ହରାରେ: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି। ଇଂଲଣ୍ଡକୁ ଭାରତ ୧୦୦ ରନ୍‌ରେ ପରାସ୍ତ କରିଛି। ୪୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୧୧ ରନ୍‌ ସଂଗ୍ରହ କରିଛି। ଭାରତର ବିଜୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ  ନାୟକ ହୋଇଛନ୍ତି। ସେ ଆଜି ୮୦ଟି ବଲ୍‌ ଖେଳି ୧୭୫ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୧୫ଟି ଚୌକା ଓ ୧୫ଟି ଛକା ସାମିଲ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୪୧୧ ରନ୍‌ ସଂଗ୍ରହ କରିଥିଲା। 

Advertisment

ବୈଭବ ସୂର୍ଯ୍ୟବଂଶୀଙ୍କ ଶତକୀୟ ବିସ୍ଫୋରଣ ସହିତ ଭାରତୀୟ ଯୁବ ଦଳ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ମୁକୁଟ କରାୟତ୍ତ କରିଛି। ସୂର୍ଯ୍ୟବଂଶୀଙ୍କ ୮୦ ବଲ୍‌ରୁ ୧୭୫ ରନ୍‌ ବଳରେ ଭାରତ ୪୧୧ ରନ୍‌ର ବିଶାଳ ସ୍କୋର୍‌ ଠିଆ କରିଥିଲା। ଜବାବରେ ଇଂଲଣ୍ଡ ୫୮ ବଲ୍‌ ପୂର୍ବରୁ ୩୧୧ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍‌ ହରାଇଥିଲା। କାଲବ୍‌ ଫାଲକନର୍‌ ଲଢ଼ୁଆ ଶତକ (୬୭ ବଲ୍‌ରୁ ୧୧୫ ରନ୍) ଅର୍ଜନ କରିଥିଲେ ମଧ୍ୟ ଏହା ଇଂଲଣ୍ଡ ପାଇଁ ଯଥେଷ୍ଟ ହୋଇ ନଥିଲା। ଆର୍‌ଏସ୍‌ ଅମ୍ବ୍ରିସ୍‌, ଦୀପେଶ ଦେବେନ୍ଦ୍ରନ,‌ କନିଷ୍କ ଚୌହାନ ମିଳିତ ଭାବେ ୭ ୱିକେଟ୍‌ ଦଖଲ କରି ଇଂଲଣ୍ଡ ବାଟ ଓଗାଳିଥିଲେ। ଚର୍ଚ୍ଚିତ ଶତକ ପାଇଁ ସୂର୍ଯ୍ୟବଂଶୀ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଦ୍ବିତୀୟ ସର୍ବାଧିକ ରନ୍‌ (୪୩୯) ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍‌ ନେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ଆହୁରି ପଢ଼ନ୍ତୁ: Draupadi Murmu: ‘ପ୍ରଯୁକ୍ତିବିଦ୍ୟା ସାମାଜିକ ନ୍ୟାୟ ଏବଂ ଅନ୍ତର୍ଭୂକ୍ତିକରଣ ପାଇଁ ଉପକରଣ ହେବା ଆବଶ୍ୟକ’

ଶୁକ୍ରବାର ଭାରତ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ଆରୋନ ଜର୍ଜ (୯)ଙ୍କୁ ହରାଇଥିଲେ। ସୂର୍ଯ୍ୟବଂଶୀ ଓ ଅଧିନାୟକ ଆୟୁଷ ମହାତ୍ରେ କିନ୍ତୁ ଦ୍ବିତୀୟ ୱିକେଟ୍‌ ପାଇଁ ମାତ୍ର ୧୫ ଓଭରରେ ୧୪୦ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟବଂଶୀ ୫୫ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିବା ବେଳେ ଭାରତ ୨୨ତମ ଓଭରରେ ୨୦୦ ଅତିକ୍ରମ କରିଯାଇଥିଲା। ଏପରିକି ଦଳ ୨୫ ଓଭରରେ ୨୫୦ ରନ୍‌ କରିଥିଲା। ସୂର୍ଯ୍ୟବଂଶୀ ୮୦ ବଲ୍‌ରୁ ୧୫ ଲେଖାଏଁ ଚୌକା ଓ ଛକା ମାରି ୧୭୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ୧୯୮୩ ମସିହା ଦିନିକିଆ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷରେ କପିଳ ଦେବଙ୍କ ୧୭୫ ରନ୍‌ ପାଳିକୁ ତୁଳନା କରିଥିଲେ। ଶୁକ୍ରବାର ସୂର୍ଯ୍ୟବଂଶୀଙ୍କ ଛଡ଼ା ଅଧିନାୟକ ଆୟୁଷ ମହାତ୍ରେ (୫୩), ୱିକେଟ୍‌ରକ୍ଷକ ଅଭିଜ୍ଞାନ କୁଣ୍ଡୁ (୪୦), କନିଷ୍କ ଚୌହାନ (୩୭*), ବେଦାନ୍ତ ତ୍ରିବେଦୀ (୩୨), ବିହାନ ମାଲହୋତ୍ରା (୩୦) ପ୍ରମୁଖ ଭଲ ଅବଦାନ ରଖିଥିଲେ।