ମାଞ୍ଚେଷ୍ଟର୍ : ୧୩୩ କୋଟିରୁ ଊର୍ଧ୍ବ ଭାରତୀୟଙ୍କ ଶୁଭେଚ୍ଛା ନେଇ ଇଂଲଣ୍ଡ ଯାଇଥିବା ବିରାଟ କୋହଲିଙ୍କ ବିଶ୍ବକପ୍ ଅଭିଯାନ ସେମିଫାଇନାଲରେ ସୀମିତ ରହିଯାଇଛି। ବର୍ଷା ଯୋଗୁଁ ଦୁଇ ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍ରେ ହାରି ଅଶ୍ରୁଳ ବିଦାୟ ନେଇଛି ଭାରତ। ୨୦୧୧ରେ ବିଜେତା ହେବା ପରେ ଭାରତ ପରବର୍ତୀ ଦୁଇ ସଂସ୍କରଣରେ ମଧ୍ୟ ସମାନ ସୀମାରେ ଝୁଣ୍ଟିଛି। ଲିଗ୍ ପର୍ଯ୍ୟାୟରେ ଚମତ୍କାର ଖେଳିଥିବା ଭାରତ କିନ୍ତୁ ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖରେ ବୁଡ଼ାଇ ଦେଇଛି। ୪ ବର୍ଷ ତଳେ ଉପ ବିଜେତା ହୋଇଥିବା ନ୍ୟୁଜିଲାଣ୍ଡ୍ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲକୁ ଉଠିବାର ଗୌରବ ପାଇଛି। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହିତ ରବିବାର ନ୍ୟୁଜିଲାଣ୍ଡ୍ ସହ ଲର୍ଡସରେ ଫାଇନାଲ୍ ଖେଳିବ।
ମଙ୍ଗଳବାରଠାରୁ ଲମ୍ବିଥିବା ନ୍ୟୁଜିଲାଣ୍ଡ୍ ପାଳି ବୁଧବାର ଅବଶିଷ୍ଟ ୨୩ ବଲ୍ ଖେଳି ୨୮ ରନ୍ ଯୋଡ଼ିବା ସହିତ ୨୩୯/୮ରେ ସୀମିତ ରହିଥିଲା। ରସ୍ ଟେଲର୍ (୭୪, ୯୦ ବଲ୍, ୩ ଚୌକା, ୧ ଛକା)ଙ୍କ ପାଳି ରନ୍ ଆଉଟ୍ରେ ଶେଷ ହୋଇଥିଲା। ଭୁବନେଶ୍ବର କୁମାର ୪୯ତମ ଓଭରରେ ୨ ୱିକେଟ୍ ନେଇ ମଧ୍ୟ ନ୍ୟୁଜିଲାଣ୍ଡକୁ ରୋକିଥିଲେ। ବୁମରା (୧/୩୯) ଏବଂ ଭୁବି (୩/୪୩)ଙ୍କ ପାଇଁ ନ୍ୟୁଜିଲାଣ୍ଡ୍କୁ ନିୟନ୍ତ୍ରଣରେ ରଖିଥିବା ଭାରତ କିନ୍ତୁ ୨୪୦ ରନ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା।
ପ୍ରତିକୂଳ ପାଗ, ପରିବେଶରୁ ଫାଇଦା ନେଇଥିବା ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲରମାନେ ଭାରତକୁ ୩.୧ ଓଭର ଭିତରେ ହିଁ ୫/୩ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ। ଲୟରେ ଥିବା ୩ ଶୀର୍ଷ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଲୋକେଶ ରାହୁଲ ପ୍ରତ୍ୟେକ ଖାତା ଖୋଲିଥିଲେ ମଧ୍ୟ ଆଗକୁ ବଢ଼ିନଥିଲେ। ସମାନ ୧ ରନ୍ ଲେଖାଏଁ କରି ମ୍ୟାଟ୍ ହେନରି ଏବଂ ଟ୍ରେଣ୍ଟ୍ ବୋଲଟଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ମ୍ୟାଚ୍ ଏହିଠାରୁ ହିଁ ନ୍ୟୁଜିଲାଣ୍ଡ୍ କବଳକୁ ଚାଲିଯାଇଥିଲା। ଦୀନେଶ କାର୍ତିକ (୬, ୨୫ ବଲ)ଙ୍କୁ ମ୍ୟାଟ୍ ହେନରି ନିଜ ତୃତୀୟ ଶିକାର କରି ଭାରତର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲେ। ଯୁବ ତାରକା ଋଷବ ପନ୍ତ୍ (୩୨, ୫୬ ବଲ) ଏବଂ ହାର୍ଦିକ ପାଣ୍ଡ୍ୟା (୩୨, ୬୨ ବଲ୍) ଭଲ ଭାଗୀଦାରି ଗଢ଼ି ଆସୁଥିବା ବେଳେ ଦାୟିତ୍ବହୀନ ସଟ୍ ଖେଳି ଅଲଗା ହୋଇଯାଇଥିଲେ। ରନ୍ ଚାପ ବଢ଼ିଥିଲେ ମଧ୍ୟ ଭାରତ ଏହାର ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟିଂ ଯୋଡ଼ି ମହେନ୍ଦ୍ର ସିଂହ ଧୋନି ଏବଂ ରବୀନ୍ଦ୍ର ଜାଦେଜାଙ୍କ କାନ୍ଧରେ ଢ଼େର ସମୟ ଚାଲିଥିଲା। ଉଭୟଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ହେବା ମଧ୍ୟ ଭାରତକୁ ପ୍ରତ୍ୟାବର୍ତନ ପଥରେ ରଖିଥିଲା। ୯୨ ରନ୍ରେ ୬ ୱିକେଟ୍ ହରାଇଥିବା ଭାରତ ପାଇଁ ଏହି ବାମ-ଡାହାଣ ଯୋଡ଼ି ୧୧୬ ରନ୍ (୧୭.୨ ଓଭର) ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ମ୍ୟାଚ୍କୁ ବନାଇଥିଲେ ମଧ୍ୟ ରବୀନ୍ଦ୍ର ଜାଦେଜା (୭୭, ୫୯ ବଲ, ୪ ଚୌକା, ୪ ଛକା) ଶେଷରେ ଧୈର୍ଯ୍ୟ ହରାଇଥିଲେ। ଟ୍ରେଣ୍ଟ୍ ବୋଲଟଙ୍କ ବଲରେ ବଡ଼ ସଟ୍ ଖେଳିବାକୁ ଯାଇ କେନ୍ ୱିଲିୟମସନଙ୍କୁ କ୍ୟାଚ୍ ଦେଇଥିଲେ। ଏହା ପରେ ଧୋନି (୫୦, ୭୨ ବଲ) ବି ଆତ୍ମଘାତୀ ରନ୍ ଆଉଟ୍ର ଶିକାର ହୋଇଯିବାରୁ ଭାରତର ଶେଷ ଆଶା ଲିଭିଯାଇଥିଲା। ରନ୍ ଚାପରେ ପଡ଼ି ୧୧ ବଲ୍ ଭିତରେ ଭାରତ ଶେଷ ୪ ୱିକେଟ୍ ହରାଇ ମ୍ୟାଚ୍କୁ ୧୮ ରନ୍ରେ ହାରିଯାଇଥିଲା।
ଏହାସହିତ ୮ ବର୍ଷ ପରେ ବିଶ୍ବକପ୍ ବିଜୟର ସ୍ବପ୍ନ ସ୍ବପ୍ନରେ ରହିଯାଇଥିଲା। ଦୃଢ଼ ଦାବିଦାର ଦଳ ଭାବେ ବିଶ୍ବକପ୍ ଯାଇଥିବା ଭାରତ ଗ୍ରୁପ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍ ହାରି ବିଜେତା ହୋଇଥିଲା। କିନ୍ତୁ ନକ୍ ଆଉଟ୍ ବେଳକୁ ସହଜରେ ନକ୍ ଆଉଟ୍ ହୋଇଗଲା। ଭାରତର ବ୍ୟାଟିଂକୁ ବିଧ୍ବସ୍ତ କରି ଦେଇଥିବା ମ୍ୟାଟ୍ ହେନରି (୧୦-୧-୩୭-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି। ଗ୍ରୁପ୍ ପର୍ଯ୍ୟାୟର ଶେଷ ୩ ମ୍ୟାଚ୍ ହାରିଯିବା ପରେ କଷ୍ଟେ ମଷ୍ଟେ ନେଟ୍ ରନ୍ ରେଟ୍ ବଳରେ ସେମିଫାଇନାଲ୍ ଆସିଥିବା ନ୍ୟୁଜିଲାଣ୍ଡ ଦୁଇ ଥର ବିଜେତା ଭାରତକୁ ହରାଇ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ୨୦୧୫ରେ ନ୍ୟୁଜିଲାଣ୍ଡ୍ ପଡ଼ୋଶୀ ଅଷ୍ଟ୍ରେଲିଆଠାରୁ ହାରି ଉପ ବିଜେତା ରହିଥିଲା।