୩ୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ ଓ୍ଵିକେଟ୍‌, ଭାରତକୁ ୧୯୯ ରନ୍‌ ଟାର୍ଗେଟ ଦେଲା ଇଂଲଣ୍ଡ

ବ୍ରିଷ୍ଟଲ: ଇନିଂସ ଆରମ୍ଭରୁ ଭାରତ ଉପରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଶେଷ ଆଡ଼କୁ କ୍ରମାଗତ ଭାବରେ ଓ୍ଵିକେଟ ହରାଇଛି। ଟିମ୍‌ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ଟି ଓ୍ଵିକେଟ ମିଳିଛି। ୩ୟ ଟି-୨୦ରେ ଇଂଲଣ୍ଡ ୧୯୯ ରନ୍‌ ଭାରତକୁ ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଏହି ବିଜୟ ଲକ୍ଷ୍ୟ ମିଳିଛି।

ବ୍ରିଷ୍ଟଲର କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ରବିବାର ଇଂଲଣ୍ଡ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ଯୋଡ଼ି ପ୍ରଥମ ଓ୍ଵିକେଟ୍‌ ପାଇଁ ୯୪ ରନ ଯୋଡ଼ିଥିଲେ। ୨ୟ ଓ୍ଵିକେଟ ୧୦୩ ରନ୍‌ରେ ଜସନ ରୟ ଆଉଟ ହୋଇଥିବା ବେଳେ ୩ୟ ଓ୍ଵିକେଟ ୧୩୪ ରନ୍‌ରେ ଅଧିନାୟକ ଇଅନ ମୋର୍ଗାନ ପାଭଲିଅନ ଫେରିଥିଲେ। ସେହିପରି ୨ୟ ଟି-୨୦ରେ ହିରୋ ସାଜିଥିବା ଆଲେକ୍ସ ମଧ୍ୟ ବେଶୀ ସମୟ ଧରି କ୍ରିଜରେ ତିଷ୍ଠି ପାରି ନଥିଲେ। ଇଂଲଣ୍ଡର ସ୍କୋର ୧୪୦ ରନ୍‌ ଥିବା ବେଳେ ହେଲସ୍‌ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ୧୭୭ ରନ୍‌ରେ ୫ମ ଓ୍ଵିକେଟ, ୧୮୧ ରନ୍‌ରେ ୬ଷ୍ଠ ଓ୍ଵିକେଟ, ୧୮୩ ରନ୍‌ ୭ମ ଓ୍ଵିକେଟ, ୧୯୪ ରନ୍‌ରେ ୮ମ ଓ୍ଵିକେଟ ଓ ୧୯୮ ରନ୍‌ରେ ୯ମ ଓ୍ଵିକେଟ ହରାଇ ଥିଲା।

ଜସନ ରୟ ୩୧ଟି ବଲ ଖେଳି ୬୭ ରନ୍‌ ସଂଗ୍ରହ କରିବା ପରେ ଦୀପକ ଚହରଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ବଟଲର ୨୧ଟି ବଲ ଖେଳି ୩୪ ରନ୍‌ ସଂଗ୍ରହ କରିବା ପରେ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ପାଭଲିଅନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ହେଲସ୍‌(୩୦)। ସେ ଧୋନିଙ୍କୁ କ୍ୟାଚ ଦେଇଥିଲେ। ମୋର୍ଗାନ(୬) ମଧ୍ୟ ହାର୍ଦ୍ଦିକଙ୍କ ବଲକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର