କୋଲକାତା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫି ହାତଛଡ଼ା କରିବାର ବିଫଳତା ପରେ ଭାରତୀୟ ଦଳ ଏହାକୁ ପଛରେ ପକାଇ ପ୍ରଶଂସକଙ୍କୁ ନୂଆ ବର୍ଷରେ ନୂଆ ଖୁସି ଦେବ ବୋଲି ବିଶ୍ବାସ କରାଯାଉଛି। ଉଭୟ ଦଳ ମଧ୍ୟ ପାୱାର ଗେମ୍ରେ ଧୂରଂଧର ଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ ରହିଛନ୍ତି। ଭାରତୀୟ କ୍ରିକେଟ୍ କିନ୍ତୁ ଏକ ପରିବର୍ତ୍ତନ କାଳରେ ଗତି କରୁଥିବାରୁ ସୂର୍ଯ୍ୟକୁମାରଙ୍କ ଦଳ କେତେ କିରଣ ଦେଖାଇ ପାରୁଛି ତାହା ସମୟର ଆହ୍ବାନ ଆଣିଛି। ଜୋସ୍ ବଟଲରଙ୍କ ଦଳ କିନ୍ତୁ ଏହି ଫର୍ମାଟ୍ରେ ଅନ୍ୟତମ ଭୟଙ୍କର ଦଳ ହୋଇଥିବାରୁ ଭାରତକୁ ଘରୋଇ ମାଟିରେ ମାତ୍ ଦେବାକୁ ଯୋଜନା କରିଛି। ବ୍ୟକ୍ତିଗତ ଭାବେ ବଟଲର୍ ଇଡେନ୍ ଗାର୍ଡେନ୍ସରେ ଗତବର୍ଷ ରାଜସ୍ଥାନ ରୟାଲ୍ସକୁ ଏକ ଶତକୀୟ ପାଳି ବଳରେ ବିଜୟୀ କରିଥିବାରୁ ଆତ୍ମବିଶ୍ବାସ ରଖିଛନ୍ତି। ଆକ୍ରମଣାତ୍ମକ କ୍ରିକେଟ୍କୁ ଉତ୍ସାହିତ କରୁଥିବା ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ଦିଗଦର୍ଶନ ବି ଏହି ଦଳକୁ ବିଶ୍ବ କ୍ରିକେଟ୍ରେ ନୂଆ ରୂପରେ ଉଭା କରିଛି। ଭାରତ କିନ୍ତୁ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ହେବା ପଥରେ ସେମିଫାଇନାଲ୍ରେ ଇଂଲଣ୍ଡକୁ ହରାଇଥିବାରୁ ଏହାର ବଦଲା ନେବାକୁ ଭ୍ରମଣକାରୀ ଦଳ ଆଶା ରଖିଥିବ। ଇଡେନ୍ ଗାର୍ଡେନ୍ସ ମଧ୍ୟ ସୂର୍ଯ୍ୟକୁମାର ୟାଦବ, ସଂଜୁ ସାମସନ୍, ରିଙ୍କୁ ସିଂହ ପ୍ରମୁଖଙ୍କ ପାଇଁ ବିଭିନ୍ନ ସମୟରେ ସଫଳତାର ଛାପ ରଖିଛି। ଟ୍ବେଣ୍ଟି-୨୦ କ୍ରିକେଟ୍ କ୍ରମେ ହାଇସ୍କୋରିଂ ହେବାରେ ଲାଗିଛି, ଇଡେନ୍ ଗାର୍ଡେନ୍ସ ବି ଏହି ଧାରାରେ ରହିଛି। ଗତବର୍ଷ ଆଇପିଏଲ୍ରେ ଏଠାରେ ୮ ଥର ୨୦୦ରୁ ଊର୍ଧ୍ବ ରନ୍ ସ୍କୋର୍ ହୋଇଛି। କେକେଆର୍ର ୨୬୧ ରନ୍ ପାଳିକୁ ବି ପଛରେ ପକାଇବା ଭଳି ରେକର୍ଡ କରିଥିଲା ପଞ୍ଜାବ କିଙ୍ଗ୍ସ। ଇଡେନ୍ ଗାର୍ଡେନ୍ସରେ ୨୦୨୪ ଆଇପିଏଲ୍ରେ ପଶ୍ଚାତଧାବନ ବେଳେ ୭ରୁ ୪ ଥର ବିଜୟୀ ହୋଇଛନ୍ତି।
ଅନ୍ତର୍ଜାତୀୟସ୍ତରରେ ଦେଖିଲେ ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରଠାରୁ ଭାରତ ୭ ଥର ୨୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ଅନ୍ୟ କୌଣସି ଦଳ ଏତେ ଥର କରିପାରିନାହାନ୍ତି। ଭାରତର ସାମଗ୍ରିକ ଷ୍ଟ୍ରାଇକରେଟ୍ ଶୀର୍ଷରେ (୧୫୮.୨୮) ଥିବାବେଳେ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ (୧୫୧.୬୬) ଦ୍ବିତୀୟରେ ରହିଛି। ଉଭୟ ଦଳ ବୁଧବାର ସଂଧ୍ୟାରେ ଇଡେନ୍ ଦର୍ଶକଙ୍କୁ ଢେର୍ ମନୋରଂଜନ ଯୋଗାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ୨୦୨୧ ମସିହା ପରଠାରୁ କିନ୍ତୁ ଇଡେନ୍ ଗାର୍ଡେନ୍ସରେ ୪ରୁ ୩ଟି ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ଛାଡ଼ି ଅନ୍ୟ ସମସ୍ତ ଖେଳାଳି ପରୀକ୍ଷିତ ଅଛନ୍ତି। ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ ପରଠାରୁ ସାମି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି। ତାଙ୍କ ଉପରେ ନିଶ୍ଚିତ ନଜର ରହିବ। ଜୋସ୍ ବଟଲରଙ୍କୁ ସାମି ୧୧ ଟ୍ବେଣ୍ଟି-୨୦ ପାଳିରେ ୩ ଥର ଆଉଟ୍ କରିଛନ୍ତି। ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ବି ୨ ଥର ଲେଖାଏଁ ବଟଲରଙ୍କୁ ଆଉଟ୍ କରିବାର ସ୍ମୃତି ରଖିଛନ୍ତି। ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରମଧ୍ୟରେ ଅର୍ଶଦୀପ ସିଂହ ୨୦୨୪ରୁ ଅଗ୍ରଣୀ ଟ୍ବେଣ୍ଟି-୨୦ ବୋଲର୍ (୩୬ ୱିକେଟ୍) ହୋଇଥିବାରୁ ୨୦୨୫ରେ ବି ଏହାକୁ ଜାରି ରଖିବେ ଆଶା କରାଯାଉଛି। ଭାରତର ବ୍ୟାଟିଂ ନିଶ୍ଚିତ ସୂର୍ଯ୍ୟକୁମାର ୟାଦବ, ସଂଜୁ ସାମସନ୍ ଓ ତିଳକ ବର୍ମାଙ୍କ ବିସ୍ଫୋରକ ରୂପ ଉପରେ ନିର୍ଭର କରିବ। ହାର୍ଦିକ ପାଣ୍ଡ୍ୟା ତାଙ୍କ ପୁରୁଣା ଅଲରାଉଣ୍ଡ୍ ପ୍ରଦର୍ଶନ ଦେଖାଇ ପୁଣି ଥରେ ଚର୍ଚ୍ଚାକୁ ଫେରିବାକୁ ଆସିପାରନ୍ତି। କାରଣ ତାଙ୍କୁ ଉପଅଧିନାୟକ ପଦ ବି ହରାଇବାକୁ ପଡ଼ିଛି। ଅକ୍ଷର ପଟେଲ୍ ଉପଅଧିନାୟକ ଭାବେ ପଦାର୍ପଣ କରିବେ ଏହି ଶୃଙ୍ଖଳାରେ।
ଇଂଲଣ୍ଡ ବିପକ୍ଷରେ ଖେଳିବା ସବୁବେଳେ ଆହ୍ବାନପୂର୍ଣ୍ଣ ଥାଏ। ସେମାନେ ସବୁ ଫର୍ମାଟରେ ଭଲ। ତାଙ୍କ ଭଳି ଟ୍ବେଣ୍ଟି-୨୦ରେ ବି ଆମେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ସାରିଛୁ। ବୋଲିଂ ବିଭାଗ ଦେଖିଲେ ଆମେ କିଛି ଭିନ୍ନ ଯୋଜନାରେ ରହିଛୁ ବୋଲି କହିଛନ୍ତି ଭାରତୀୟ ଦଳ ଅଧିନାୟକ ସୂର୍ଯ୍ୟକୁମାର ୟାଦବ। ‘‘କ୍ରିକେଟ୍ ଏତେ ଖେଳାଗଲାଣି ଯେ କିଛି ଖେଳାଳିଙ୍କୁ ବିଶ୍ରାମ ଦେବାକୁ ପଡ଼ିବ ଏବଂ ଏହାର ଦଳୀୟ ପରିଚାଳନାର ଏକ ଅଂଶବିଶେଷ। ଏହା କିନ୍ତୁ କାରଣ ନୁହେଁ, ଆମେ ବି ପୂର୍ଣ୍ଣକ୍ଷମତାର ଦଳ ସହ ଆସିଛୁ’’ ବୋଲି କହିଛନ୍ତି ଜୋସ୍ ବଟଲର୍।
ଭାରତ ଦଳ (ସମ୍ଭାବ୍ୟ ୧୧): ସଂଜୁ ସାମସନ୍ (ୱିକେଟ୍ରକ୍ଷକ), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି।
ଇଂଲଣ୍ଡ ଏକାଦଶ: ବେନ୍ ଡକେଟ୍, ଫିଲ୍ ସଲ୍ଟ (ୱିକେଟ୍ରକ୍ଷକ), ଜୋସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜ୍ୟାକବ୍ ବେଥେଲେ୍, ଜାମି ଓଭରଟନ୍, ଗସ୍ ଆଟ୍କିନ୍ସନ୍, ଜୋଫ୍ରା ଆର୍ଚର, ଆଦିଲ ରସିଦ୍, ମାର୍କ ଉଡ୍।