ବର୍ମିଂହାମରେ ଭାରତର ଜିତିବା ସ୍ୱପ୍ନ ତୁଟିଲା, ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩୧ ରନ୍‌ରେ ବିଜୟୀ

ବର୍ମିଂହାମ: ଭାରତ ୧୯୪ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୩୧ ରନ୍‌ରେ ଜିତିବା ସହିତ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ଲାଭ କରିଛି।

ଚତୁର୍ଥ ଦିନରେ ଭାରତ ୫/୧୧୦ ରନ୍‌ରୁ ବ୍ୟାଟିଂ କରିଥିବା ବେଳେ ମାତ୍ର ୫୨ ରନ୍‌ରେ ଶେଷ ୫ଟି ଓ୍ଵିକେଟ୍‌କୁ ହରାଇଥିଲା। କୋହଲି ଆଜି ୮ ରନ୍‌ ଓ ଦିନେଶ କାର୍ତ୍ତିକ ୨ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ଏକ ପ୍ରକାର ପରାଜିତ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଚୌକା ସହାୟତାରେ ୩୧ ରନ୍‌ ଯୋଡ଼ି ଦଳକୁ ବିଜୟ ଦେବାର ଆଶା ରଖିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ପୂରା ହୋଇ ପାରି ନାହିଁ। ମହମ୍ମଦ ସାମି କୌଣସି ରନ୍‌ ନକରି ଫେରିଥିବା ବେଳେ ଈଶାନ୍ତ ଶର୍ମା ୧୧ ରନ୍‌ ସଂଗ୍ରହ କରିଥିଲେ। ଶେଷ ବ୍ୟାଟସ୍‌ମ୍ୟାନ ଉମେଶ ଯାଦବ ୮ଟି ବଲ ସମ୍ମୁଖୀନ ହୋଇ କୌଣସି ରନ୍‌ କରି ନଥିଲେ।

ଭାରତ ୧୧୨ ରନ୍‌ରେ କାର୍ତ୍ତିକଙ୍କୁ ହରାଇଥିଲା। ସେହିଭଳି ୧୪୧ ରନ୍‌ରେ କୋହଲି ଓ ମହମ୍ମଦ ସାମିଙ୍କୁ ହରାଇବା ପରେ ଇଂଲଣ୍ଡର ମନୋବଳ ବଢ଼ି ଯାଇଥିଲା। ୧୫୪ ରନ୍‌ରେ ଈଶାନ୍ତ ଶର୍ମା ଆଉଟ୍‌ ହୋଇଥିଲେ।

୩ୟ ଦିନ ଶୁକ୍ରବାର ଓପନର ମୁରଲି ବିଜୟ ୬ ରନ୍‌, ଶିଖର ଧାଓ୍ଵାନ୍‌ ୧୩ ରନ୍‌, ଲୋକେଶ ରାହୁଲ ୧୩ ରନ୍‌, ଆଜିଙ୍କ୍ୟ ରାହାଣେ ୨ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୧୩ ରନ୍‌ ସଂଗ୍ରହ କରି ଆଉଟ୍‌ ହେବା ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ ପଡ଼ିଥିଲା। ଭାରତ ୧୯ ରନ୍‌ରେ ମୁରଲି ବିଜୟ, ୨୨ ରନ୍‌ରେ ଧାଓ୍ଵନ, ୪୬ ରନ୍‌ରେ ଲୋକେଶ ରାହୁଲ, ୬୩ ରନ୍‌ରେ ଆଜିଙ୍କ୍ୟ ରାହାଣେ ଓ ୭୮ ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହରାଇ ଥିଲା।

ସମ୍ବନ୍ଧିତ ଖବର