ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍ର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଇଂଲଣ୍ଡର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ଅଟକିବା ପୂର୍ବରୁ କ୍ରିସ ଓ୍ଵକ୍ସ ଶତକ (ଅପରାଜିତ ୧୨୦) ହାସଲ କରିଛନ୍ତି। ସାମ କୁରାନ ୨୨ ରନ୍ ଯୋଡ଼ି ଅପରାଜିତ ଅଛନ୍ତି। ୮୧ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିବା ପରେ ଇଂଲଣ୍ଡ ୨୫୦ ରନ୍ରେ ଅଗ୍ରଣୀ ରହିଛି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଖେଳି ଜନି ବେୟାରଷ୍ଟୋ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍ ଦେଇଥିଲେ। ଏହା ପୂର୍ବରୁ ବେୟାରଷ୍ଟୋ ୯୩ ରନ୍ ସଂଗ୍ରହ କରି ନେଇଥିଲେ। ଇଂଲଣ୍ଡର ଓପନ୍ର ଆଲିଷ୍ଟର କୁକ୍ ୨୧ ରନ୍, କିଏଟନ୍ ଜେନିଙ୍ଗସ୍ ୧୧ ରନ୍, ଅଧିନାୟକ ଜୋଏ ରୁଟ୍ ୧୯ ରନ୍, ଓଲାଇ ପୋପ୍ ୨୮ ରନ୍ ଓ ଜୋସ୍ ବଟଲର୍ ୨୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିିଳିଛି।
ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟ ହୋଇଥିଲା। ଭାରତୀୟ ବ୍ୟାଟସ୍ମ୍ୟାନ୍ମାନେ ୩୫.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳ ବନ୍ଦ ଥିବା ବେଳେ ୨ୟ ଦିବସରେ ଶୁକ୍ରବାର ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୨୯ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୫୭ଟି ବଲ ଖେଳି ୨୩ ରନ୍ ଯୋଡ଼ିଥିଲେ।