ଭାରତ-ଇଣ୍ଡିଜ୍ ପ୍ରଥମ ଟେଷ୍ଟ୍‌ ଆଜିଠୁ

ରାଜକୋଟ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଲଢ଼େଇ ଗୁରୁବାରଠାରୁ ରାଜକୋଟରେ ଆରମ୍ଭ ହେବ। ଏଥିରେ ବିଦେଶ ମାଟିରେ ଶୃଙ୍ଖଳା ହାରିବାର ଧାରାକୁ ବଦଳାଇ ପାରି ନଥିବା ଭାରତୀୟ କ୍ରିକେଟ୍ ଦଳ ଘରୋଇ ମାଟିରେ ତା’ର ଦବଦବା କାୟମ ରଖିବାକୁ ଚେଷ୍ଟା କରିବ। ସେହିଭଳି ମହତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ଥିବା ଦୋଷ ଦୁର୍ବଳତା ଚିହ୍ନଟ କରି ଏହାକୁ ଦୂର କରିବା ଲାଗି ପ୍ରୟାସ କରିବ। ଭାରତୀୟ ଦଳରେ ସୁଯୋଗ ପାଇଥିବା କେତେକ ଯୁବ ଖେଳାଳିଙ୍କୁ ମଧ୍ୟ ଏହି ଶୃଙ୍ଖଳା‌େର ନିଜ ପ୍ରତିଭାର ପରିଚୟ ଦେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ମିଳିବ। ଗତ ୯ ମାସ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡଠାରୁ ଶୃଙ୍ଖଳା ହାରିଛି। ତଥାପି ପୂର୍ବ ପ୍ରଦର୍ଶନ ଆଧାରରେ ଭାରତ ଏବେବି ଟେଷ୍ଟ୍‌ ମାନ୍ୟତାର ପ୍ରଥମ ସ୍ଥାନରେ ସ୍ଥିିର ରହିଛି। ୱେଷ୍ଟ୍‌ଇଣ୍ଡିଜକୁ ପରାସ୍ତ କରି ପାରିଲେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବିରାଟ କୋହଲି ବାହିନୀର ମନୋବଳ ବଢ଼ି ପାରିବ। କାରଣ ଅଷ୍ଟ୍ରେଲିଆରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଭଳି କଠିନ ପରୀକ୍ଷାର ସମ୍ମୁଖୀନ ହେବ। ଆଇସିସି ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍ ୨୦୦୨ ମସିହା ପରଠାରୁ ଭାରତଠୁ ଜିତି ନାହିଁ। ସେହିଭଳି ଭାରତ ମାଟିରେ ୧୯୯୪ ମସିହା ପରଠାରୁ ବିଜୟର ସ୍ବାଦ ଚାଖି ନାହିଁ।

ଦଳ ଚୟନ ମୋ କାମ ନୁହେଁ: କୋହଲି
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିବା କରୁଣ ନାୟାରଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋ‌ଇ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍ ଦିଆଯିବା ପରେ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ଏହି ବିବାଦ ଉପରେ ବୁଧବାର ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ସେ କହିଛନ୍ତି ଦଳ ଚୟନ ମୋ କାମ ନୁହେଁ। ଚୟନ ପ୍ରକ୍ରିୟା ଗୋଟିଏ ସ୍ଥାନରେ ହେଉନାହିଁ। ‌ଚୟନକର୍ତାମାନେ ଏହି ବିଷୟରେ ସ୍ପଷ୍ଟ କରି ସାରିଛନ୍ତି ମୁଁ ଏଥିନେଇ ଅଧିକ କିଛି କହିପାରିବିନି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନାୟରଙ୍କୁ ବିସିସିଆଇ ଚୟନ ସମିତି ମୁଖ୍ୟ ଏମ୍‌୍ଏସ୍‌େକ ପ୍ରସାଦ ରବିବାର ଭେଟି ଦଳରେ ସ୍ଥାନ ନମିଳିବାର କାରଣ କହି ସାରିଛନ୍ତି।

ପୃଥ୍ବୀ କରିବେ ପଦାର୍ପଣ
ଭାରତ ବୁଧବାର ରାଜକୋଟ ଟେଷ୍ଟ ଲାଗି ୧୨ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଫଳରେ ଘରୋଇ ମାଟିରେ ମୁମ୍ବାଇର ୧୮ ବର୍ଷୀୟ ତାରକା ପୃଥ୍ବୀ ସ’ ନିଜ ଟେଷ୍ଟ ଜୀବନ ଆରମ୍ଭ କରିବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ସ’ଙ୍କ ସହ ଲୋକେଶ ରାହୁଲ ପାଳି ଆରମ୍ଭ କରିବାର ମଧ୍ୟ ଶତ ପ୍ରତିଶତ ସମ୍ଭାବନା ରହିଛି। ଦଳୀୟ ଅଧିକାରୀମାନେ ଘ‌େରାଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରି ଆସିଥିବା ମୟଙ୍କ ଅଗ୍ରୱାଲଙ୍କ ବଦଳରେ ସ’ଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି। ଆର ଅଶ୍ବିନ, ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ସ୍ପିନ୍ ବାହିନୀର ମଙ୍ଗ ସମ୍ଭାଳିବେ। ମହମ୍ମଦ ସାମି ଓ ଉମେଶ ଯାଦବ ଦ୍ରୁତ ବୋଲିଂ ଦାୟିତ୍ବ ନେବେ। ଓଭାଲ ଟେଷ୍ଟରେ ୫୬ ରନ୍ କରିଥିବା ହନୁମା ବିହାରୀଙ୍କୁ ଦଳରେ ନିଆଯାଇ ନାହିଁ। ୱିକେଟ୍ ରକ୍ଷକ ଋଷବ ପନ୍ତ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ। ତା’ ପରେ ଜାଦେଜା ଆସିବେ। ବୁଧବାର ସ୍ଥାନୀୟ ଖେଳାଳି ଚେତେଶ୍ବର ପୂଜାରାଙ୍କ ସହ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ସ’ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ସେହିଭଳି ମ୍ୟାଚ୍ ପୂର୍ବ ସାମ୍ବଦିକ ସମ୍ମିଳନୀରେ ଅଧିନାୟକ କୋହଲି ସ’ ଗୁରୁବାର ଟେଷ୍ଟ ଜୀବନ ଆରମ୍ଭ କରିବେ ବୋଲି ସୂଚନା ଦେଇଥିଲେ।

ସଚିନଙ୍କ ବିଦାୟୀ ଶୃଙ୍ଖଳା ପରର ପ୍ରଥମ ମୁକାବିଲା
ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍ ୨୦୧୩ରେ ଭାରତରେ ଦ୍ବିପାକ୍ଷିକ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିଲା। ସେହି ଶୃଙ୍ଖଳା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଦାୟୀ ଶୃଙ୍ଖଳା ଥିଲା। ସେଥରର ଦଳ ଅପେକ୍ଷା ଚଳିତ ବର୍ଷ ଭାରତ ଆସିଥିବା ଇଣ୍ଡିଜ୍ ଦଳ କିନ୍ତୁ ଅପେକ୍ଷାକୃତ ଶକ୍ତିଶାଳୀ ମନେ ହେଉଛି। ପ୍ରଶିକ୍ଷକ ଷ୍ଟୁଆର୍ଟ ଲ’ଙ୍କ ତତ୍ତ୍ବାବଧାନରେ ମଧ୍ୟ ଇଣ୍ଡିଜ୍ ନିକଟ ଅତୀତରେ ଅପକ୍ଷାକୃତ ଭଲ କ୍ରିକେଟ୍ ଖେଳିଛି। ଗତବର୍ଷ ଇଣ୍ଡିଜ୍ ଲିଡ୍ସଠାରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ରେ ସାଇ ହୋପ୍ ମାତ୍ର ୧୧୮ ବଲ୍‌ରୁ ୧୪୭ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ସ୍ବଦେଶରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାକୁ ଇଣ୍ଡିଜ୍ ୧-୧ରେ ଅମୀମାଂସିତ ରଖିଥିଲା। ଏହା ପରେ ବାଂଲାଦେଶକୁ ୨-୦ରେ ହରାଇ ଏବେ ଭାରତ ଆସିଛି। ସମ୍ଭାବ୍ୟ ଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, କ୍ରେଗ୍ ବ୍ରାଥୱେଟ୍, ରଷ୍ଟନ୍ ଚେଜ୍, ସେନ୍ ଦାଓରିଚ୍, ସାନନ ଗାବ୍ରିଏଲ, ଜହମାର ହାମିଲଟନ୍, ସିମରାନ ହେଟମାୟାର, ସାଇ ହୋପ୍, ସେରମନ ଲୁଇସ୍, କେମୋ ପଲ୍, କେମର ରୋଚ୍ ।

ସମ୍ବନ୍ଧିତ ଖବର