ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡ ସ୍କୋର ୯/୨୮୫

ବର୍ମିଂହାମ: ଟିମ୍‌ ଇଣ୍ଡିଆ ବିରୋଧରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ଦିନରେ ୮୮ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୨୮୫ ରନ୍‌ ସଂଗ୍ରହ କରିଛି। ଏଜବେଷ୍ଟନ୍‌ ପଡ଼ିଆରେ ବୁଧବାର ଭାରତ ପକ୍ଷରୁ ନୂଆ ବଲରେ ଉମେଶ ଯାଦବ ଓ ଈଶାନ୍ତ ଶର୍ମା ବୋଲିଂ କରିଥିଲେ। ଓପନର ଆଲିଷ୍ଟର କୁକ୍‌(୧୩) ଓ ଜେନିଙ୍ଗସ୍‌(୪୨) ରନ୍‌ ଯୋଡ଼ିଥିଲେ। କୁକ୍‌ ୨୮ ବଲ୍‌ ଖେଳି ୧୩ ରନ୍‌ ଯୋଡ଼ିଥିଲେ। ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇ ପାଭଲିଅନ୍‌ ଫେରିଥିଲେ। ଅଧିନାୟକ ଜୋଏ ରୁଟ ୮୦ ରନ୍‌ ଯୋଡ଼ିବା ପରେ କୋହଲିଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ଦାଓ୍ଵିଦ ମଲାନ ମହମ୍ମଦ ସାମିଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହେବା ପୂର୍ବରୁ ୮ ରନ୍‌ ଯୋଡ଼ିଥିଲେ।

ପ୍ରଥମ ଦିନରେ ଇଂଲଣ୍ଡର ଜନି ବେୟାରଷ୍ଟୋ ସଫଳ ରହିଥିଲେ। ସେ ୮୮ଟି ବଲ ଖେଳି ୭୦ ରନ୍‌ ଯୋଡ଼ିଥିଲେ ଓ ଉମେଶ ଯାଦବଙ୍କ ଦ୍ୱାରା ବୋଲଡ୍‌ ହୋଇ ଫେରିଥିଲେ। ବେନ୍‌ ଷ୍ଟୋକସ୍‌(୨୧)ଙ୍କୁ ନିଜ ବଲରେ ରବିଚନ୍ଦ୍ରନ ଅଶ୍ୱିନ କ୍ୟାଚ ନେଇଥିଲେ। ଜୋସ ବଟଲର କୌଣସି ରନ୍‌ କରିବା ପୂର୍ବରୁ ଅଶ୍ୱିନଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ସେହିଭଳି ଈଶାନ୍ତଙ୍କ ଦ୍ୱାରା ଆଦିଲ ରସିଦ ଓ ଅଶ୍ୱିନଙ୍କ ଦ୍ୱାରା ଷ୍ଟୁଆର୍ଟ ବ୍ରୋଡ ଏଲ୍‌ବିଡବ୍ଲୁ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର