ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

ନଟିଂହାମ୍‌ (ଲଣ୍ଡନ): ସଂପ୍ରତି ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ୍‌ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତାକାଲିଠାରୁ ଦିନିକିଆ ଶୃଙ୍ଖଳାକୁ ଓହ୍ଲାଇବ। ବିରାଟ କୋହଲି ଓ ଇଅନ୍‌ ମୋର୍ଗାନ୍‌ଙ୍କ ନେତୃତ୍ୱାଧୀନ ଉଭୟ ଦଳ ଗୁରୁବାର ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳିବେ। ଏହି ଗସ୍ତରେ ଉଭୟ ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଢଙ୍ଗରେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଆଧିପତ୍ୟ ଜମାଇବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିଥିବା ଇଂଲଣ୍ଡ ଘରୋଇ ମାଟିରେ ଶକ୍ତିଶାଳୀ ବ୍ୟାଟିଂକ୍ରମକୁ ନେଇ ଭାରତକୁ ପରାସ୍ତ କରିବା ଆଶାରେ ରହିଛି। ଏହି ଶୃଙ୍ଖଳା ମଧ୍ୟ ଆସନ୍ତାବର୍ଷ ଠିକ୍‌ ଏହି ସମୟରେ ହେବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ପାଇଁ ଶକ୍ତି ଓ ସାମର୍ଥ୍ୟ ପରଖିବାର ସୁଯୋଗ ରହିବ। କାରଣ ଉଭୟ ଇଂଲଣ୍ଡ ଓ ଭାରତ ଏବେ ଆଇସିସି ଦିନିକିଆ ମାନ୍ୟତାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଆଇସିସି ମାନ୍ୟତାର ଏହି ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଦିନିକିଆ ଶୃଙ୍ଖଳା ନିଶ୍ଚିତ ରୋମାଞ୍ଚକର ହେବ ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ ମତ ରଖିଛନ୍ତି। ୨୦୧୫ ବିଶ୍ୱକପ୍‌ ପରଠୁ ଇଂଲଣ୍ଡ ୬୯ ମ୍ୟାଚ୍‌ରୁ ୪୬ ଜିତି ୧୯ ହାରିଥିଲା ବେଳେ ସମାନ ସମୟ ମଧ୍ୟରେ ଭାରତ ୩୯ ମ୍ୟାଚ୍‌ ଜିତି ୧୯ରେ ପରାସ୍ତ ହୋଇଛି। ହେଲେ ଦିନିକିଆରେ ଇଂଲଣ୍ଡ ବୋଲରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ଦେଖାଯାଇଛି।

ଏହି ଗସ୍ତରେ ଖେଳିଥିବା ୫ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରୁ ଭାରତ ୨-୦ ଆୟର୍ଲାଣ୍ଡ୍‌କୁ ଏବଂ ୨-୧ରେ ଇଂଲଣ୍ଡକୁ ପରାସ୍ତ କରିସାରିଛି। ତେଣୁ ଦିନିକିଆ ଶୃଙ୍ଖଳା ଭାରତୀୟ ଦଳ କର୍ତୃପକ୍ଷଙ୍କ ପାଇଁ ପରୀକ୍ଷାର ବେଳ ଆଣିଛି। ଆଗାମୀ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଦଳୀୟ କର୍ତୃପକ୍ଷ ଇଂଲଣ୍ଡ ପରିବେଶରେ ଖେଳାଳିଙ୍କ ପ୍ରଦର୍ଶନକୁ ପରଖି ସନ୍ତୁଳିତ ଦଳ ବାଛିବାର ସୁଯୋଗ ପାଇବେ। ଲୋକେଶ ରାହୁଲ୍‌ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଆୟର୍ଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ରେ ୭୦ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେ୍ଵଣ୍ଟିରେ ଅପରାଜିତ ୧୦୧ ରନ୍‌ କରି ରାହୁଲ୍‌ ଦିନିକିଆ ଦଳର ଚୂଡାନ୍ତ ଏକାଦଶରେ ନିଜକୁ ଦାବିଦାର କରିଛନ୍ତି। ଉଭୟ ଶିଖର ଧାଓ୍ଵନ୍‌ ଓ ରୋହିତ ଶର୍ମା ପ୍ରାରମ୍ଭିକ ଯୋଡ଼ି ଭାବେ ପସନ୍ଦରେ ଆଗୁଆ ଥିବାରୁ ଅଧିନାୟକ ବିରାଟ କୋହଲି ତାଙ୍କ ୩ ନମ୍ବର ସ୍ଥାନ ସମ୍ଭବତଃ ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ର ଖ୍ୟାତି ବହନ କରିଥିବା ରାହୁଲ୍‌ଙ୍କୁ ଛାଡ଼ିଦେବେ। ଏଥି ସହିତ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ କୋହଲି ନିଜେ ୪ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ଏମାନଙ୍କ ବ୍ୟତୀତ ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନିଙ୍କ ସାଙ୍ଗକୁ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ ମଧ୍ୟକ୍ରମ ସମ୍ଭାଳିବା ପ୍ରାୟତଃ ନିଶ୍ଚିତ। ବୋଲିଂରେ ଦୁଇ ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ଏବଂ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବା କୁଲ୍‌ଦୀପ୍‌ ଯାଦବଙ୍କ ସ୍ଥାନ ସୁରକ୍ଷିତ ମନେ ହେଉଥିଲା ବେଳେ ଉମେଶ ଯାଦବଙ୍କ ସହ ଭୁବନେଶ୍ୱର କୁମାର ନୂଆ ବଲ୍‌ ଆକ୍ରମଣର ମଙ୍ଗ ଧରିବେ। ଅବଶ୍ୟ ଭୁବନେଶ୍ୱର ଯଦି ସଂପୂର୍ଣ୍ଣ ସୁସ୍ଥ ନହୁଅନ୍ତି, ତେବେ ତାଙ୍କ ବଦଳରେ ସିଦ୍ଧାର୍ଥ କୌଲ କିମ୍ବା ସାର୍ଦୁଲ ଠାକୁର ଖେଳିବେ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ କୋହଲି ସ୍ପଷ୍ଟ କରିଛନ୍ତି। ଗତବର୍ଷ ଜୁନ୍‌ରେ ଚାମ୍ପିଅନ୍‌ସ ଟ୍ରଫି ପରଠାରୁ ଭାରତ ଉଭୟ ଘରେ ଓ ବାହାରେ ମୋଟ ୨୭ ଦିନିକିଆ (େଓ୍ଵଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ) ଖେଳି ସାରିଥିଲା ବେଳେ ପ୍ରତ୍ୟେକ ମ୍ୟାଚ୍‌ରେ ଅତି କମ୍‌ରେ ଜଣେ କଚଟି ସ୍ପିନରଙ୍କୁ ଖେଳାଇଥିଲା। ସେମାନଙ୍କ ମଧ୍ୟରୁ କୁଲ୍‌ଦୀପ୍‌ ୨୦ ମ୍ୟାଚ୍‌ ଖେଳି ୩୯ ଏବଂ ଚହଲ୍‌ ୨୩ ମ୍ୟାଚ୍‌ ଖେଳି ୪୩ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ହେଲେ ଉଭୟଙ୍କୁ ଏବେ ଇଂଲଣ୍ଡରେ ପ୍ରକୃତ ପରୀକ୍ଷା ଦେବାକୁ ପଡ଼ିବ। ଭାରତ ତା’ର ଦିନିକିଆ ଇତିହାସରେ ୧୬ ଥର ୩୦୦ରୁ ଅଧିକ ରନ୍‌ କରିଥିଲା ବେଳେ ୪ ଥର ୩୫୦ରୁ ଅଧିକ ରନ୍‌ କରିସାରିଛି।

ଅନ୍ୟପକ୍ଷରେ ୫୦ ଓଭରିଆ ମ୍ୟାଚ୍‌ରେ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ବିଶେଷକରି ଜୋସ୍‌ ବଟ୍ଟଲର୍‌, ଜାସନ୍‌ ରୟ, ଆଲେକ୍ସ ହେଲ୍‌ସ, ଜନି ବେୟାରଷ୍ଟୋ ଓ ଇଅନ୍‌ ମୋର୍ଗାନ୍‌ଙ୍କୁ ନେଇ ବ୍ୟାଟିଂକ୍ରମ ଖୁବ୍‌ ଶକ୍ତିଶାଳୀ ରହିଥିଲା ବେଳେ ସେଥିରେ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଯୋଡ଼ିହୋଇଛନ୍ତି। ୨୦୧୫ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରଠାରୁ ଇଂଲଣ୍ଡ ଖେଳିଥିବା ୬୯ ଦିନିକିଆରୁ ୪୬ ବିଜୟ ପାଇଛି। ଏହି ଦଳ ଗତବର୍ଷ ଜାନୁଆରିରେ ଭାରତଠୁ ତା’ର ଶେଷ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିଥିଲା ବେଳେ ମଝିରେ ସ୍କଟ୍‌ଲାଣ୍ଡ୍‌ ନିକଟରୁ ଗୋଟିଏ ମ୍ୟାଚ୍‌ ହାରିଯାଇଥିଲା। ଏହାଛଡ଼ା ଦଳ ଖୁବ୍‌ ଲୟରେ ରହିଛି। ପୁଣି ଅଷ୍ଟ୍ରେଲିଆକୁ ୬-୦ରେ ପରାସ୍ତ କରି ମନୋବଳ ବୃଦ୍ଧି କରିସାରିଛି। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ୪୮୧ ରନ୍‌ ସହ ଦିନିକିଆରେ ସର୍ବୋଚ୍ଚ ସ୍କୋର୍‌ କରିବାରେ ବିଶ୍ୱ କୀର୍ତିମାନ କରିଥିବା ଇଂଲଣ୍ଡ ଚଳିତ ଶୃଙ୍ଖଳାରେ ଭାରତ ପାଇଁ ବଡ଼ ସ୍କୋର୍‌ କରିବାର ଆଭାସ ଦେଇଛି। ଇଂଲଣ୍ଡ ୬୯ ମ୍ୟାଚ୍‌ରୁ ୩୧ରେ ୩୦୦ରୁ ଅଧିକ ସ୍କୋର୍‌ କରିଛି। ଆଉ ସେଥିରୁ ୨୩ରେ ବିଜୟୀ ହୋଇଛି। ୧୧ ଥର ଇଂଲଣ୍ଡ ୩୫୦ରୁ ଅଧିକ ଏବଂ ୩ ଥର ୪୦୦ରୁ ଅଧିକ ରନ୍‌ କରି ପ୍ରତିପକ୍ଷ ପାଇଁ ଚେତାବନୀ ଛାଡ଼ିଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ୍‌, ରୋହିତ ଶର୍ମା, ଲୋକେଶ ରାହୁଲ୍‌, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟ୍‌ରକ୍ଷକ), ଦୀନେଶ କାର୍ତିକ, ସୁରେଶ ରାଇନା, ହାର୍ଦିକ୍‌ ପାଣ୍ଡ୍ୟା, କୁଲ୍‌ଦୀପ୍‌ ଯାଦବ, ୟୁଜ୍‌ବେନ୍ଦର ଚହଲ୍‌, ଶ୍ରେୟସ ଆୟର, ସିଦ୍ଧାର୍ଥ କୌଲ, ଅକ୍ଷର ପଟେଲ, ଉମେଶ ଯାଦବ, ସାର୍ଦୁଲ ଠାକୁର, ଭୁବନେଶ୍ୱର କୁମାର।

ଇଂଲଣ୍ଡ ଦଳ: ଇଅନ୍‌ ମୋର୍ଗାନ୍‌ (ଅଧିନାୟକ), ଜାସନ୍‌ ରୟ, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍ଟଲର୍‌ (ଓ୍ଵିକେଟ୍‌ରକ୍ଷକ), ମୋଇନ୍‌ ଅଲ୍ଲୀ, ଜୋଏ ରୁଟ୍‌, ଜାକ୍‌ ବାଲ୍‌, ଟମ୍‌ କୁରାନ୍‌, ଆଲେକ୍ସ ହେଲ୍‌ସ, ଲିଆମ୍‌ ପ୍ଲଙ୍କେଟ୍‌, ବେନ୍‌ ଷ୍ଟୋକ୍‌ସ, ଆଦିଲ ରସିଦ୍‌, ଡେଭିଡ୍‌ ଓ୍ଵିଲି, ମାର୍କ ଉଡ୍‌।

ସମ୍ବନ୍ଧିତ ଖବର