ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମି (ଏନ୍ସିଏ) କିଛି ଦିନ ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କ ନୂଆ ଘର ପାଲଟିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ମାଂସପେଶୀ ଜନିତ ଆଘାତ ପାଇବା ପରେ ଏବେ ଏନ୍ସିଏରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ସିଏରେ ଥିବା ସମୟର ଏକ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରି ‘ଏହା କିଛି ଦିନ ପାଇଁ ମୋର ଘର ହେବାକୁ ଯାଉଛି’ ବୋଲି ସେ ଉଲ୍ଲେଖ କରିଛନ୍ତି। କେବଳ ଜାଡ଼େଜା ନୁହନ୍ତି, କେଏଲ୍ ରାହୁଲ ମଧ୍ୟ ଆହତ ହୋଇଥିବାରୁ ବିଶାଖାପାଟଣା ଟେଷ୍ଟ୍ରେ ଖେଳିବେନି।
ଉଭୟ ଜାଡ଼େଜା ଓ ରାହୁଲ ଖେଳୁ ନଥିବାରୁ ଦ୍ବିତୀୟ ଟେଷ୍ଟ୍ରେ ପ୍ରତ୍ୟାବର୍ତ୍ତନ ପାଇଁ ଦଳ ଚୟନ କିପରି କରାଯିବ ତାହାକୁ ନେଇ ଦଳୀୟ ପରିଚାଳନା ମଣ୍ଡଳି ଚିନ୍ତାରେ ପଡ଼ିଲେଣି। ପ୍ରଥମ ଟେଷ୍ଟ୍ରେ ଜାଡ଼େଜା ଓ ରାହୁଲ ଶୀର୍ଷ ପ୍ରଦର୍ଶନକାରୀ ଥିଲେ। କିନ୍ତୁ ଏମାନଙ୍କ ଅନୁପସ୍ଥିତି ସହିତ ବିରାଟ କୋହଲି ଦଳରେ ନଥିବାରୁ ଭାରତୀୟ ଦଳକୁ କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ିପାରେ। ଏମାନଙ୍କ ସ୍ଥାନରେ ସର୍ଫରାଜ ଖାନ୍, ୱାସିଂଟନ୍ ସୁନ୍ଦର ଓ ସୌରଭ କୁମାରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। କିନ୍ତୁ ଚୂଡ଼ାନ୍ତ ଏକାଦଶରେ କିଏ ଖେଳିବ ତାହା ଦ୍ବନ୍ଦ୍ବ ଭିତରେ ରହିଛି। ହାଇଦ୍ରାବାଦରେ ଦଳ ସହିତ ଥିବା ରଜତ ପଟିଦାର ଚୂଡ଼ାନ୍ତ ଏକାଦଶକୁ ଆସିବା ସମ୍ଭାବନା ଅଧିକ। ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ ତୃତୀୟ ସ୍ପିନର ଭାବେ ସାମିଲ ହୋଇପାରନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଭଳି ଭାରତ ମଧ୍ୟ ୪ ସ୍ପିନରଙ୍କ ସହ ଜଣେ ଦ୍ରୁତ ବୋଲରଙ୍କୁ ନେଇ ଖେଳିପାରେ। ଏଭଳି ସ୍ଥିତିରେ କୁଲଦୀପ ଯାଦବଙ୍କୁ ମହମ୍ମଦ ସିରାଜଙ୍କ ସ୍ଥାନରେ ସୁଯୋଗ ମିଳିପାରେ ଏବଂ ମଧ୍ୟକ୍ରମକୁ ମଜବୁତ୍ କରିବା ପାଇଁ ସର୍ଫରାଜ ଖାନ୍ କିମ୍ବା ୱାସିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯାଇପାରେ।
ବସିର ପଦାର୍ପଣ କରିପାରନ୍ତି: ମ୍ୟାକଲମ୍
ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଇଂଲଣ୍ଡର ସୋଏବ୍ ବସିର ପଦାର୍ପଣ କରିପାରନ୍ତି। ସ୍ପିନରଙ୍କୁ ନେଇ ଇଂଲଣ୍ଡ ନିଜ ଆକ୍ରମଣ ମଜବୁତ୍ କରିବା ଲକ୍ଷ୍ୟରେ ଥିବା ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ କହିଛନ୍ତି। ବସିର ରବିବାର ଇଂଲଣ୍ଡ ଦଳ ସହିତ ଯୋଗ ଦେଇଛନ୍ତି। ପ୍ରଥମ ଶ୍ରେଣୀରେ ୬ ମ୍ୟାଚ୍ରୁ ୧୦ ୱିକେଟ୍ ନେଇ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ବିଶାଖାପାଟଣାରେ ପୂର୍ଣ୍ଣ ସ୍ପିନ୍ ଆକ୍ରମଣ ସହ ପଡ଼ିଆକୁ ଓହ୍ଲାଇବାକୁ ଇଂଲଣ୍ଡ ଯୋଜନା କରିଥିବାରୁ ବସିରଙ୍କ ପଦାର୍ପଣ ସମ୍ଭାବନା ବଢ଼ିଯାଇଛି। ଜ୍ୟାକ୍ ଲିଚ୍ଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କର ଫିଟ୍ନେସ୍ ତଥ୍ୟ ଏପର୍ଯ୍ୟନ୍ତ ଆସିନାହିଁ। ହାଇଦ୍ରାବାଦ୍ରେ ମାର୍କ ଉଡ୍ ଏକମାତ୍ର ଦ୍ରୁତ ବୋଲର ଭାବେ ଖେଳିଥିଲେ। ଜେମ୍ସ ଆଣ୍ଡରସନ୍, ଗସ୍ ଆଟକିନସନ୍ ଓ ଓଲି ରବିନସନ୍ ମ୍ୟାଚ୍ ଅପେକ୍ଷାରେ ଅଛନ୍ତି। କିନ୍ତୁ ଏହି ଶୃଙ୍ଖଳାରେ ଦ୍ରୁତ ବୋଲିଂ ଅପେକ୍ଷା ସ୍ପିନରଙ୍କ ଭରସାରେ ଇଂଲଣ୍ଡ ଖେଳିବ ବୋଲି ମ୍ୟାକଲମ୍ ସଙ୍କେତ ଦେଇଛନ୍ତି।
ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମ୍ରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟେଷ୍ଟ୍ ଖେଳାଯାଇଛି। ଏଠାକାର ପିଚ୍ ବ୍ୟାଟର୍ଙ୍କୁ ଅଧିକ ସୁହାଉଛି। ବିଶେଷ କରି ପ୍ରଥମ ପାଳିରେ ଅଧିକ ରନ୍ ସଂଗ୍ରହ ହୋଇଛି। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏଠାରେ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୫୦୨ ରନ୍ କରିଥିଲା। ମୟଙ୍କ ଅଗ୍ରୱାଲ୍ ଦ୍ବିଶତକ ସହିତ ରୋହିତ ଶର୍ମା ଦ୍ରୁତ ୧୭୬ ରନ୍ କରିଥିଲେ। ବର୍ତ୍ତମାନ ସ୍ଥିତିରେ କୁଲଦୀପଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ଫାଇଦାରେ ରଖିବ ବୋଲି ପୂର୍ବତନ କ୍ରିକେଟର୍ ଆଶା ରଖୁଛନ୍ତି। ଦ୍ବିତୀୟ ଟେଷ୍ଟ୍ର ପିଚ୍ରେ ବଲ୍ ଟର୍ଣ୍ଣ କରିପାରେ। ତେଣୁ ଅତିରିକ୍ତ ସ୍ପିନର ହିଁ ଭାରତକୁ ଆଗରେ ରଖିପାରିବ। ଇଂଲଣ୍ଡ ମଧ୍ୟ ସମାନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇପାରେ। ହେଲେ ସେମାନେ ତାଙ୍କ ରଣନୀତିରେ କୌଣସି ପରୀକ୍ଷା କରିବାକୁ ଚାହିବେନି ବୋଲି ପୂର୍ବତନ ସ୍ପିନର ଅନୀଲ କୁମ୍ବଲେ କହିଛନ୍ତି।