ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗତ ବୁଧବାର ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ଧନୀ ତଥା ଶକ୍ତିଶାଳୀ କ୍ରିକେଟ୍‌ ବୋର୍ଡ ‘ବିସିସିଆଇର’ ୩୯ତମ ସଭାପତି ପଦ ଗ୍ରହଣ କରିଛନ୍ତି। ‘ପ୍ରିନ୍‌ସ ଅଫ୍‌ କୋଲକାତା’ ଭାବେ ପରିଚିତ ଗାଙ୍ଗୁଲି ନିଜ ସମୟର ଜଣେ ସଫଳ ଏବଂ ଦକ୍ଷ ଅଧିନାୟକ ଥିଲେ। ଗାଙ୍ଗୁଲି ଆସନ୍ତା ୯ ମାସ ପର୍ଯ୍ୟନ୍ତ ବିସିସିଆଇ ସଭାପତି ପଦରେ ରହିବେ।

ତେବେ ଶୁଣିବାକୁ ମିଳୁଛି କି ବାଂଲାଦେଶ ବିରୋଧରେ ଆଗାମୀ ମାସରେ ହେବାକୁଥିବା  ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ସମୟରେ ଭାରତୀୟ ଟିମ୍‌ ପ୍ରଥମ ଥର ଉଭୟ ଦିନ ଓ ରାତିରେ ଟେଷ୍ଟ ଖେଳିବ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏ ନେଇ ଗୁରୁବାର ବୈଠକ ହୋଇଛି। ଏହି ବୈଠକରେ ଦିନ ଓ ରାତିରେ ଟେଷ୍ଟ ଖେଳାଯିବା ନେଇ ଚର୍ଚ୍ଚା ହୋଇଥିବା  କୁହାଯାଉଛି।

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରେ ଇନ୍ଦୋରରେ ଖେଳାଯିବାକୁ ଥିବା ବେଳେ କୋଲକାତାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ନଭେମ୍ବର ୨୨ରେ ହେବ। ପ୍ରକାଶିତ ରିପୋର୍ଟ ମୁତାବକ, ସିରିଜର ଗୋଟିଏ ମ୍ୟାଚ ଡେ-ନାଇଡ୍‌ ଉଭୟ ସମୟରେ ଖେଳାଯିବ ବୋଲି ୫୦ ପ୍ରତିଶତ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର