ଭାରତ-ଇଂଲଣ୍ଡ ଶୃଙ୍ଖଳା: ବନ୍ଦ ଦ୍ବାର ଭିତ‌ରେ ପ୍ରଥମ ୨ ଟେଷ୍ଟ୍

ସଙ୍ଗରୋଧରେ ପ୍ରସ୍ତୁତ ହେବ ଇଂଲଣ୍ଡକୁ ହରାଇବା ରଣନୀତି

ଚେନ୍ନାଇ: ଆଉ‌ଟ୍‌ଡୋର କ୍ରୀଡ଼ା ଲାଗି କେନ୍ଦ୍ର ସରକାର ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ବନ୍ଦ ଦ୍ବାର ଭିତରେ ଖେଳାଯିବ। ଅର୍ଥାତ୍ ଚେନ୍ନାଇରେ ଫେବ୍ରୁଆରି ୫ରୁ ୯ ଏବଂ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଦୁଇ ଟେଷ୍ଟ୍ ଜୈବ ବଳୟ ଏବଂ ବିନା ଦର୍ଶକରେ ଖେଳାଯିବ। ଆୟୋଜକ ତାମିଲନାଡୁ କ୍ରିକେଟ୍ ସଂଘ ଶନିବାର ଏହି ସଙ୍କେତ ଦେଇଛି। ଏଥିନେଇ ସଂଘ ମଧ୍ୟ ଆନୁଷ୍ଠାନିକ ନିଷ୍ପତ୍ତି ନେଇସାରିଛି। ଚେନ୍ନାଇରେ ପ୍ରଥମ ଦୁଇ ଟେଷ୍ଟ୍ ଖେଳାଯିବା ପରେ ଏହି ପ୍ରତୀକ୍ଷିତ ଶୃଙ୍ଖଳାର ଶେଷ ଦୁଇ ଟେଷ୍ଟ୍ ଅହମ୍ମଦାବାଦରେ ଯଥାକ୍ରମେ ଫେବ୍ରୁଆରି ୨୪ରୁ ୨୮ ଏବଂ ମାର୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଦୁଇ ଟେଷ୍ଟ୍‌ରେ କିନ୍ତୁ ଦର୍ଶକକୁ ପ୍ରବେଶ ଅନୁମତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅହମ୍ମଦାବାଦରେ ମଧ୍ୟ ଦୁଇ ଦଳ ମଧ୍ୟରେ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଅନ୍ୟପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପୁନେରେ ଆୟୋଜିତ ହେବ। କୋଭିଡ୍ ସଙ୍କଟ ପରେ ଭାରତ ମଧ୍ୟ ପ୍ରଥମ ଥର ଲାଗି କୌଣସି ଅନ୍ତର୍ଜାତୀୟ ଦଳକୁ ଆତି‌ଥେୟତା ପ୍ରଦାନ କରିବ। ବିସିସିଆଇର ନିର୍ଦ୍ଦେଶରେ ହିଁ ପ୍ରଥମ ଦୁଇ ଟେଷ୍ଟ୍‌ରେ ଦର୍ଶକଙ୍କ ପ୍ରବେଶ ଉପରେ ଅଙ୍କୁଶ ଜାରି ହେବ ବୋଲି ତାମିଲନାଡୁ କ୍ରିକେଟ୍ ସଂଘର ସଂପାଦକ ଆର ରାମସ୍ବାମୀ କହିଛନ୍ତି। ଉଭୟ ଦଳ ଆସନ୍ତା ୨୭ ତାରିଖରେ ଚେନ୍ନାଇ ପହଞ୍ଚିବେ।

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ବହୁ ପ୍ରତୀକ୍ଷିତ ଶୃଙ୍ଖଳା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଚେନ୍ନାଇରେ ‌ଗୋଟିଏ ସପ୍ତାହ ସଙ୍ଗରୋଧରେ ରହିବ। ସଙ୍ଗରୋଧରେ ଥିଲା ବେଳେ ହିଁ ଆସନ୍ତା ଶୃଙ୍ଖଳାରେ ବିଶ୍ବ ବିଜୟୀ ଇଂଲଣ୍ଡକୁ କିଭଳି ଭା‌ବେ ହରାଇବ ସେ ଯୋଜନା କରିବ। ଭାରତର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଶନିବାର ଏହା କହିଛନ୍ତି। ସେ କହିଛନ୍ତି, ‘ଆମେ ଅଷ୍ଟ୍ରେଲିଆରେ ବହୁତ ଭଲ ପ୍ରଦର୍ଶନ କଲୁ। ଆମେ ଆମ ସଫଳତାର ପ୍ରତିଟି ମୁହୂର୍ତ୍ତ ଏବଂ ପ୍ରତ୍ୟେକ ଅଂଶକୁ ମନଭରି ଉପଭୋଗ ବି କରିଛୁ। ହେଲେ ଏବେ ଆମକୁ ଏହାକୁ ଭୁଲି ଆଗାମୀ ଶୃଙ୍ଖଳା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ। ଅତୀତ ନୁହେଁ ଭବିଷ୍ୟତକୁ ଆଖି ଆଗରେ ରଖିବାକୁ ପଡ଼ିବ। ଏହି ଶୃଙ୍ଖଳା ପାଇଁ ଯୋଜନା କରିବା ଲାଗି ଆମ ପାଖରେ ସମୟ ଅଛି। ସଙ୍ଗରୋଧ ବେଳେ ହିଁ ରଣନୀତିକୁ ଆହୁରି ଶାଣିତ କରିବୁ। ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ। ସେମାନଙ୍କୁ ହରାଇବା ଲାଗି ଆମକୁ ଆମ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ଆମ ପାଇଁ ସବୁ ମାଚ୍ ଗୋଟିଏ ଗୋଟିଏ ବଡ଼ ଆହ୍ବାନ। ଇଂଲଣ୍ଡକୁ ବି ଆମେ କୌଣସି ପରିସ୍ଥିତିରେ ହାଲ୍‌କା ଭାବେ ନେବୁନାହିଁ’’।

ଅଷ୍ଟ୍ରେଲିଆକୁ ଘାଇଲା କରିବାର ଯୋଜନା ଜୁଲାଇରୁ ହୋଇଥିଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ହରାଇ ନୂଆ ଇତିହାସ ରଚିବାର ପଟ୍ଟକଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ ହିଁ ଲେଖିଥିଲେ। ଏହି ବିଷୟରେ ଭାରତୀୟ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ବିସ୍ତୃତ ସୂଚନା କହିଛନ୍ତି ଯେ ଜୁଲାଇ ମାସରେ ଶାସ୍ତ୍ରୀ ଦିନେ ମୋ ପାଖକୁ ଆସି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଫ୍‌ଷ୍ଟମ୍ପରେ ବୋଲିଂ ନକରିବାର ଯୋଜନା ବିଷୟରେ କହିଥିଲେ। ଏଥିନେଇ ଆନୁଷ୍ଠାନିକ ସାରଣୀ ପ୍ରସ୍ତୁତ କରି ଆମେ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଜଣାଇଥିଲୁ। ପଡ଼ିଆ ଭିତରେ ଏହି ଯୋଜନାର ସଫଳ ରୂପାୟନ କରିବାକୁ ଆହ୍ବାନ କରିଥିଲୁ। ମେଲବର୍ନ ଟେଷ୍ଟ୍‌ର ପ୍ରଥମ ଏକ ଘଣ୍ଟାରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମିଡିଲ ଏବଂ ଲେଗ୍‌ରେ ବୋଲିଂ କରିବା, ଯଶପ୍ରୀତ ବୁମ୍‌ରା ଜୋ’ ବର୍ନସ ଏବଂ ୱିଲ୍ ପକସ୍କିଙ୍କୁ ସର୍ଟ ଏବଂ ଶାରୀରକୁ ଲକ୍ଷ୍ୟ କରି ବୋଲିଂ କରିବା‌ ଆଦି ଏହି ଯୋଜନାର ଅଂଶବିଶେଷ ଥିଲା। ୨୦୧୯-୨୦ ଗସ୍ତରେ ନ୍ୟୁଜିଲାଣ୍ଡ ବୋଲର ବିଶେଷ କରି ନିଲ୍ ୱାଗନର କଙ୍ଗାରୁ ବ୍ୟାଟର୍‌ଙ୍କ ପାଇଁ କରିଥିବା ଯୋଜନାରୁ ମଧ୍ୟ ଆମେ ଶିକ୍ଷା ନେଇଥିଲୁ। ସ୍ମିଥ୍ ଏବଂ ଲାବୁସେନଙ୍କ ଭଳି ଖେଳଳିଙ୍କୁ ପୁଲ୍, କଟ୍ ଆଦି ସଟ୍ ଖେଳିବାକୁ ଦେଇନଥିଲୁ। ଅଫ୍ ସାଇଡ୍‌ରେ ସେମାନେ ଯେଭଳି ରନ୍ କରିନପାରନ୍ତି, ସେ ଯୋଜନା କାର୍ଯ୍ୟକାରୀ କରିଥିଲୁ। ଲଗାତାର ମିଡିଲ ଏବଂ ଅଫ୍ ଷ୍ଟମ୍ପ୍‌ରେ ବୋଲିଂ କରି ଘାଇଲା କରିଥିଲୁ।

ସମ୍ବନ୍ଧିତ ଖବର