ଭାରତରେ ଭାରତ-ଇଂଲଣ୍ଡ୍‌ ଟେଷ୍ଟ୍‌: ଇଂଲଣ୍ଡ ଉପରେ ଆଧିପତ୍ୟ ଆଶା

ରୁଟ୍‌ଙ୍କ ଶତକୀୟ ଟେଷ୍ଟ୍, ୩ ଜଣ ସ୍ପିନରଙ୍କୁ ନେଇପାରନ୍ତି କୋହଲି

ଚେନ୍ନାଇ, ୩ା୨: ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଅଷ୍ଟ୍ରେଲିଆ ଗସ୍ତର ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର ନଜର ଏବେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଉପରେ ରହିଛି। ଅଧିନାୟକ ବିରାଟ କୋହଲି ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ତେବେ କିଛି ଅଭିଜ୍ଞ ଫେରିବା ପରେ ଦଳୀୟ ଅଧିକାରୀମାନେ ଏବେ ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟ ଉପହାର ଦେଇଥିବା କିଛି ଯୁବ ଖେଳାଳି ଇଂଲଣ୍ଡ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ରହିଛି। ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ ଏବଂ ମହମ୍ମଦ ସାମି ଏବେ ବି ଶତ ପ୍ରତିଶତ ଫିଟ୍ ନଥିବାରୁ ଯୁବ ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳାରେ ଅବଶ୍ୟ କିଛି ସ୍ଥାନ ଖାଲି ରହିଛି। ତଥାପି କାହାକୁ ନେବେ, କାହାକୁ ନନେବେ ସେ ସଂଶୟ ଏବେ ବି ଅଧିକାରୀଙ୍କ ମନରେ ରହିଛି। ଶୁବମନ ଗିଲ୍ ଅଷ୍ଟ୍ରେଲିଆରେ କେତେକ ଦାୟିତ୍ବବାନ ପାଳି ଖେଳିବା ପରେ ଭାରତର ପ୍ରାରମ୍ଭିକ ଯୋଡ଼ି ସମସ୍ୟା ଆପାତତଃ ଦୂର ହୋଇଛି। ତା’ ସହ ଘରୋଇ ପରିବେଶରେ ଭାରତ ଗତ କିଛି ବର୍ଷ ହେବ ଚମତ୍କାର ପ୍ରଦର୍ଶନ କରି ଆସୁଛି। ଘରୋଇ ପରିବେଶରେ ଟିମ୍ ଇଣ୍ଡିଆ ଲଗାତାର ୧୨ ଶୃଙ୍ଖଳା ବିଜୟ ହାସଲ କରିଛି। ଖେଳିଥିବା‌ ଗତ ୩୫ ଟେଷ୍ଟ୍‌ରୁ ମାତ୍ର ଗୋଟିକରେ ପରାଜିତ ହୋଇଛି। ଇଂଲଣ୍ଡର ୨୦୧୬-୧୭ ଗସ୍ତରେ ମଧ୍ୟ ଭାରତ ୪-୦ରେ ଶୃଙ୍ଖଳା ମୂଳପୋଛ କରିଥିଲା। ସଂଯୋଗବଶତଃ ୨୦୧୨-୧୩ ଗସ୍ତରେ ଇଂଲଣ୍ଡ ହିଁ ଶେଷ ଥର ପାଇଁ ଭାରତକୁ ଭାରତରେ ପରାସ୍ତ କରିଥିଲା। ଇଂଲଣ୍ଡ ମଧ୍ୟ ଗତ ମାସରେ ଶ୍ରୀଲଙ୍କାକୁ ୨-୦ରେ ମୂଳପୋଛ କରି ଭାରତ ଆସିଛି। ତେବେ ବିଭିନ୍ନ ଫର୍ମାଟ୍‌ରେ ଖେଳାଳି ଅଦଳ ବଦଳ କରି ଖେଳିବା ହୁଏତ ଇଂଲଣ୍ଡ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ। ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପରେ ୱିକେଟ୍ ରକ୍ଷକ ଜୋସ୍ ବଟଲର ସ୍ବଦେଶ ଫେରିଯିବେ। ଜନି ବେୟାରଷ୍ଟୋ, ସାମ୍ କରନ ଓ ମାର୍କ ଉଡଙ୍କ ଭଳି ଖେଳାଳି କେବଳ ଶେଷ ଦୁଇ ଟେଷ୍ଟ୍ ଖେଳିବେ। ଅବଶ୍ୟ ଶ୍ରୀଲଙ୍କା ଶୃଙ୍ଖଳା ଖେଳିନଥିବା ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଏବଂ ପ୍ରାରମ୍ଭିକ ବ୍ୟାଟର୍‌ ରୋରି ବର୍ନସ ଦଳକୁ ଫେରିବା ନେଇ ଇଂଲଣ୍ଡ ଉତ୍ସାହିତ ଅଛି। ଭାରତ ଏହି ଶୃଙ୍ଖଳାକୁ ଅତି କମ୍‌ରେ ୨-୧ରେ ଜିତିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିବ। ଅନ୍ୟପକ୍ଷରେ ତିନିଟି ଟେଷ୍ଟ୍ ଜିତିଲେ ଇଂଲଣ୍ଡ ଫାଇନାଲ୍‌ ଖେଳିବ। ଶୃଙ୍ଖଳା ଅମୀମାଂସିତ ରହିଲେ ଭାରତ ଓ ଇଂଲଣ୍ଡକୁ ଚକ୍‌ମା ଦେଇ ଅଷ୍ଟ୍ରେଲିଆ ଫାଇନାଲ୍ ଟିକେଟ ହାସଲ କରିନେବ।

ରୁଟ୍‌ଙ୍କ ଶତକୀୟ ଟେଷ୍ଟ୍
ଭାରତ-ଇଂଲଣ୍ଡ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ନିଜ ଖେଳ ଜୀବନର ଶତକୀୟ ଟେଷ୍ଟ୍ ଖେଳିବେ। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ଶୃଙ୍ଖଳାରେ ଗୋଟିଏ ଲେଖାଏଁ ଦ୍ବିଶତକ ଓ ଶତକ ଅର୍ଜନ କରିଥିବା ରୁଟ୍ ଏବେ ସୁଦ୍ଧା ୯୯ ଟେଷ୍ଟ୍ ଖେଳି ୮୨୪୯ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୪ ଦ୍ବିଶତକ, ୧୯ ଶତକ ଏବଂ ୪୯ ଅର୍ଧଶତକ। ଆଧୁନିକ କ୍ରିକେଟ୍‌ର ଏହି ପ୍ରତିଭାବାନ ତାରକା ୨୦୧୨ ମସିହାରେ ନାଗପୁରଠାରେ ଭାରତ ବିପକ୍ଷରେ ହିଁ ଟେଷ୍ଟ୍ ପଦାର୍ପଣ କରିଥିଲେ। ଅମୀମାଂସିତ ରହିଥିବା ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ୭୩ ଏବଂ ଦ୍ବିତୀୟରେ ୨୦* ରନ୍ କରିଥିଲେ। ୧୯୯୦ ମସିହା ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ରୁଟ୍‌ଙ୍କୁ କୋହଲି, କେନ୍ ୱିଲିୟମସନ୍ ଏବଂ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ସହ ତୁଳନା କରାଯାଇଥାଏ।

ଅଷ୍ଟ୍ରେଲିଆରେ ଦ୍ରୁତ ବୋଲର ଭାରତକୁ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ ମଧ୍ୟ ଘରୋଇ ପରିବେଶରେ କୋହଲି ବାହିନୀ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାର ପୁରୁଣା ରଣନୀତିକୁ ଆପଣାଇପାରେ। କାରଣ ପ୍ରଥମ ଟେଷ୍ଟ୍ ଖେଳାଯିବାକୁ ଥିବା ଚେପକ୍ ପିଚ୍‌ରେ ପାରମ୍ପରିକ ଭାବେ ପ୍ରଥମ ଦିନ ଉଚ୍ଛାଳ ମିଳିଥାଏ। ଦ୍ବିତୀୟ ଏବଂ ତୃତୀୟ ଦିନରେ ଏଠାରେ ବ୍ୟାଟିଂ କରିବା ଅପେକ୍ଷାକୃତ ସହଜ ହୋଇଥାଏ। ଶେଷ ଦୁଇ ଦିନରେ କିନ୍ତୁ ବଲ୍ ତୁଳନାତ୍ମକ ଭାବେ ଅଧିକ ଘୂରିଥାଏ। ଏଣୁ ଭାରତ ଦଳରେ ଅଧିକ ସ୍ପିନରଙ୍କୁ ରଖିପାରେ। ଏହି କ୍ରମରେ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ପ୍ରଥମ ପସନ୍ଦର ବୋଲର ହେବେ। ଏହା ପରେ ଅଫ୍‌ସ୍ପିନର ୱାସିଂଟନ୍ ସୁନ୍ଦର ଏବଂ ବାମହାତୀ ପାରମ୍ପରିକ ସ୍ପିନର ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ଶ୍ରୀଲଙ୍କାର ବାମହାତୀ ସ୍ପିନର ଲସିଥ ଏମ୍ବୁଲଦେନିଆ ମାତ୍ର ଗୋଟିଏ ସପ୍ତାହ ତଳେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ବିପକ୍ଷରେ ଢେର ସଫଳତା ପାଇଥିବାରୁ ପଟେଲଙ୍କ ସପକ୍ଷରେ ନିଷ୍ପତ୍ତି ଯାଇପାରେ। ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଏବଂ ଋଷବ ପନ୍ତ ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ବୁଧବାର ଦଳ ସହ ଅଭ୍ୟାସ କରିବାକୁ ଯାଉଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ।

ପଣ୍ଟିଂଙ୍କ ବିଶ୍ବ କର୍ତ୍ତିମାନ ଭାଙ୍ଗିବେ କୋହଲି
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକାଧିକ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସମ୍ଭାବନା ରହିଛି। ଏହା ମଧ୍ୟରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ଶତକ କୀର୍ତ୍ତିମାନକୁ ପଛରେ ପକାଇବାର ଆଶା ରଖିଛନ୍ତି‌ କୋହଲି। ଉଭୟ ପଣ୍ଟିଂ ଏବଂ କୋହଲି ଏବେ ଅଧିନାୟକ ଭାବେ ସର୍ବାଧିକ ୪୧ ଅନ୍ତର୍ଜାତୀୟ ଶତକ ହାସଲ କରି ମିଳିତ ଶୀର୍ଷରେ ରହିଛନ୍ତି। ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍‌ ୩୩ ଶତକ ସହ ତୃତୀୟରେ ରହିଥିବା ବେଳେ ଷ୍ଟିଭେନ୍ ସ୍ମିଥ୍‌ ୨୦ ଶତକ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ମାଇକେଲ କ୍ଲାର୍କ ଏବଂ ବ୍ରାଏନ୍ ଲାରା ୧୯ ଲେଖାଏଁ ଶତକ ସହ ମିଳିତ ପଞ୍ଚମରେ ରହିଛନ୍ତି। ୩୨ ବର୍ଷୀୟ କୋହଲି ମଧ୍ୟ ଘରୋଇ ମାଟିରେ ସର୍ବାଧିକ ବିଜୟ ହାସଲ କରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିଯିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର