ହାଇଦ୍ରାବାଦ: ଗୁରୁବାରଠୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯିବ। ତେବେ ପ୍ରଥମ ଥର ପାଇଁ ଟେଷ୍ଟ୍‌ ବିଶେଷଜ୍ଞ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ପ୍ରଶିକ୍ଷଣରେ ଗତ ଦେଢ଼ ବର୍ଷ ମଧ୍ୟରେ ଇଂଲଣ୍ଡ ଦଳରେ ଅନେକ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଶେଷକରି ଆକ୍ରମଣାତ୍ମକ ଖେଳିବା ପାଇଁ ବାଜ୍‌ବଲ୍‌ର ପ୍ରୟୋଗ ଦଳକୁ ସବୁଠୁ ଅଧିକ ସଫଳତା ଦେଇଛି। ତେଣୁ ଏଭଳି ସ୍ଥିତିରେ ଇଂଲଣ୍ଡର ବାଜ୍‌ବଲ୍‌କୁ ଭାରତୀୟ ବ୍ୟାଟର୍‌ କିପରି ସାମ୍ନା କରୁଛନ୍ତି, ତାହା ଦେଖିବାକୁ ହେବ।

Advertisment

ବାଜ୍‌ବଲ୍‌ ପ୍ରଭାବ
ମ୍ୟାକଲମ୍‌ ପ୍ରଶିକ୍ଷକ ଦାୟିତ୍ବ ନେବା ପରେ ଇଂଲଣ୍ଡ ୨୩ ମ୍ୟାଚ୍‌ରୁ ୧୪ ମ୍ୟାଚ୍‌ ଜିତିଛି। ଗତ ଦେଢ଼ବର୍ଷ ମଧ୍ୟରେ ଇଂଲଣ୍ଡ ମାତ୍ର ୬ ଟେଷ୍ଟ୍‌ ହାରିଛି। କିନ୍ତୁ ବେନ୍‌ ଷ୍ଟୋକ୍ସ ଇଂଲଣ୍ଡର ନେତୃତ୍ବ ନେବା ଦିନଠୁ ଦଳ ଗୋଟିଏ ବି ଟେଷ୍ଟ ହାରି ନାହିଁ। ଏହା ମଧ୍ୟରେ ପାକିସ୍ତାନରେ ୩-୦ ମୂଳପୋଛ ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା। ସେହିପରି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଶୃଙ୍ଖଳା ବିଜୟ ସହିତ ଭାରତ ସହିତ ୨-୨ ଅମୀମାଂସିତ ଓ ଆସେସ୍‌ ଶୃଙ୍ଖଳାରେ ଇଂଲଣ୍ଡ ପରାଜୟର ସାମ୍ନା କରିନାହିଁ। ତଥାପି ଇଂଲଣ୍ଡ ବର୍ତ୍ତମାନ ତାହାର ସବୁଠୁ କଠିନ ଟେଷ୍ଟ୍‌ ଖେଳିବାକୁ ଯାଉଛି। କାରଣ ଭାରତକୁ ଭାରତରେ ହରାଇବା ଇଂଲଣ୍ଡ ପକ୍ଷରେ ସହଜ ହେବନି।

ଭାରତର ଘରୋଇ ରେକର୍ଡ
ଭାରତ ଗତ ୧୨ ବର୍ଷ ମଧ୍ୟରେ ଯେତୋଟି ଘ ରୋଇ ଶୃଙ୍ଖଳା ଖେଳିଛି, କୌଣସିଥିରେ ହାରିନାହିଁ। ଏହା ମଧ୍ୟରେ ଅଷ୍ଟ୍ରେଲିଆକୁ ତିନିଥର, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କାକୁ ଦୁଇଥର ଲେଖାଏଁ ଏବଂ ଆଫଗାନିସ୍ତାନକୁ ଥରେ ପରାସ୍ତ କରିଛି। ଏପରିକି ଭାରତ ଶେଷ ଥର ପାଇଁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା। ୨୦୧୨/୧୩ ଋତୁରେ ଆଲିଷ୍ଟର କୁକ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ୨-୧ରେ ଭାରତକୁ ହରାଇଥିଲା। ଏହାପରଠୁ ୨୦୧୬-୧୭ରେ (୦-୪) ଓ ୨୦୨୦-୨୧ (୧-୩)ରେ ଇଂଲଣ୍ଡ ଶୃଙ୍ଖଳା ହାରିଥିଲା।

ଘରୋଇ ମ୍ୟାଚ୍‌ରେ ଭାରତର ସ୍ପିନ୍‌ ଆକ୍ରମଣ
ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବଙ୍କ ଘରୋଇ ମ୍ୟାଚ୍‌ରେ ଚମତ୍କାର ରେକର୍ଡ ରହିଛି। ଏମାନଙ୍କ ମଧ୍ୟରୁ ଅଶ୍ବିନ ସବୁଠୁ ଆଗରେ ରହିଆସୁଛନ୍ତି। ସେ ଭାରତରେ ୫୫ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ୩୩୭ ୱିକେଟ୍‌ ଅକ୍ତିଆର କରିଛନ୍ତି। ସବୁଠୁ ସଫଳ ସ୍ପିନର ଅନୀଲ କୁମ୍ବଲେ (୩୫୦)ଙ୍କ ପଛକୁ ଅଶ୍ବିନ ଆସୁଛନ୍ତି। ଏହି ଭେଟେରାନ୍‌ ସ୍ପିନର ୨୦.୮୭ହାର ଓ ୨.୬୮ ଇକୋନୋମିରେ ୨୬ଥର ୫ ୱିକେଟ୍‌ ଏବଂ ୬ଥର ୧୦ ୱିକେଟ୍‌ ସଫଳତା ପାଇଛନ୍ତି। ଅଶ୍ବିନଙ୍କ ସାଥୀ ସ୍ପିନର ଜାଡ଼େଜା ମଧ୍ୟ ଘରୋଇ ରେକର୍ଡରେ ପଛରେ ନାହାନ୍ତି। ସେ ୪୦ ଟେଷ୍ଟ୍‌ରୁ ୨୦.୪୫ ହଜାର ଓ ୨.୨୭ ଇକୋନୋମିରେ ୧୯୪ ୱିକେଟ୍‌ ନେଇଛନ୍ତି। ଏହି ସ୍ପିନ ଅଲରାଉଣ୍ଡର ୫୫୦ ଆନ୍ତର୍ଜାତିକ ୱିକେଟ୍‌ର ନିକଟତର ହୋଇଛନ୍ତି। ଏପରି କରିପାରିଲେ ସେ ସପ୍ତମ ଭାରତୀୟ ହୋଇପାରିବେ। ସେହିପରି ଅକ୍ଷର ୧୦ ଟେଷ୍ଟ୍‌ରୁ ୪୨ ୱିକେଟ୍‌ ଓ କୁଲଦୀପ ୪ ଟେଷ୍ଟରୁ ୧୬ ୱିକେଟ୍‌ ନେଇଛନ୍ତି। ତେଣୁ ଏଥର ଶୃଙ୍ଖଳାରେ ଭାରତର ସ୍ଥିତି ମ୍ୟାଚ୍‌ ପ୍ରଦର୍ଶନ ଉପରେ ନିର୍ଭର କରିବ। କାରଣ ୫ ମ୍ୟାଚ୍‌ରୁ ହାଇଦ୍ରାବାଦ, ଭାଇଜାଗ୍‌ ଓ ରାଞ୍ଚିରେ ସ୍ପିନ୍‌କୁ ସହାୟତା ଦେଉଥିବା ପିଚ୍‌ ପ୍ରସ୍ତୁତ କରାଯାଇଛି।

publive-image

ଅକ୍ଷର ନା କୁଲଦୀପ, କିଏ ହେବ ତୃତୀୟ ସ୍ପିନର?
ଭାରତୀୟ ଦଳରେ ଦୁଇ ଆଗଧାଡ଼ିର ସ୍ପିନର ଅଶ୍ବିନ ଓ ଜାଡ଼େଜା ଖେଳିବା ନିଶ୍ଚିତ। କିନ୍ତୁ ତୃତୀୟ ସ୍ପିନର ଭାବେ କାହାକୁ ଖେଳାଯିବ ତାହାକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗି ରହିଛି। ଅକ୍ଷର ପଟେଲ୍‌ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ପାଇଁ ଦଳୀୟ ପରିଚାଳନା ମଣ୍ଡଳୀ ମଧ୍ୟ ଅନେକ କସରତ କରିଛି। ତେବେ କୁଲଦୀପଙ୍କ ପାଖରେ ମିଶ୍ରଣ ଥିବା ବେଳେ ସେ ଜଣେ ପରିପକ୍ବ ବୋଲର। ତେଣୁ ହାଇଦ୍ରାବାଦ ସ୍ଥିତିରେ ସେ ଉପଯୁକ୍ତ ହୋଇପାରନ୍ତି। କିନ୍ତୁ ଅଶ୍ବିନ ଓ ଜାଡ଼େଜାଙ୍କ ଉପସ୍ଥିତି ପାଇଁ ସେ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନାହାନ୍ତି। ଅନ୍ୟପକ୍ଷରେ ସ୍ପିନ ଅଲରାଉଣ୍ଡର ଅକ୍ଷର ଭାରତୀୟ ବ୍ୟାଟିଂକୁ ଗଭୀରତା ପ୍ରଦାନ କରୁଛନ୍ତି। ଏଥିସହିତ ତାଙ୍କର ସ୍ଥିର ପ୍ରଦର୍ଶନ ଭାରତ ପାଇଁ ଉପଯୋଗୀ ହୋଇପାରେ। ତଥାପି ତୃତୀୟ ସ୍ପିନରଙ୍କୁ ବାଛିବା ଏତେଟା ସହଜ ନୁହେଁ ବୋଲି ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଇଂଲଣ୍ଡ ଏକାଦଶରେ ସ୍ପିନର ଭର୍ତ୍ତି
ହାଇଦ୍ରାବାଦ୍‌ ପିଚ୍‌ ସ୍ପିନରଙ୍କ ସପକ୍ଷରେ ଯିବାକୁ ଥିବାରୁ ଇଂଲଣ୍ଡ ଆଗୁଆ ଏହାର ଏକାଦଶ ଘୋଷଣା କରିଛି। ପିଚ୍‌ ଶୁଖିଲା ଥିବାରୁ ଦଳରେ ୩ଜଣ ଆଗଧାଡ଼ିର ସ୍ପିନରଙ୍କ ସହ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି। ଏହି ସ୍ପିନରମାନେ ୩୬ ଟେଷ୍ଟ୍‌ରେ ଏକାଠି ଖେଳି ସାରିଛନ୍ତି। ଏମାନଙ୍କ ବ୍ୟତୀତ ଲଙ୍କାସାୟରର ବାମହାତୀ ସ୍ପିନର ଟମ୍‌ ହାର୍ଟଲେ ଟେଷ୍ଟ୍‌ ପଦାର୍ପଣ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଖେଳି ନଥିବା ଓଲି ପୋପ୍‌, ବେନ୍‌ ଫୋକ୍ସ, ରେହାନ ଅହମଦ ଓ ଜାକ୍‌ ଲିଚ୍‌ ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ରବୀନ୍ଦ୍ର ଜାଡ଼େଜା, କେଏସ୍‌ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।
ଇଂଲଣ୍ଡ ଏକାଦଶ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଫୋକ୍ସ, ରେହାନ ଅହମଦ, ଟମ୍‌ ହାର୍ଟଲେ, ମାର୍କ ଉଡ୍‌, ଜାକ୍‌ ଲିଚ୍‌।

ବସିର୍‌ଙ୍କୁ ମିଳିଲା ଭିସା
ଇଂଲଣ୍ଡର ଯୁବ ସ୍ପିନର ସୋଏବ୍‌ ବସିରଙ୍କୁ ଶେଷରେ ଭାରତ ବିପକ୍ଷ ଶୃଙ୍ଖଳାରେ ଖେଳିବାକୁ ଭିସା ମିଳିଛି। ତେବେ ସେ ଚଳିତ ସପ୍ତାହର ଶେଷ ଆଡ଼କୁ ଦଳ ସହିତ ଯୋଗଦେବେ ବୋଲି ଇସିବି ପକ୍ଷରୁ କୁହାଯାଇଛି। ଆବୁଧାବିରୁ ବସିର୍‌ଙ୍କୁ ଭାରତୀୟ ଭିସା ନମିଳିବାରୁ ସେ ଇଂଲଣ୍ଡ ଫେରିଯାଇଥିଲେ। ମୁଖ୍ୟ ଦଳ ସହିତ ବସିର ଆସିପାରି ନଥିବାରୁ ଅଧିନାୟକ ବେନ୍‌ ଷ୍ଟୋକ୍ସ ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଥିଲା। ଜଣେ ବ୍ରିଟେନ୍‌ ନାଗରିକଙ୍କୁ ଭିସା ପ୍ରକ୍ରିୟା ବେଳେ ନିରପେକ୍ଷ ଭାବେ ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଶେଷରେ ବସିର୍‌ଙ୍କୁ ଭିସା ମିଳିଥିବାରୁ ଦ୍ବିତୀୟ ଟେଷ୍ଟ୍‌ ବେଳକୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି।

କୋହଲିଙ୍କ ସ୍ଥାନରେ ପଟିଦାର
ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ବିରାଟ କୋହଲି ଖେଳିବେନି। ତେଣୁ ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ବଦଳ ଖେଳାଳି ଭାବେ ଘୋଷଣା କରିଛି ବିସିସିଆଇ। କୋହଲି ଗତ ଦୁଇ ବର୍ଷ ଧରି କୌଣସି ଟେଷ୍ଟରେ ଅନୁପସ୍ଥିନ ନଥିଲେ। ଶେଷ ଥର ପାଇଁ ପିଠିରେ ଯନ୍ତ୍ରଣା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ସେ ବାହାରେ ବସିଥିଲେ। କୋହଲି ୨୦୧୪ରୁ ୨୦୨୨ ମଧ୍ୟରେ ୬୮ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଛନ୍ତି। ଅନ୍ୟପକ୍ଷରେ ପଟିଦାର ଟେଷ୍ଟ୍‌ କ୍ରିକେଟ୍‌ରେ ସଂପୂର୍ଣ୍ଣ ନୂଆ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିବା ପଟିଦାର ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅନୌପଚାରିକ ଟେଷ୍ଟରେ ୧୧୧ ଓ ୧୫୧ ରନ୍‌ ସଂଗ୍ରହ କରି ମୁଖ୍ୟ ଦଳରେ ସ୍ଥାନ ପାଇଛନ୍ତି।