ଆଜିଠୁ ଭାରତ-ଇଂଲଣ୍ଡ ଟି-୨୦ ଶୃଙ୍ଖଳା: ନୂଆ ଫର୍ମାଟ୍, ପୁରୁଣା ଲକ୍ଷ୍ୟ

୧୪ ମ୍ୟାଚ୍: ଭାରତ ୭, ଇଂଲଣ୍ଡ ୭

ଅହମଦାବାଦ: ଟେଷ୍ଟ୍ ଶୃଙ୍ଖଳାକୁ ନିଜ ନାଁରେ କରିବା ପରେ ଟ୍ବେଣ୍ଟି-୨୦ରେ ମଧ୍ୟ ବିଜୟ ବାନା ଉଡ଼ାଇବାର ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟ୍ ଦଳ ପଡ଼ିଆକୁ ଓହ୍ଲାଇବ। ଆଉ ଶୁକ୍ରବାର ଏହି ଶୃଙ୍ଖଳାର ପ୍ରଥମ ଲଢ଼େଇ ସଂଧ୍ୟା ୭ଟାରୁ ଆରମ୍ଭ ହୋଇଯିବ। ନୂଆ ଫର୍ମାଟ୍‌, ନୂତନ ଉତ୍ସାହ ଏବଂ କିଛି ଯୁବ ହେଲେ ଆତ୍ମବିଶ୍ବାସରେ ଭରପୂର ଖେଳାଳିଙ୍କୁ ନେଇ ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ। ଦଳର ଲକ୍ଷ୍ୟ କିନ୍ତୁ ଅପରିବର୍ତ୍ତିତ ରହିବ। ଭ୍ରମଣକାରୀ ଇଂଲଣ୍ଡକୁ ପୁଣି ଥରେ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ପୂର୍ବରୁ ଏକ ଉପଯୁକ୍ତ ସନ୍ତୁଳିତ ଗଠନ କରିବା ମଧ୍ୟ ବିରାଟ ବାହିନୀର ଅନ୍ୟତମ ଲକ୍ଷ୍ୟ ହେବ। ଇଅନ ମୋର୍ଗାନଙ୍କ ନେତୃତ୍ବାଧୀନ ଇଂଲଣ୍ଡର ଟ୍ବେଣ୍ଟି-୨୦ ଦଳ କିନ୍ତୁ ବେଶ୍ ଶକ୍ତିଶାଳୀ। ସେହିଦୃଷ୍ଟିରୁ ଏହି ପ୍ରତୀକ୍ଷିତ ଶୃଙ୍ଖଳାରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ସଂପ୍ରତି ଇଂଲଣ୍ଡ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ଭାରତ ଦ୍ବିତୀୟରେ ରହିଛି। ଏହା ମଧ୍ୟ ଆଗାମୀ ଶୃଙ୍ଖଳାକୁ ଅଧିକ ରୋମାଞ୍ଚଭରା ଭରିଛି।

ଶୃଙ୍ଖଳାର ସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ସ୍ପିନର ଏହି ଷ୍ଟାଡିୟମ୍‌ରେ ଇଂଲଣ୍ଡକୁ ଧୂଳି ଚଟାଇଥିଲେ। ଟ୍ବେଣ୍ଟି-୨୦ କିନ୍ତୁ ଭାରତୀୟ ଦଳ ପାଇଁ ଭିନ୍ନ ଆହ୍ବାନ ନେଇ ଆସିବ। ଏଥିରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ କଳେ ବଳେ କୌଶଳେ ବଡ଼ ବଡ଼ ସଟ୍ ଖେଳିବାକୁ ଆପ୍ରଣ ଉଦ୍ୟମ କରିବେ। ଏଣୁ ଭାରତୀୟ ବୋଲରଙ୍କୁ ପୂରା ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ। ଟେଷ୍ଟ୍ ବିପରୀତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଏକ ବ୍ୟାଟିଂ ଉପଯୋଗୀ ପିଚ୍ ପ୍ରସ୍ତୁତ କରାଯାଇଥିବା କ୍ୟୁରେଟର ସୂଚନା ଦେଇଛନ୍ତି। ଦୁଇଟି ଯାକ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ବହୁଳ ଉପସ୍ଥିତି ଥିବାରୁ ଆସନ୍ତାକାଲି ପ୍ରଶଂସକ ଏକ ବିଶାଳ ସ୍କୋର ବିଶିଷ୍ଟ ମ୍ୟାଚ୍‌ ଦେଖିବାର ସମ୍ଭାବନା ଅଧିକ।

ଏଥର ଇଂଲଣ୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବ: କୋହଲି
ଭାରତ ଏବେ ଟେଷ୍ଟ୍‌ରେ ଏକ ନମ୍ବର ଦଳ। ଦିନିକିଆରେ ମଧ୍ୟ ଦଳର ପ୍ରଦର୍ଶନ ଉଚ୍ଚ‌େକାଟୀର ରହିଛି। ଟ୍ବେଣ୍ଟି-୨୦ ମାନ୍ୟତାରେ ବି ଟିମ୍‌ ଇଣ୍ଡିଆ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛି। ଏସବୁ ସହ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅକ୍ଟୋବର ମାସରେ ଭାରତରେ ଖେଳାଯିବାର ଅଛି। ଘରୋଇ ପରିବେଶ ସ‌େତ୍ତ୍ବ ଅଧିନାୟକ ବିରାଟ କୋହଲି କିନ୍ତୁ ବିଜେତା ହେବା ଲାଗି ନିଜ ବାହିନୀ ଉପରେ ଆସ୍ଥାପ୍ରକଟ କରିନାହାନ୍ତି। ବରଂ ଇଂଲଣ୍ଡକୁ ଫେବରିଟ୍‌ ଆଖ୍ୟା ଦେଇଛନ୍ତି, ଯାହା ପ୍ରଶଂସକଙ୍କୁ ବିସ୍ମିତ କରିଛି।

ଶୁକ୍ରବାରର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ କଥା ପଡ଼ିଲେ ରୋହିତ ଶର୍ମା, କେଏଲ୍ ରାହୁଲ ଓ ଶିଖର ଧାୱନଙ୍କ ରୂପରେ ଭାରତୀୟ ଦଳରେ ତିନି ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଥିବାରୁ ଆସନ୍ତାକାଲି କେଉଁ ଯୋଡ଼ି ପାଳି ଆରମ୍ଭ କରିବ ସେ ନେଇ ଘୋର ଦ୍ବନ୍ଦ୍ବ ଓ ସଂଶୟ ରହିଥିଲା। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ‌କୋହଲି କିନ୍ତୁ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ରୋହିତ ଓ ରାହୁଲ ପାଳି ଆରମ୍ଭ କରିବେ ବୋଲି ସେ ଘୋଷଣା‌ କରିଛନ୍ତି। ‘‘ରୋହିତ ଶର୍ମା ଓ କେଏଲ୍ ରାହୁଲ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଏହି ଦୁଇ ଜଣ ପାଳି ଆରମ୍ଭ କରିବେ’’ ବୋଲି ଆଜି ଅନୁଷ୍ଠିତ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସେ। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଦଳରେ ସାମିଲ ହେବା ପରେ ଭାରତୀୟ ବ୍ୟାଟିଂ ଆହୁରି ଶକ୍ତିଶାଳୀ ‌ହୋଇଛି ବୋଲି ଏହି ଅବସରରେ କୋହଲି ମତ ରଖିଥିଲେ।

ଇଂଲଣ୍ଡ ଅସ୍ତ୍ର ‘ପାୱାର ହିଟିଂ’
ଶୁକ୍ରବାର ମୁକାବିଲାରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବାଦ ପଡ଼ିଛନ୍ତି। ଟି. ନଟରାଜନ ଓ ରାହୁଲ ତିୱାତିଆ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ସେଥିପାଇଁ ଭାରତୀୟ ବୋଲିଂ ଆକ୍ରମଣରେ ଅକ୍ଷର ପଟେଲ ଓ ୱା‌ସିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଜଣକୁ ଦେଖିବାକୁ ମିଳିବ। ଦ୍ରୁତ ବୋଲିଂର ଦୁଇଟି ସ୍ଥାନ ଲାଗି ଭୁବନେଶ୍ବର କୁମାର, ଦୀପକ ଚହର ଓ ଶାର୍ଦୁଳ ଠାକୁରଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ। ମଧ୍ୟକ୍ରମ ସ୍ଥାନ ଲାଗି ଈଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ତେବେ ସୂର୍ଯ୍ୟକୁମାରଙ୍କୁ ସବୁଜ ସଙ୍କେତ ମିଳିବାର ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ଜୋଫ୍ରା ଆର୍ଚର ଆଘାତପ୍ରାପ୍ତ ‌ହେବା ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେବ। ଇଂଲଣ୍ଡ ପାଖରେ ବହୁ ପାୱାର ହିଟର ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଅଧିନାୟକ ମୋର୍ଗାନ, ଜାସନ ରଏ, ଜନି ବେୟାରଷ୍ଟୋ ଓ ସାମ୍ ବିଲିଙ୍ଗ୍ସଙ୍କ ଭଳି ଖେଳାଳି ବଡ଼ ବଡ଼ ସଟ୍ ଖେଳିବାକୁ ପୂରା ସକ୍ଷମ। ଏହି ଦଳ ପାଖରେ ଢେର ଦ୍ରୁତ ବୋଲିଂ ବିକଳ୍ପ ମଧ୍ୟ ରହିଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର/ସୂର୍ଯ୍ୟକୁମାର ଯାଦବ, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ/ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ, ନଭଦୀପ ସୈନି।
ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରଏ, ଜୋସ୍ ବଟଲର, ଡେୱିଡ୍ ମଲାନ, ଜନି ବେୟାରଷ୍ଟୋ, ବେନ୍ ‌ଷ୍ଟୋକ୍ସ, ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ସାମ୍ କରନ, କ୍ରିସ୍ ଜୋର୍ଡାନ, ଜୋଫ୍ରା ଆର୍ଚର/ମାର୍କ ଉଡ୍, ଆଦିଲ ରସିଦ।

କୋହଲିଙ୍କ ବିରାଟ କୀର୍ତ୍ତିମାନ ସୁଯୋଗ
ଶୁକ୍ରବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ହାତ ପାହାନ୍ତାରେ ଏକ ବିଶାଳ ମାଇଲଖଣ୍ଟ ଛୁଇଁବାର ସୁଯୋଗ ରହିବ। ସଂପ୍ରତି ୭୯ ଟ୍ବେଣ୍ଟି-୨୦ ପାଳିରୁ ୨୯୨୮ ରନ୍ କରିଥିବା ଏହି ଚର୍ଚ୍ଚିତ ତାରକା ଆସନ୍ତାକାଲି ଆଉ ୭୨ ରନ୍ କରି ପାରିଲେ, କ୍ରିକେଟ୍ ଇତିହାସର ପ୍ରଥମ ଖେଳାଳି ଭା‌ବେ ଟ୍ବେଣ୍ଟି-୨୦ରେ ୩,୦୦୦ ରନ୍ ଛୁଇଁବେ। ଅବଶ୍ୟ ଏବେ ମଧ୍ୟ ସେ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ରହିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ତୃତୀୟରେ ରହିଛନ୍ତି। କୋହଲି କିନ୍ତୁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍ ଅର୍ଥାତ୍ ଟେଷ୍ଟ୍, ଏକଦିବସୀୟ ଓ ଟ୍ବେଣ୍ଟି-୨୦ରେ ୫୦ରୁ ଅଧିକ ହାରରେ ରନ୍ କରି ଚାଲିଛନ୍ତି। ଅବଶ୍ୟ କୋହଲି ଏପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ରେ ଶତକ ହାସଲ କରି ନାହାନ୍ତି। ୯୪* ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହୋଇଥିଲା ବେଳେ ଏପର୍ଯ୍ୟନ୍ତ ୨୫ ଅର୍ଧଶତକ ଅର୍ଜନ କରିଛନ୍ତି ସେ।

୧୪ ମ୍ୟାଚ୍: ଭାରତ ୭, ଇଂଲଣ୍ଡ ୭
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ୧୪ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳା ଯାଇଛି। ସେଥିମଧ୍ୟରୁ ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ରହିଛନ୍ତି। ସେପଟେ ମୋଟେରା ଷ୍ଟାଡିୟମର ନାମ ପରିବର୍ତ୍ତନ ହେବା ପୂର୍ବରୁ ଏଠାରେ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳା ଯାଇଛି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଭାରତ ଜିତି ନେଇଥିଲା। ଯୁବରାଜ ସିଂହ ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର