ନୂଆଦିଲ୍ଲୀ: ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଲାଗି ଇଂଲଣ୍ଡରେ ପହଞ୍ଚି ସାରିଛି। ପ୍ରଥମ ଟେଷ୍ଟ୍ ହେଡିଂଲେରେ ଜୁନ୍ ୨୦ରୁ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଲାଗି ଅଙ୍କକଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଦୁଇ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଓ ଶାର୍ଦୁଳ ଠାକୁରଙ୍କୁ ନେଇ ଦଳ ଏବେ ଦ୍ବନ୍ଦ୍ବରେ ରହିଛି। ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦୁଇ ଅନୌପଚାରିକ ଟେଷ୍ଟ୍ରେ ଉଭୟ ଖେଳାଳି ନିଜ ନିଜର ଦମ୍ ଦେଖାଇଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟ୍ ପଦାର୍ପଣ କରିଥିବା ବ୍ୟାଟିଂ ଅଲ୍ରାଉଣ୍ଡର ନୀତୀଶ ଚମତ୍କାର ଖେଳିଥିଲେ। ସେଠାରେ ୫ ଟେଷ୍ଟ୍ ଖେଳିଥିବା ନୀତୀଶ ଇଂଲିସ୍ ପାଣିପାଗରେ ବାଉନ୍ସ ଓ ସିମ୍ ବୋଲିଂକୁ ମୁକବିଲା କରିବାକୁ ଅସୁବିଧାରେ ପଡ଼ୁଛନ୍ତି। କ୍ୟାଣ୍ଟରବୁରିରେ ନୀତୀଶ ପ୍ରଥମ ପାଳିରେ ବିଫଳ ହୋଇଥିଲା ବେଳେ ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ନର୍ଥହାମ୍ପଟନ୍ରେ ନୀତୀଶ ସିମ୍ ବଲ୍କୁ ଖେଳିବାରେ କସରତ କରିଥିଲେ। ଏହି ଦୁଇ ଟେଷ୍ଟ୍ରେ ବୋଲିଂରେ ମଧ୍ୟ ସେପରି ସଫଳତା ପାଇ ନଥିଲେ। ଅନ୍ୟପକ୍ଷରେ ଶାର୍ଦୁଳ ମୋଟ ୧୧ ଟେଷ୍ଟ୍ ଖେଳିଥିଲା ବେଳେ ଏହାମଧ୍ୟରୁ ୪ଟି ଇଂଲଣ୍ଡରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଶାର୍ଦୁଳଙ୍କ ବୋଲିଂ ସଫଳତା ଯେପରି ରହିଛି ସେ ଦଳରେ ପଞ୍ଚମ ବୋଲିଂ ବିକଳ୍ପ ଭାବେ ଖେଳିପାରିବେ। ଏଥିସହ ତାଙ୍କ ପାଖରେ ବ୍ୟାଟିଂରେ ପ୍ରଭାବ ପକାଇବାର କଳା ରହିଛି। ଏହି ଗୁରୁତ୍ବପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ନୀତୀଶ ଓ ଶାର୍ଦୁଳଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ, ସେକଥା ଭାରତୀୟ ମ୍ୟାନେଜ୍ମଣ୍ଟ୍କୁ ଚିନ୍ତାରେ ପକାଇଛି।
ଗିଲ୍ଙ୍କ ଫଟୋ ସୁଟ୍
ଇଂଲଣ୍ଡ ଗସ୍ତରେ ନିଜ ଖେଳ ଜୀବନର ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ଶୁବମନ ଗିଲ୍। ଏହି ଶୃଙ୍ଖଳା ଅବସରରେ ଗିଲ୍ଙ୍କ ଓପନିଂ ବ୍ୟାଟିଂ ସହ ତାଙ୍କ ନେତୃତ୍ବ ଶୈଳୀ ଉପରେ ମଧ୍ୟ ସାରା କ୍ରିକେଟ୍ ଦୁନିଆର ନଜର ରହିବ। ତେବେ ଆତ୍ମବିଶ୍ବାସରେ ଭରପୂର ଗିଲ୍ ପ୍ରଭାବୀ ପ୍ରଦର୍ଶନ ଏବଂ ବଳିଷ୍ଠ ନେତୃତ୍ବରେ ସମସ୍ତଙ୍କ ମନ ଓ ହୃଦୟ ଜିତିବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ଦଳର ଜୋର୍ଦାର୍ ଅଭ୍ୟାସ ଭିତରେ କିନ୍ତୁ ଗିଲ୍ ବୁଧବାର ବ୍ୟକ୍ତିଗତ ଭାବେ କିଛି ସମୟ ଫଟୋ ସୁଟ୍ ପାଇଁ କାଢ଼ିଥିଲେ। ୨୫ବର୍ଷୀୟ ଗିଲ୍ ଭାରତୀୟ ଅଧିନାୟକ ଭାବେ ଦଳୀୟ ପୋଷାକ ଓ ବ୍ଲେଜର୍ ପିନ୍ଧି ବିଭିନ୍ନ ପୋଜ୍ରେ ଫଟୋ ଉଠାଇଥିଲେ। କିଛି ଫଟୋକୁ ମଧ୍ୟ ବିସିସିଆଇ ତାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ପୋଷ୍ଟ୍ କରିଛି। ଏଥିରେ ଗିଲ୍ ବେଶ୍ ସ୍ମାର୍ଟ ଲାଗୁଛନ୍ତି। ଦୁଇ କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ବରିଷ୍ଠ ସ୍ପିନର୍ ଆର୍ ଅଶ୍ବିନ ଅବସର ନେଇ ସାରିଥିବାରୁ ଇଂଲଣ୍ଡ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ର ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଯାହାର କେନ୍ଦ୍ରସ୍ଥଳରେ ଗିଲ୍ ହିଁ ରହିବେ।
ଶାଣିତ କଲେ କ୍ଷେତ୍ରରକ୍ଷଣ ଶୈଳୀ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଅତ୍ୟନ୍ତ ଗୁରୁତ୍ବୂପର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍ ଦଳ ସେଠାରେ ଜୋର୍ଦାର୍ ପ୍ରସ୍ତୁତି ଚଳାଇଛି। ନୂଆ ଅଧିନାୟକ ଶୁବମନ ଗିଲ୍ଙ୍କ ନେତୃତ୍ବରେ ଘରୋଇ ଇଂଲଣ୍ଡକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିବା ଯୁବ ଭାରତୀୟ ଦଳ ବେହେନହାମ୍ ଷ୍ଟାଡିୟମ୍ରେ କ୍ଷେତ୍ରରକ୍ଷଣ ଶୈଳୀକୁ ଆହୁରି ଶାଣିତ କରିବା ଉପରେ ଜୋର୍ ଦେଇଥିଲା। କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପଙ୍କ ତୀକ୍ଷ୍ଣ ନଜର ତଳେ ଭାରତୀୟ ଖେଳାଳିମାନେ ବୁଧବାର ବିଭିନ୍ନ ଫିଲ୍ଡିଂ ବା କ୍ଷେତ୍ରରକ୍ଷଣ ଅଭ୍ୟାସ କରିଥିଲେ। ସେଥିମଧ୍ୟରେ ରହିଥିଲା କ୍ୟାଚିଂ ଡ୍ରିଲ୍, ଷ୍ଟମ୍ପକୁ ଲକ୍ଷ୍ୟ କରି ବଲ୍ ମାରିବା, ରନ୍ଆଉଟ୍ କରିବା ଦକ୍ଷତାକୁ ବଢ଼ାଇବା। ବିସିସିଆଇ ଭିଡିଓ ପ୍ରକାଶ କରି ପ୍ରଶଂସକଙ୍କୁ ଏହି ଅଭ୍ୟାସ ଅଧିବେଶନର ଝଲକ ଦେଖାଇଛି। ସେହିଭଳି ଡ୍ରେସିଂ ରୁମ୍ରେ ଭାରତୀୟ ଖେଳାଳିମାନେ ଗମାତ କରୁଥିବାର ଭିଡିଓ ମଧ୍ୟ ବିସିସିଆଇ ଛାଡ଼ିଛି। ଇଂଲଣ୍ଡ ପାଖରେ ବହୁତ ଭଲ ଭଲ ଖେଳାଳି ଥିଲେ ମଧ୍ୟ ଭାରତୀୟ ଦଳ ନିଜ ସ୍ବାଭାବିକ ଖେଳ ଉପରେ ଅଧିକ ଧ୍ୟାନ ଦେଉଥିବା ଜଣାପଡ଼ିଛି। ମଙ୍ଗଳବାର ବିସିସିଆଇ ପ୍ରକାଶ କରିଥିବା ଆଉ ଏକ ଭିଡିଓରେ ଉପଅଧିନାୟକ ଋଷଭ ପନ୍ତ ଅଭ୍ୟାସ କରୁଥିଲା ବେଳେ ଏକ ବିଶାଳ ଛକା ମାରି ଷ୍ଟାଡିୟମ୍ ଛାତ ଭାଙ୍ଗିବାର ଦୃଶ୍ୟକୁ ମଧ୍ୟ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।