ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଭାରତକୁ ପନ୍ତ୍‌-କାର୍ତ୍ତିକ ଚୟନ ଅଡ଼ୁଆ

ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଆଶଙ୍କା କ୍ଷୀଣ, ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ଇଂଲଣ୍ଡ ବିଫଳ

ଆଡିଲେଡ୍‌: ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ଚରଣର ଗୋଟିଏ ପାଦ ଦୂରରେ ରହିଛି ଭାରତ। ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବୁଧବାର ନ୍ୟୁଜିଲାଣ୍ଡ୍‌କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିସାରିଥିଲା ବେଳେ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଭାରତ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ସବୁଠୁ ପସନ୍ଦିତା ସ୍ଥାନ ଆଡିଲେଡ୍‌ ଓଭାଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଭାରତ ପାଖରେ ଫାଇନାଲ୍‌ ଖେଳିବା ସୁଯୋଗ ସୃଷ୍ଟି ହୋଇଛି। ଆଡିଲେ୍‌ଡ୍‌ରେ ଯଦିଓ ପୂର୍ବରୁ ସାମାନ୍ୟ ବର୍ଷା ହେଉଥିଲା, କିନ୍ତୁ ଗତ କିଛି ଦିନ ହେବ ଆକାଶ ସଫା ରହିଛି। ମ୍ୟାଚ୍‌ ଦିନ ବି ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲାରେ ଦର୍ଶକମାନଙ୍କର ଏକ ଭଲ ମନୋରଂଜନ ହେବା ନିଶ୍ଚିତ।

ଭାରତ ସପକ୍ଷରେ ଇତିହାସ
ଏହି ପଡ଼ିଆର ସ୍କୋୟାର ବାଉଣ୍ଡରୀ ଅନ୍ୟ ଦିଗ ଅପେକ୍ଷା ସାମାନ୍ୟ ଛୋଟ। ଭାରତ ମଧ୍ୟ ଏଠାରେ ବାଂଲାଦେଶ ବିପକ୍ଷରେ ସୁପର ୧୨ରେ ଏକ ମ୍ୟାଚ୍ ଖେଳିସାରିଛି। ତେଣୁ ଭାରତକୁ ସ୍ଥିତି ସହିତ ଖାପ୍‌ଖୁଆଇବାରେ କୌଣସି ଅସୁବିଧା ହେବନି। ବିଶେଷକରି ସୂର୍ଯ୍ୟକୁମାରଙ୍କୁ ସ୍କୁପ୍‌ ଓ ଅପରକଟ୍‌‌ ଖେଳିବା ପାଇଁ ଏହା ସହଜ ହେବ ଏବଂ ବିରାଟ କୋହଲିଙ୍କ ପସନ୍ଦିତା ପଡ଼ିଆ ହୋଇଥିବାରୁ ଆକଳନ ଭାରତ ସପକ୍ଷରେ ଯାଉଛି। ପୁଣି ଇଂଲଣ୍ଡ ପ୍ରଥମ ଥର ଏହି ପଡ଼ିଆରେ ଖେଳିବ। ଏହି ପଡ଼ିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପରାଜୟ ରେକର୍ଡ ୪-୨ ରହିଛି ଏବଂ ହାରାହାରି ପ୍ରଥମ ପାଳି ‌ସ୍କୋର ୧୫୭ ରନ୍‌ ରହିଛି। ଅନ୍ୟପକ୍ଷରେ ଏହି ଦୁଇ ଦଳ ପୂର୍ବରୁ ୨୨ଥର ଭେଟାଭେଟି ହୋଇଥିଲା ବେଳେ ଭାରତ ୧୨ ମ୍ୟାଚ୍‌ରେ ବିଜୟୀ ହୋଇଛି। ବିଶ୍ବକପ୍‌ରେ ଭାରତର ୨-୧ ବିଜୟ ରେକର୍ଡ ରହିଛି।

ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଆଶଙ୍କା କ୍ଷୀଣ
ଦୁଇ ଦିନ ପୂର୍ବରୁ ନେଟ୍ସରେ ଅଭ୍ୟାସ କରୁଥିଲା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଡାହାଣ ହାତରେ ବଲ୍‌ ବାଜିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ପୁଣି ସ୍ବାଭାବିକ୍‌ ସ୍ଥିତିକୁ ଫେରିଥିଲେ। ଏହି ଆଘାତ ସେତେଟା ଗୁରୁତର ନଥିଲା ଏବଂ ମ୍ୟାଚ୍‌ ପାଇଁ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି। ସେହିପରି ବୁଧବାର ଅଭ୍ୟାସ ବେଳେ କୋହଲି ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ନେଟ୍‌ସରେ ବ୍ୟାଟିଂ ବେଳେ ହର୍ଷଲ ପଟେଲଙ୍କ ବଲ୍‌ ତାଙ୍କ ଦେହରେ ବାଜିଥିଲା। ତେବେ ତାଙ୍କ ଆଘାତ ମଧ୍ୟ ଗୁରୁତର ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେ ମଧ୍ୟ ସେମିଫାଇନାଲ୍‌ ‌ଖେଳିବା ପାଇଁ ଉପବଲ୍‌ଧ ହେବେ। ‌‌ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଭୁବନେଶ୍ବର କୁମାରଙ୍କ ରେକର୍ଡ ବହୁତ ଭଲ ରହିଛି। ଏହି ଫର୍ମାଟ୍‌ରେ ଅଧିନାୟକ ଜୋସ୍‌ ବଟଲର୍‌ଙ୍କୁ ସେ ୫ଥର ଆଉଟ୍‌ କରିଛନ୍ତି। ପାୱାର ପ୍ଲେ ମଧ୍ୟରେ ଭୁବନେଶ୍ବରଙ୍କ ନେତୃତ୍ବରେ ଅର୍ଶଦୀପ ସିଂହ ମଧ୍ୟ ୱିକେଟ୍‌ ବାହାର କରିବାରେ ସଫଳ ହେଉଛନ୍ତି। ତେବେ ଏସବୁ ଭିତରେ ଭାରତ ଆଗରେ ୱିକେଟ୍‌ ରକ୍ଷକ-ବ୍ୟାଟର୍‌ଙ୍କୁ ଚୟନ କରିବା ବଡ଼ ଆହ୍ବାନ ହେବ। ପୂର୍ବରୁ ଦୀନେଶ କାର୍ତ୍ତିକ ସବୁ ମ୍ୟାଚ୍‌ରେ ଖେଳିଆସୁଥିଲେ। ହେଲେ ଜିମ୍ବାୱେ ବିପକ୍ଷରେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ମିଳିଥିଲା। ଉଭୟଙ୍କ ମଧ୍ୟରୁ କେହି ବି ବଡ଼ ରନ୍‌ ବାହାର କରିପାରିନାହାନ୍ତି। ସେମିଫାଇନାଲ୍‌ ପୂର୍ବରୁ କାର୍ତ୍ତିକ ଦୁଇ ଦିନ ତଳେ କିଛି ସମୟ ପାଇଁ ନେଟ୍ସରେ ସମୟ ବିତାଇଥିଲେ। ପନ୍ତ୍‌ ମଧ୍ୟ ଦୀର୍ଘ ସମୟ ଧରି ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସହିତ ସେ ଲମ୍ବା ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଆଦିଲ୍‌ ରସିଦ୍‌ଙ୍କ ସ୍ପିନ୍‌ ଆକ୍ରମଣକୁ ସାମ୍ନା କରିବା ପାଇଁ ପନ୍ତ୍‌ଙ୍କୁ ସୁଯୋଗ ଦେବାକୁ ଦଳ ଲକ୍ଷ୍ୟ ରଖିଥିବା ଅନୁମାନ କରାଯାଉଛି। ଏହାକୁ ଦେଖିଲେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।

ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ଇଂଲଣ୍ଡ ବିଫଳ
ଆହତ ଜନିତ ସମସ୍ୟା ଭିତରେ ଗତି କରୁଥିବା ଇଂଲଣ୍ଡ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବଡ଼ ଆହ୍ବାନ ହେବ। କାରଣ ଦାୱିଦ୍‌ ମଲାନ୍‌ ଓ ମାର୍କ ଉଡ୍‌ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି। ଗୁରୁବାର ସକାଳ ପର୍ଯ୍ୟନ୍ତ ଫିଟ୍‌ନେସ୍‌ ପ୍ରମାଣ ଦେବାକୁ ଉଭୟଙ୍କୁ ସମୟ ଦିଆଯାଇଛି। ତଥାପି ମଲାନ୍‌ଙ୍କ ଖେଳିବା ଉପରେ ସନ୍ଦେହ ଥିବାରୁ ଫିଲ୍‌ ସଲ୍ଟଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯିବା ସମ୍ଭାବନା ଅଧିକ ରହିଛି। ସେହିପରି ଆହତରୁ ଫେରିବା ପରେ ସାମ୍‌ କରନ୍‌ ମଧ୍ୟ ଜବରଦସ୍ତ ଲୟରେ ରହିଛନ୍ତି। ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟର୍‌ଙ୍କୁ ଡେଥ୍‌ ଓଭରରେ କରନ୍‌ଙ୍କୁ ସାମ୍ନା କରିବାକୁ ପଡ଼ିପାରେ। ଯଦିଓ ଏହି ଫର୍ମାଟ୍‌ରେ ପୂର୍ବରୁ ପାଣ୍ଡ୍ୟାଙ୍କୁ କରନ୍‌ ଦୁଇଥର ଆଉଟ୍‌ କରିସାରିଛନ୍ତି ତଥାପି ଭାରତୀୟ ବ୍ୟାଟର୍‌ ଯେଉଁ ଲୟରେ ଅଛନ୍ତି, ‌ଯେକୌଣସି ବୋଲର୍‌ଙ୍କୁ ଡେଥ୍‌ ଓଭରରେ ପ୍ରହାର କରିବାକୁ ପ୍ରସ୍ତୁତ ରହିଛନ୍ତି। ଏସବୁସତ୍ତ୍ବେ ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେଇନଥିବା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ସ୍ବୀକାର କରିଛନ୍ତି। ତେଣୁ ‌ଯେଉଁ ଭାଗ୍ୟ ବଳରେ ଦଳ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଛି, ଗୁରୁବାର ଅସଲ ପରୀକ୍ଷା ସମୟରେ ତାହା କାମ କରିବନି। ସେହିପରି ଷ୍ଟୋକ୍ସ ଓ କରନ୍‌ ‌ବଲ୍‌ରେ ଅଧିକ କରାମତି ଦେଖାଉଥିବାରୁ ଭାରତକୁ ବ୍ୟାଟିଂ ପାଇଁ ସୁଯୋଗ ଦେବା ପରେ ୧୫୦ ରନ୍‌ ଭିତରେ ରୋକିବାକୁ ଚେଷ୍ଟା କରିବେ। ପରେ ଏହାକୁ ପିଛା କରି ଦଳ ମ୍ୟାଚ୍‌ ଜିତିବାକୁ ଚାହିଁବ। ବଟ୍‌ଲର୍‌, ହେଲ୍‌ସ, ଲିଭିଙ୍ଗଷ୍ଟୋନ୍‌ ବଡ଼ ବଡ଼ ମ୍ୟାଚ୍‌ଗୁଡ଼ିକରେ ପିଛା କରି ଲକ୍ଷ୍ୟ ହାସଲ କରିବାରେ ମାହିର ହୋଇଛନ୍ତି।

ସମ୍ଭାବ୍ୟ ଭାରତ ୧୧: କେଏଲ୍‌ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଇଂଲଣ୍ଡ ୧୧: ଆଲେକ୍ସ ହେଲ୍‌ସ, ଜୋସ୍‌ ବଟଲର୍‌, ବେନ୍‌ ଷ୍ଟୋକ୍‌ସ, ହାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌, ମୋଇନ୍‌ ଅଲୀ, ଫିଲ୍‌ ସଲ୍ଟ, ସାମ୍‌ କରନ୍‌, କ୍ରିସ୍‌ ୱକ୍ସ, ଆଦିଲ୍‌ ରସିଦ୍‌, ମାର୍କ ଉଡ୍‌/ଡେଭିଡ୍‌ ୱିଲି।

ସମ୍ବନ୍ଧିତ ଖବର