ତୌରଙ୍ଗା (ନ୍ୟୁଜିଲାଣ୍ଡ) : କନିଷ୍ଠ କ୍ରିକେଟ୍ରେ ଭାରତ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ନ୍ୟୁଜିଲ୍ୟାଣ୍ଡରେ କଙ୍ଗାରୁ ଶିକାର କରି ରେକର୍ଡ ଚତୁର୍ଥ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ନେଇଛି। ଏପରି କରିବାରେ ଭାରତ ବିଶ୍ୱର ପ୍ରଥମ ଏବଂ ଏକମାତ୍ର ଦେଶ। ସଂପୂର୍ଣ୍ଣ ପ୍ରତିଯୋଗିତାରେ ଅପେରାଜେୟ ରହିଥିବା ଭାରତୀୟ ଦଳ ଶନିବାର ଫାଇନାଲରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ୮ ଓ୍ଵିକେଟ୍ରେ ପରାସ୍ତ କରିଛି। ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୦୩ ରନ୍ର ବୃହତ୍ ବ୍ୟବଧାନରେ ହରାଇ ଫାଇନାଲ୍ ଯାଇଥିବା ପୃଥ୍ଵୀ ସ’ଙ୍କ ଦଳ ଅଷ୍ଟ୍ରେଲିଆକୁ ଆଜି ପ୍ରଥମେ ନିଜ ବୋଲିଂ ଜାଲରେ ଛନ୍ଦି ମାତ୍ର ୨୧୬ ରନ୍ରେ ଅଟକାଇ ଦେଇଥିଲା। ପରେ ମନଜ୍ୟୋତ କାଲ୍ରା (୧୦୧*)ଙ୍କ ଚିତ୍ତାକର୍ଷକ ଶତକ ବଳରେ ୩୮.୫ ଓଭରରେ କେବଳ ୨ ଓ୍ଵିକେଟ୍ ହରାଇ ୨୧୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
୨୦୧୮ ପୂର୍ବରୁ ଭାରତ ୨୦୦୦, ୨୦୦୮ ଏବଂ ୨୦୧୨ରେ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ପାଇଥିଲା। ସେଥିମଧ୍ୟରୁ ୨୦୧୨ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ହିଁ ବିଶ୍ୱବିଜୟୀ ହୋଇଥିଲା। ସଂଯୋଗ ବଶତଃ ତିନି ସପ୍ତାହ ତଳେ ଭାରତ ସେହି ଅଷ୍ଟ୍ରେଲିଆକୁ ୧୦୦ ରନ୍ରେ ହରାଇ ଏଥର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ପାପୁଆ ନ୍ୟୁଗିନିକୁ ୧୦ ଓ୍ଵିକେଟ୍, ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍ ଏବଂ ବାଂଲାଦେଶକୁ ୧୩୧ ରନ୍ରେ ହରାଇ ସେମିଫାଇନାଲ୍ ଯାଇଥିଲା। ସେଠାରେ ପାକିସ୍ତାନକୁ ୬୯ ରନ୍ରେ ଅଲଆଉଟ୍ କରି ଏବଂ ୨୦୩ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଟିକଟ ହାସଲ କରି ନେଇଥିଲା। ଦିଲ୍ଲୀ ତାରକା ମନଜ୍ୟୋତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ପୂରା ପ୍ରତିଯୋଗିତାରେ ୧୦୦ରୁ ଅଧିକ ହାରରେ ରନ୍ କରିଥିବା ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ବୋଲି କୁହାଯାଉଥିବା ଶୁଭମନ୍ ଗିଲ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି।
କ୍ରିକେଟ୍ ବୋର୍ଡର ଧନ ବର୍ଷା
ଦ୍ରାବିଡ: ୫୦ ଲକ୍ଷ
ଖେଳାଳି: ୩୦ ଲକ୍ଷ
ଅଧିକାରୀ: ୨୦ ଲକ୍ଷଭାରତୀୟ ୧୯ ବର୍ଷରୁ କମ୍ ଦଳ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଜିତିବା ପରେ ବିସିସିଆଇ ପରିଚାଳନାରେ ଥିବା ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ପୁରସ୍କାରର ବର୍ଷା କରିଛି। ପ୍ରଶିକ୍ଷକ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ସିଓଏ ୫୦ ଲକ୍ଷ ଟଙ୍କା ଦେଇଛି। ସେହିଭଳି ଖେଳାଳିମାନଙ୍କୁ ୩୦ ଲକ୍ଷ ଲେଖାଏଁ ଏବଂ ସହଯୋଗୀ ଅଧିକାରୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଉଲ୍ଲସିତ ସିଓଏ ଘୋଷଣା କରିଛି। ଏଥିସହିତ ସିଓଏ ଅଧକ୍ଷ ବିନୋଦ ରାଏ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତା’ ସହ ସବୁ ଖେଳାଳିଙ୍କ ଉନ୍ନତ ଭବିଷ୍ୟତ କାମନା କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମଗ୍ର କ୍ରିକେଟ୍ ଜଗତ ଭାରତୀୟ ଯୁବବୀରଙ୍କ ଏହି ଅନନ୍ୟ ସଫଳତା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ ୩ ଥର ବରିଷ୍ଠ ବର୍ଗ ବିଶ୍ୱକପ୍ ଖେଳି କେବେବି ବିଶ୍ୱକପ୍ ଜିତି ନଥିବା ଦ୍ରାବିଡ ପ୍ରଶିକ୍ଷକ ଭାବେ ବିଶ୍ୱକପ୍ ଦଳର ଅଂଶୀଦାର ହେବା ତାଙ୍କ ସମସାୟିକ କ୍ରିକେଟରଙ୍କୁ ଉଲ୍ଲସିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Under-19-to-World-Cup-glory.jpg)