ଠେଲି ଦେଇଥିଲେ। ବୁଧବାର ପଞ୍ଚମ ତଥା ଶେଷ ଦିନ ଆଉ ୭ ଓ୍ଵିକେଟ୍‌ ନେଇଥିଲେ ଭାରତ ଏହି ଟେଷ୍ଟ ଜିତିବା ସହିତ ଶୃଙ୍ଖଳା ୨-୦ରେ ହାତେଇଥାନ୍ତା। ହେଲେ ଭାରତୀୟ ବୋଲର ନିରାଶ କଲେ। ଚତୁର୍ଥ ଦିବସରେ ମାତ୍ର ୧୬ ଓଭର ବୋଲି କରି ୩ ଓ୍ଵିକେଟ୍‌ ଝଡ଼ାଇ ଦେଇଥିବା ଭାରତୀୟ ବୋଲର ଶେଷ ଦିନ ୮୭ ଓଭର ବୋଲିଂ କରିଥିଲା ବେଳେ ମାତ୍ର ୨ ଓ୍ଵିକେଟ୍‌ ଦଖଲ କରିବାକୁ ସମର୍ଥ ହେଲେ। ଆଉ ଧନଞ୍ଜୟ ଡି ସିଲ୍‌ଭା, ପଦାର୍ପଣ କରିଥିବା ରୋସେନ୍‌ ସିଲ୍‌ଭା ଓ ଓ୍ଵିକେଟ୍‌ରକ୍ଷକ ନିରୋସାନ୍‌ ଡିକ୍‌େଓ୍ଵଲା ସିଂହ ଭଳି ଲଢ଼ି ଭାରତକୁ ବିଜୟ ଆଶା ପୂରଣ ହେବାକୁ ଦେଇନଥିଲେ। ଧନଞ୍ଜୟ ଡି ସିଲ୍‌ଭା (୧୧୯) ନିଜର ୧୧ ଟେଷ୍ଟରୁ ବ୍ୟକ୍ତିଗତ ତୃତୀୟ ଶତକ ଜମାଇବା ପରେ ରିଟାୟର୍ଡ ହର୍ଟ ହେବା ସତ୍ତ୍ୱେ ଭାରତ ଫାଇଦା ଉଠାଇ ପାରିନଥିଲା। ୭୬ ଓଭର ବେଳକୁ ଧନଞ୍ଜୟ ପଡ଼ିଆ ଛାଡ଼ିଥିଲା ବେଳେ ରୋସେନ୍‌ (୭୪*) ଓ ଡିକ୍‌େଓ୍ଵଲା (୪୪*) ଦମ୍‌ଦାର ଲଢ଼େଇ କରି ମ୍ୟାଚ୍‌ ଅମୀମାଂସିତ ରଖିଦେଲେ। ଚାନ୍ଦିମାଳି ଓ ଧନଞ୍ଜୟ ୧୧୨ ଏବଂ ଧନଞ୍ଜୟ ଓ ରୋସେନ୍‌ ୫୮ ରନ୍‌ର ଭାଗୀଦାରି କରିବା ପରେ ରୋସେନ୍‌ ଓ ଡିକ୍‌େଓ୍ଵଲା ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୨୭ ଓଭର ଜମିରହି ୯୪ ରନ୍‌ ଯୋଡ଼ି ଭାରତୀୟ ବୋଲରଙ୍କ ମୁହଁ କଳା କରିଦେଇଥିଲେ। ଫଳରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ ଭଳି ଦିଲ୍ଲୀର ଫିରୋଜ ଶାହା କୋଟଲାରେ ମଧ୍ୟ ଶ୍ରୀଲଙ୍କା ପରାଜୟରୁ ବର୍ତିଗଲା। ସିଂହଳୀ ଦଳ ମଧ୍ୟ ଭାରତରେ ୨ ଟେଷ୍ଟ ଅମୀମାଂସିତ ରଖି ସମ୍ମାନ ହାତେଇନେଲା। ଅନ୍ୟପକ୍ଷରେ ନାଗପୁର ଟେଷ୍ଟକୁ ଜିତି ନେଇଥିବା ଭାରତ ୨-୦ରେ ଶୃଙ୍ଖଳା ଜିତିବାର ଆଶା ପୂରଣ କରିପାରିଲାନି। ତଥାପି କୋହଲି ବାହିନୀ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହୋଇଛି।

ପୂର୍ବ ଦିନ ସ୍କୋର୍‌ ୩୧/୩ରୁ ଖେଳିଥିବା ଶ୍ରୀଲଙ୍କା ବୁଧବାର ପ୍ରଥମ ପାଳିର ଦୁଇ ଶତକ ହାସଲକାରୀ ଆଞ୍ଜେଲୋ ମାଥ୍ୟୁସ୍‌ (୧) ଓ ଅଧିନାୟକ ଦୀନେଶ ଚାନ୍ଦିମାଳ (୩୬)ଙ୍କୁ ମଧ୍ୟାହ୍ନ ବିରତି ପୂର୍ବରୁ ହରାଇଥିଲା। ମାଥ୍ୟୁସ୍‌ଙ୍କୁ ଆଉଟ୍‌ କରି ରବୀନ୍ଦ୍ର ଜାଦେଜା ତାଙ୍କର ତୃତୀୟ ଓ୍ଵିକେଟ୍‌ ପାଇଥିଲେ। ଏହାପରେ ଚାନ୍ଦିମାଳଙ୍କୁ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଆଉଟ୍‌ କରି ଭାରତୀୟ ଶିବିରରେ ଆଶା ଭରି ଦେଇଥିଲେ। ହେଲେ ଏହିଠାରୁ ହିଁ ଭାରତୀୟ ବୋଲରଙ୍କୁ ନିରାଟ ହେବାକୁ ପଡ଼ିଥିଲା। ବିଶେଷକରି ଧନଞ୍ଜୟ, ରୋସେନ୍‌ ଓ ଡିକ୍‌େଓ୍ଵଲା ଦଳ ପାଇଁ ଜୋର୍‌ଦାର ଲଢ଼ି ଭାରତକୁ ବିଜୟରୁ ରୋକି ଦେଇଥିଲେ। ଶ୍ରୀଲଙ୍କା ଅଧିନାୟକ ଚାନ୍ଦିମାଳ ଏହି ୩ ଖେଳାଳିଙ୍କ ସହ ମାଥ୍ୟୁସ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

ପ୍ରଥମ ପାଳିରେ ୨୪୩ ଓ ଦ୍ୱିତୀୟ ପାଳିରେ ୫୦ ରନ୍‌ କରିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସାଙ୍ଗକୁ ତିନିଯାକ ଟେଷ୍ଟରେ ମୋଟ ୬୧୦ (ଦୁଇଟି ଦ୍ୱିଶତକ ଓ ଗୋଟିଏ ଶତକ) ରନ୍‌ କରିଥିବାରୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ। ଭାରତ ଏବେ ଆସନ୍ତା ୧୦ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବ। ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଧର୍ମଶାଳାରେ ଖେଳାଯିବ।

ସମ୍ବନ୍ଧିତ ଖବର