ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦: ଏକାଦଶକୁ ଫେରିପାରନ୍ତି ପନ୍ତ, ପନ୍ତ ୭ସ୍ଥାନ ଉଠି ୭ରେ

ଚକ୍ରବର୍ତ୍ତୀ ପୁଣି ଫିଟନେସ୍ ପରୀକ୍ଷାରେ ବିଫଳ, ନଟରାଜନ୍‌ଙ୍କୁ ନେଇ ଆଶଙ୍କା

ଅହମଦାବାଦ: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଟେଷ୍ଟ୍ ଶୃଙ୍ଖଳା ଭଳି ଭାରତ ଏହି ସୀମିତ ଓଭର ଶୃଙ୍ଖଳାରେ ମଧ୍ୟ ବିଜୟବାନା ଉଡ଼ାଇବ ବୋଲି ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି। ଦଳୀୟ ଖେଳାଳିମାନେ ମଧ୍ୟ ନିଜ ନିଜ ପ୍ରତିଭା ମୁତାବକ ପ୍ରଦର୍ଶନ ଦେଇ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଦଳରେ ସ୍ଥାନ ପାଇବାର ଦାବିଦାରି ଉପସ୍ଥା‌ପନା କରିବାର ଲକ୍ଷ୍ୟ ରଖିଛନ୍ତି। ବିଶ୍ବକପ୍ ପୂର୍ବରୁ ଅବଶ୍ୟ ଏପ୍ରିଲ ମାସରେ ଖେଳାଯିବାକୁ ଥିବା ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ମନ ଜିତିବା ଲାଗି ସେମାନେ ଆଉ ଏକ ସୁଯୋଗ ପାଇବେ। ତଥାପି ଜାତୀୟ ଦଳରୁ କରିଥିବା ପ୍ରଦର୍ଶନକୁ ଚୟନକର୍ତ୍ତା ସବୁବେଳେ ଅଧିକ ଗୁରୁତ୍ବ ‌ଦେଉଥିବାରୁ ଇଂଲଣ୍ଡ ଶୃଙ୍ଖଳା ସେମାନଙ୍କ ପାଇଁ ନିଶ୍ଚିତ ଭାବେ ଢେର ଗୁରୁତ୍ବ ବହନ କରିବ।

ଏସବୁ ଭିତରେ କିନ୍ତୁ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପାଇଁ ଚୂଡ଼ାନ୍ତ ଦଳ ଚୟନ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ହାତରେ ଆବଶ୍ୟକତାଠାରୁ ଅଧିକ ବିକଳ୍ପ ଥିବାରୁ କାହାକୁ ନେବେ, କାହାକୁ ନ‌ ନେବେ ସେ ଚିନ୍ତା ଏବେ ଉଭୟଙ୍କୁ ଘାରିଛି। ତେବେ ଖରାପ ଫର୍ମ ପାଇଁ ସୀମିତ ଓଭର ଯୋଜନାରୁ ଆପାତତଃ ବାଦ୍ ପଡ଼ିଥିବା ଯୁବ ତାରକା ଋଷବ ପନ୍ତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ପରେ ପୁଣି ଥରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଚୂଡ଼ାନ୍ତ ଏକାଦଶକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଦଳୀୟ ଅଧିକାରୀମାନେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ତାଙ୍କୁ ଅଧିକ ସୁଯୋଗ ଦେବା ସପକ୍ଷରେ ଗଲେ ଇଂଲଣ୍ଡ ଶୃଙ୍ଖଳାରେ କେଏଲ୍ ରାହୁଲ ନୁହେଁ, ପନ୍ତ ୱିକେଟ୍ ରକ୍ଷଣ କରୁଥିବା ଦେଖିବାକୁ ମିଳିବେ। ପନ୍ତ ଚୂଡ଼ାନ୍ତ ଏକାଦଶରେ ରହିଲେ ଭାରତୀୟ ଦଳକୁ ମଧ୍ୟକ୍ରମରେ ଜଣେ ବାମହାତୀ ବ୍ୟାଟର୍‌ ବିକଳ୍ପ ମଧ୍ୟ ମିଳିଯିବ। ଏଭଳି ସ୍ଥିତିରେ ରାହୁଲ ଏବଂ ଶିଖର ଧାୱନଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରିବେ। ଆଇପିଏଲ୍ ଫର୍ମ ଦେଖିଲେ ରୋହିତ ଶର୍ମାଙ୍କ ସହ ରାହୁଲ ପାଳି ଆରମ୍ଭ କରିବାର ଆଶା ଅଧିକ। ତେବେ ବିଜୟ ହଜାରେ ଟ୍ରଫି‌ରେ ବିସ୍ଫୋରକ ୧୫୦ ରନ୍ ପାଳି ଖେଳି ଧାୱନ ମଧ୍ୟ ନିଜ ଦାବିଦାରି ଉପସ୍ଥାପନା କରି ସାରିଛନ୍ତି। ମଧ୍ୟକ୍ରମରେ ଅନ୍ୟତମ ଯୁବ ତାରକା ସୂର୍ଯ୍ୟକୁମାର ଯାଦବଙ୍କୁ ବି ସୁଯୋଗ ମିଳିପାରେ। ସୂଚନାଯୋଗ୍ୟ ଯେ ପନ୍ତ ଶେଷ ଥର ପାଇଁ ୨୦୨୦ ଜାନୁଆରି ୭ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳିଥିଲେ।

ସମ୍ବନ୍ଧିତ ଖବର