ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ୪୪୩ ରନରେ ପାଳି ଘୋଷଣା କଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ପ୍ରଥମ ଇନିଂସରେ ୪୪୩ ରନ ସହ ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ ୧୦୬ ରନର ଇନିଂସ ଖେଳିଥିବା ବେଳେ କ୍ୟାପଟେନ ବିରାଟ କୋହଲିଙ୍କ ବ୍ୟାଟରୁ ଟିମକୁ ମିଳିଛି ୮୨ ରନ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଏବେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଖେଳୁଛି।

ଗତକାଲିର ଅସମାପ୍ତ ଇନିଂସକୁ ଗୁରୁବାର ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗକୁ ବଢ଼ାଇ ଥିଲେ। ୬୯ ରନ୍ କରି ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। କ୍ୟାପଟେନ କୋହଲି ଆଜି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକୁ ବଞ୍ଚିତ ହୋଇଥିଲେ। ସେ ୨୦୪ ବଲ୍ରେ ୮୨ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଆରୋନ୍ ଫିଞ୍ଚଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲ୍ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ୬୩ ରନ୍ କରି ଅପରାଜିତ ରହିଥିଲେ।

ୱିକେଟ୍ କିପର ଋଷଭ ପନ୍ତ ୩୯ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଜାଡେଜା ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି ଇନିଂସ୍ ଘୋଷଣା କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ଓ ଜୋଶ୍ ହେଜେଲଉଡ୍ ଏବଂ ନେଥନ ଲିଅନ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି।

ସମ୍ବନ୍ଧିତ ଖବର