ଲଣ୍ଡନ: ୧୯୩୨ ମସିହା ଜୁନ୍ ୨୫ ତାରିଖରେ ଐତିହାସିକ ଲର୍ଡସ ପଡ଼ିଆରେ ପ୍ରଥମ ଟେଷ୍ଟ୍ ଖେଳିବା ଦିନରୁ ଭାରତୀୟ କ୍ରିକେଟ୍ ଦଳ ଆନୁଷ୍ଠାନିକ ଭାବେ ୧୭ ଥର ଇଂଲଣ୍ଡ ଗସ୍ତ କରିଛି। ସେଥିମଧ୍ୟରେ ମାତ୍ର ୬ ଟେଷ୍ଟ୍ରେ ବିଜୟୀ ହୋଇଛି। ତେବେ ୩ ଶୃଙ୍ଖଳା ଜିତିବାକୁ ସକ୍ଷମ ହୋଇଛି। ୧୯୩୨ର ପ୍ରଥମ ଟେଷ୍ଟ୍କୁ ୧୫୮ ରନ୍ରେ ହାରିଥିବା ଭାରତୀୟ ଦଳ ଦୀର୍ଘ ୩୯ ବର୍ଷ ପରେ ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ୍ ବିଜୟ ହାସଲ କରିଥିଲା। ୧୯୭୧ରେ ଅଜିତ ଓ୍ଵାଦେକରଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ଭାରତୀୟ ଦଳ ପ୍ରଥମ ଦୁଇ ଟେଷ୍ଟ୍ ଅମୀମାଂସିତ ରଖିବା ପରେ ତୃତୀୟ ଟେଷ୍ଟ୍ ଜିତି ଇତିହାସ ରଚିଥିଲା। ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ୍ ଏବଂ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଏହାର ୧୫ ବର୍ଷ ପରେ ଆର୍ଥାତ୍ ୧୯୮୬ ଗସ୍ତରେ କିନ୍ତୁ ପୂରା ଆଧିପତ୍ୟ ବିସ୍ତାର କରିଥିଲା। କପିଳ ଦେବଙ୍କ ନେତୃତ୍ୱରେ ଯାଇଥିବା ଭାରତୀୟ ଦଳ ଦିଲିପ ଭେଙ୍ଗସରକାରଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ପ୍ରଥମ ଦୁଇ ଟେଷ୍ଟ୍କୁ ଜିତି ନେଇଥିଲା। ତୃତୀୟ ଟେଷ୍ଟ୍ ଅମୀମାଂସିତ ରହିଥିଲା। ହେଲେ ଭାରତ ପ୍ରଥମ ଥର ପାଇଁ ୨-୦ରେ ଶୃଙ୍ଖଳା ବିଜୟୀ ହୋଇଥିଲା। ଏହା ପରର ବିଜୟ ପାଇଁ ଭାରତକୁ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ୧୬ ବର୍ଷ ପରେ ପରବର୍ତୀ ବିଜୟ ପାଇଥିଲା। ୨୦୦୨ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ଭାରତୀୟ ଦଳ ସେହି ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଥିଲା। ୪ ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଇଂଲଣ୍ଡ ଜିତିଥିଲା। ଅନ୍ୟପକ୍ଷରେ ତୃତୀୟ ମୁକାବିଲାକୁ ପାଳି ଏବଂ ୪୬ ରନ୍ରେ ଜିତି ଭାରତ ଶୃଙ୍ଖଳା ସମାନ ସ୍ତରକୁ ନେଇ ଆସିଥିଲା। ବଳକା ଦୁଇ ମ୍ୟାଚ୍ (ଦ୍ୱିତୀୟ ଓ ଚତୁର୍ଥ) ଅମୀମାଂସିତ ରହିଥିଲା। ୨୦୦୭ରେ ରାହୁଲ ଦ୍ରାବିଡ ଭାରତକୁ ପଞ୍ଚମ ଟେଷ୍ଟ୍ ବିଜୟ ଉପହାର ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ତିନି ଟିକିଆ ଶୃଙ୍ଖଳା ଖେଳି ଏହାକୁ ୧-୦ରେ ଜିତି ନେଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ୨୦୧୧ ଗସ୍ତ କରି ଅବଶ୍ୟ ଲଜ୍ଜାଜନକ ଭାବେ ୦-୪ରେ ଶୃଙ୍ଖଳା ହାରିଥିଲା। ସେହିଭଳି ୨୦୧୪ରେ ସେହି ଧୋନିଙ୍କ ନେତୃତ୍ୱରେ ଯାଇ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୩ରେ ପରାଜିତ ହୋଇଥିଲା। ଭାରତୀୟ ଦଳ ପ୍ରଥମ ଟେଷ୍ଟ୍କୁ ଅମୀମାଂସିତ ରଖିଥିଲା। ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ୍କୁ ହାରିବା ପରେ ଚତୁର୍ଥରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଥିଲା। ହେଲେ ପଞ୍ଚମ ମ୍ୟାଚ୍କୁ ଜିତି ଇଂଲଣ୍ଡ ୩-୧ରେ ଶୃଙ୍ଖଳା ଜିତି ନେଇଥିଲା।
୧୯୧୧ରେ ଅଣଆନୁଷ୍ଠାନିକ ପ୍ରଥମ ଗସ୍ତ
୧୯୩୨ର ଆନୁଷ୍ଠାନିକ ଟେଷ୍ଟ୍ର ବହୁ ପୂର୍ବରୁ ଅର୍ଥାତ୍ ୧୯୧୧ ମସିହାରେ ଅଣଆନୁଷ୍ଠାନିକ ଭାବେ ଏକ ଭାରତୀୟ ଦଳ ପ୍ରଥମ ଥର ପାଇଁ ଇଂଲଣ୍ଡ ଗସ୍ତ କରିଥିଲା। ପାତିଆଲାର ମହାରାଜା ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ଭାରତୀୟ ଦଳ ସେଠାରେ ୨୩ ମ୍ୟାଚ୍ ଖେଳିଥିଲା। ସେଥିମଧ୍ୟରୁ ୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଥିଲା। ଭୂପିନ୍ଦର ସିଂହଙ୍କ ଦଳ ମାତ୍ର ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଜିତିବା ସହ ଦୁଇଟିକୁ ଅମୀମାଂସିତ ରଖିଥିଲା। ବଳକା ୧୦ ମ୍ୟାଚ୍ରେ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ବାମହାତୀ ସ୍ପିନର ପଲଓ୍ଵାଁକର ବାଲୁ ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୨୦.୧୨ ହାରରେ ୭୫ ଓ୍ଵିକେଟ୍ ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସଂପୂର୍ଣ୍ଣ ଗସ୍ତରେ ସେ ଆଶ୍ଚର୍ଯ୍ୟଜନକ ଭାବେ ୧୧୪ ଓ୍ଵିକେଟ୍ କରାୟତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/bcci.jpg)