ବର୍ମିଂହାମ: ବୁଧବାରଠାରୁ ଏଜବାଷ୍ଟନ୍ଠାରେ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଇଂଲଣ୍ଡର ୧,୦୦୦ତମ ଟେଷ୍ଟ୍ ହେବ। ଏହି ଐତିହାସିକ ଟେଷ୍ଟ୍କୁ ଜିତି ଇଂଲଣ୍ଡ ଶୃଙ୍ଖଳା ଆରମ୍ଭରୁ ଭ୍ରମଣକାରୀ ଭାରତକୁ ଚାପରେ ରଖିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଘରୋଇ ଦଳକୁ ଆରମ୍ଭରୁ ଏକ ଶକ୍ତ ଧକ୍କା ଦେବା ଯୋଜନାରେ ଥିବ। ମାଇଲଖୁଣ୍ଟ ଲଢ଼େଇ ପୂର୍ବରୁ ଉଭୟ ଦଳ ମଧ୍ୟରୁ କାହାର ପଲ୍ଲା ଭାରି ରହିବ, ଆସନ୍ତୁ ଜାଣିବା।
ମଜବୁତ ଦିଗ
ଭାରତ: ଅଧିନାୟକ ବିରାଟ କୋହଲି ଏବଂ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ଫର୍ମ ଭାରତର ମଜବୁତ ଦିଗ। କୋହଲି ନିଜ ଦମ୍ରେ ରନ୍ର ପାହାଡ଼ ସୃଷ୍ଟି କରିବାକୁ ପୂରା ସକ୍ଷମ। ଅନ୍ୟପକ୍ଷରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିବାରେ କୁଲଦୀପ ନିର୍ଣ୍ଣାୟକ ଭୂମିକା ନେଇ ପାରିବେ। ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା ଓ ହାର୍ଦିକ ପାଣ୍ଡ୍ୟା ବୋଲିଂ ସହ ଭଲ ବ୍ୟାଟିଂ ବି କରି ପାରିବେ। ମୁରଲୀ ବିଜୟ ମଧ୍ୟ ଭଲ ଫର୍ମରେ ଅଛନ୍ତି। ସେ ଅଭ୍ୟାସ ମ୍ୟାଚ୍ରେ ଶତକ ହାସଲ କରି ସାରିଛନ୍ତି।
ଇଂଲଣ୍ଡ: ଅଧିନାୟକ ଜୋ ରୁଟ୍, ଆଲେଷ୍ଟର କୁକ୍ ଏବଂ ଜୋସ୍ ବଟଲର ହେଉଛନ୍ତି ଇଂଲଣ୍ଡର ଶକ୍ତି। । ଏମାନେ ସମସ୍ତେ ଚମତ୍କାର ଫର୍ମରେ ଅଛନ୍ତି। ସ୍ପିନ୍କୁ ଭଲ ଭାବେ ବୁଝନ୍ତି। ମୋଇନ ଅଲ୍ଲୀ ବଲ୍ ଏବଂ ବ୍ୟାଟ୍ ଉଭୟରେ କମାଲ କରି ପାରନ୍ତି। ଏକ ନମ୍ବର ଟେଷ୍ଟ୍ ବୋଲର ଜେମ୍ସ ଆଣ୍ଡରସନ୍ ବି ଦଳରେ ଅଛନ୍ତି। ଘରୋଇ ପରିବେଶରେ ସେ ସବୁବେଳେ ବିପଜ୍ଜନକ ହୋଇଥାଆନ୍ତି। ଆଣ୍ଡରସନ୍ ଅବଶ୍ୟ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳି ନଥିଲେ।
ଦୁର୍ବଳତା
ଭାରତ: ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଏବଂ ଲୋକେଶ ରାହୁଲଙ୍କ ଅସ୍ଥିର ଫର୍ମ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଧାଓ୍ଵନ ଚଳିତ ଗସ୍ତର ତିନିଟି ଟେ୍ଵଣ୍ଟି-୨୦ରେ ମାତ୍ର ୧୯ ରନ୍ ଏବଂ ସମାନ ସଂଖ୍ୟକ ଦିନିକିଆରେ ୧୨୦ ରନ୍ କରିଛନ୍ତି। ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍ର ଉଭୟ ପାଳିରେ ସେ ଖାତା ଖୋଲି ପାରି ନଥିଲେ। ସେପଟେ ପୂଜାରା ଗତ ୮ ପାଳିରେ ଆଶାଜନକ ପ୍ରଦର୍ଶନ କରି ପାରି ନାହାନ୍ତି। ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ମାତ୍ର ୩୫ ରହିଛି।
ଇଂଲଣ୍ଡ: ଇଂଲିସ୍ ବ୍ୟାଟ୍ସମ୍ୟାନ୍ ସର୍ବଦା ଭାରତୀୟ ସ୍ପିନରଙ୍କ ସମ୍ମୁଖରେ ସଂଘର୍ଷ କରନ୍ତି। ଦିନିକିଆ ଶୃଙ୍ଖଳାର ଶେଷ ଦୁଇ ମ୍ୟାଚ୍ରେ ଜୋ ରୁଟ୍ଙ୍କୁ ଛାଡ଼ି ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ କୁଲଦୀପ ଯାଦବଙ୍କ ବୋଲିଂକୁ ବୁଝି ପାରି ନଥିଲେ। ପ୍ରଥମ ଟେଷ୍ଟ୍ରେ ଭାରତ ପାଖରେ କୁଲଦୀପଙ୍କ ଛଡ଼ା ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜାଙ୍କ ଭଳି ବୋଲର ମଧ୍ୟ ଅଛନ୍ତି।
ସାମଞ୍ଜସ୍ୟ
ଆଇସିସି ମାନ୍ୟତାର ଶ୍ରେଷ୍ଠ ୫୦ ଭିତରେ ଥିବା ପାଞ୍ଚ ଜଣ ଲେଖାଏଁ ବ୍ୟାଟ୍ସମ୍ୟାନ୍ ଉଭୟ ଦଳରେ ଅଛନ୍ତି। ଭାରତର ଚେତେଶ୍ୱର ପୂଜାରା ଷଷ୍ଠ, ଲୋକେଶ ରାହୁଲ ଅଷ୍ଟାଦଶ, ଅଜିଙ୍କ୍ୟ ରାହାଣେ ଊନ୍ନବିଂଶ, ମୁରଲୀ ବିଜୟ ୨୩ ଏବଂ ଶିଖର ଧାଓ୍ଵନ ୨୪ତମ ସ୍ଥାନରେ ଅଛନ୍ତି। ସେହିଭଳି ଇଂଲଣ୍ଡର ଜୋ ରୁଟ୍ ତୃତୀୟ, ଆଲେଷ୍ଟର କୁକ୍ ୧୩, ଜନି ବେୟାରଷ୍ଟୋ ୧୬, ବେନ୍ ଷ୍ଟୋକ୍ସ ୨୮ ଏବଂ ମୋଇନ ଅଲ୍ଲୀ ୪୩ତମ ସ୍ଥାନରେ ରହିଛନ୍ତି।
ଏଜ୍ବାଷ୍ଟନ୍ରେ ଭାରତ କେବେବି ଭଲ କରିନି
ବର୍ମିଂହାମର ଏଜ୍ବାଷ୍ଟନ୍ ପଡ଼ିଆରେ ଭାରତ କେବେବି ଭଲ ପ୍ରଦର୍ଶନ କରିନି। ଏହି ପଡ଼ିଆରେ ଭାରତ ଏ ପର୍ଯ୍ୟନ୍ତ ଅଧଡଜନେ ଟେଷ୍ଟ୍ ଖେଳି ସାରିଛି। ସେଥିରୁ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ପାରି ନାହିଁ। ଏଠାରେ ଖେଳିଥିବା ୬ ଟେଷ୍ଟ୍ରୁ ଭାରତ ୫ ହାରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ପଡ଼ିଆରେ ୧୯୬୭ ମସିହାରେ ପ୍ରଥମ ଟେଷ୍ଟ୍ ଖେଳା ଯାଇଥିଲା। ଏହା ମଧ୍ୟ ଏଜ୍ବାଷ୍ଟନ୍ରେ ଭାରତର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଥିଲା। ଇଂଲଣ୍ଡ ସେହି ମ୍ୟାଚ୍କୁ ୧୩୨ ରନ୍ରେ ଜିତି ନେଇଥିଲା।
କାହାର କେତେ ଦମ୍!:ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା
/sambad/media/post_attachments/wp-content/uploads/2018/07/bls-4.jpg)