ଭାରତୀୟ ସ୍ପିନ୍ ମାଡ଼ରେ ଇଂଲଣ୍ଡ ଧରାଶାୟୀ : ୧୦ ଉଇକେଟରେ ତୃତୀୟ ଟେଷ୍ଟ ଜିତିଲା ଭାରତ

ଅହମଦାବାଦ: ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ଭାରତୀୟ ଦଳ ଲାଗି ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଅହମଦାବାଦରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ଭାରତୀୟ ସ୍ପିନରମାନଙ୍କ ବୋଲିଂ ଆକ୍ରମଣକୁ ସାମ୍ନା କରି ନ ପାରି ୧୦ ଉଇକେଟରେ ହାରିଯାଇଛି ଇଂଲଣ୍ଡ। ଫଳରେ ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହିଛି।

ଇଂଲଣ୍ଡର ଦ୍ବିତୀୟ ଇନିଂସ ସମାପ୍ତି ପରେ ଆଜି ସଂଧ୍ୟ‌ାରେ ମାତ୍ର ୪୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା ଓ କୌଣସି ଉଇକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ରୋହିତ୍ ଶର୍ମା ୨୫ ଓ ଶୁବମନ୍ ଗିଲ୍ ୧୫ ରନ୍ କରି ଅପରାଜିତ ରହିଥିଲେ। ଏହି ଟେଷ୍ଟରେ ସର୍ବାଧିକ ସଫଳ ବୋଲର ଭାବେ ଉଭା ହୋଇଛନ୍ତି ଅକ୍ଷର ପଟେଲ୍ ଓ ଆର୍.ଅଶ୍ବିନ୍ । ଦୁହେଁ ୧୫-୧୫ ଉଇକେଟ୍ ହାସଲ କରିଛନ୍ତି।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଟେଷ୍ଟ  ମ୍ୟାଚରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମ ଇଂନିସରେ ୧୧୨ ରନରେ ଅଲ ଆଉଟ ହୋଇ ଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ସର୍ବାଧିକ ୫୩ ରନ କରିଥିଲେ । ଭାରତ ମଧ୍ୟ ପ୍ରଥମ ଇଂନିସରେ ମାତ୍ର ୧୪୫ ରନରେ ଅଲଆଉଟ ହୋଇଥିଲା ଓ ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୬ ରନ କରିଥିଲେ। ଏହାପରେ ଦ୍ବିତୀୟ ଇନିଂସରେ ମାତ୍ର ୮୧ ରନ କରି ସମସ୍ତ ଉଇକେଟ୍ ହରାଇଥିଲା ଇଂଲଣ୍ଡ ଦଳ। ଭାରତ ପକ୍ଷରୁ ଅକ୍ଷର ୫ ଓ ଅଶ୍ୱିନ ୪ ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଆଣିଥିଲେ।

ସମ୍ବନ୍ଧିତ ଖବର