ଲିଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି। ଏଥିରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିବ। ଇଂଲଣ୍ଡ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପକେଟସ୍ଥ କରି ସାରିଥିବା ଭାରତ ଦିନିକିଆ ଶୃଙ୍ଖଳାରେ ମଧ୍ୟ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଗତ ସପ୍ତାହରେ ଟେ୍ଵଣ୍ଟି-୨୦ରେ ସମାନ ପରିସ୍ଥିତିରେ ପଡ଼ି ଭାରତ ତୃତୀୟ ତଥା ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇଥିଲା। ଏହାକୁ ଦୋହରାଇବା ଆଶାରେ ରହିଛି କୋହଲି ବାହିନୀ। ଲର୍ଡସ ଦିନିକିଆ ପରାଜୟ ପରେ ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା। ଏହି ଦୁର୍ବଳତାକୁ ଦୂର କରିପାରିଲେ ଭାରତ ଲଗାତାର ଦଶମ ଶୃଙ୍ଖଳା ବିଜୟ ହାସଲ କରିନେବ। ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଟେଷ୍ଟ୍ ପୂର୍ବରୁ ଭାରତକୁ ବି ମନୋବଳ ଯୋଗାଇବ। ଶନିବାରର ଲର୍ଡସ ବିଜୟ ସହ ଇଂଲଣ୍ଡ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ମାନ୍ୟତାକୁ ନିଶ୍ଚିତ କରିଥିଲା। ଭାରତ ମଙ୍ଗଳବାର ଜିତିଲେ କେବଳ ବ୍ୟବଧାନକୁ କମାଇପାରିବ। କିନ୍ତୁ ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ୍ ଆୟୋଜିତ ହେଉଥିବାରୁ ଭାରତ ପାଇଁ ଏ ବିଜୟ ଜରୁରି ରହିଛି।
ନଟିଂହାମ୍ରେ ୮ ଓ୍ଵିକେଟ୍ର ବୃହତ ବିଜୟ ପରେ ଲର୍ଡସରେ ୮୬ ରନର ପରାଜୟ ଭାରତର ଅସ୍ଥିର ପ୍ରଦର୍ଶନକୁ ପଦାରେ ପକାଇଛି। କିନ୍ତୁ ବିଗତ ଦୁଇ ବର୍ଷ ଭିତରେ ଭାରତ ଅନ୍ୟୁନ ଗୋଟିଏ ମ୍ୟାଚ୍ ହାରୁଥିଲେ ମଧ୍ୟ ନିର୍ଣ୍ଣାୟକ ମ୍ୟାଚ୍ ଜିତି ଏକାଧିକ ଶୃଙ୍ଖଳାରେ ସଫଳ ହେବା ଧାରାରେ ରହିିଛି। ୨୦୧୬ ମସିହା ଜାନୁଆରିରେ ଅଷ୍ଟ୍ରେଲିଆ ନିକଟରୁ ୧-୪ରେ ହାରିବା ପରଠାରୁ ଭାରତ ଘରେ ଓ ବାହାରେ ସୀମିତ ଓଭର ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍, ଶ୍ରୀଲଙ୍କାକୁ ଦୁଇ ଥର ଲେଖାଏଁ, ଜିମ୍ବାେଓ୍ଵ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଥରେ ଲେଖାଏଁ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଦିନିକିଆ ପ୍ରାଧାନ୍ୟକୁ ମଧ୍ୟ କୋହଲି ସେନା ଜାରି ରଖିବାକୁ ଚାହିଁବେ। ଭାରତ ୨୦୧୧ ମସିହା ପରଠାରୁ ଇଂଲଣ୍ଡ ନିକଟରୁ ଦିନିକିଆ ଶୃଙ୍ଖଳାରେ ହାରିନାହିଁ। ସେହିବର୍ଷ ୦-୩ରେ ହାରିବା ପରଠାରୁ ଇଂଲଣ୍ଡ ବିପକ୍ଷରେ ଭାରତ ୧୭ ମ୍ୟାଚ୍ ଖେଳି ୧୦ ଜିତିଛି। ୨୦୧୫ ମସିହାରୁ ଦିନିକିଆ କ୍ରିକେଟ୍ରେ କିନ୍ତୁ ଇଂଲଣ୍ଡର ଉତ୍ଥାନ ଘଟିଛି। ଗତବର୍ଷ ଜାନୁଆରିରେ ଘରୋଇ ମାଟିରେ ଭାରତ ୨-୧ରେ ଜିତିଥିବାବେଳେ ଏବେ ଚଳିତ ଶୃଙ୍ଖଳା ମଧ୍ୟ ସମାନ ସ୍କୋର୍ ଲାଇନ୍ରେ ସରିବା ନିଶ୍ଚିତ।
୩ୟ ଦିନିକିଆ: ଟସ୍ ଜିଣି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ
/sambad/media/post_attachments/wp-content/uploads/2018/07/virat-kohli.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)