ପାଟନା: ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଚୀନ୍କୁ ୩-୦ ଗୋଲ୍ରେ ହରାଇ ଭାରତୀୟ ଦଳ ଏସୀୟ ମହିଳା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ବିହାରର ରାଜଗିରଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତ ଏକତରଫା ଭାବେ ବିଜୟୀ ହୋଇଥିଲା। ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ଶୂନ୍ୟ ରହିବା ପରେ ତୃତୀୟ କ୍ବାର୍ଟରରେ ସଙ୍ଗୀତା କୁମାରୀ (୩୨ ମିନିଟ୍) ଓ ଅଧିନାୟିକା ସଲିମା ଟେଟେ (୩୭ ମିନିଟ୍) ଦୁଇଟି ଫିଲ୍ଡ ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ।
ଚୀନ୍ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗୋଲ୍ ଶୁଝିବାରେ ସଫଳ ହୋଇ ନଥିଲା। ଶେଷ ମିନିଟ୍ରେ ପ୍ରତିଯୋଗିତାର ସର୍ବୋଚ୍ଚ ଗୋଲ୍ସ୍କୋରର ଦୀପିକା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାରୁ ଭାରତ ଏକତରଫା ଭାବେ ବିଜୟୀ ହୋଇଥିଲା। ଫଳରେ ବିଶ୍ବର ଷଷ୍ଠ ମାନ୍ୟତାପ୍ରାପ୍ତ ଚୀନ୍କୁ ନବମ ମାନ୍ୟତାପ୍ରାପ୍ତ ଭାରତୀୟ ଦଳ ହରାଇବା ପରେ ଚଳିତ ପ୍ରତିଯୋଗିତାରେ ଏହା ଲଗାତାର ଚତୁର୍ଥ ବିଜୟ ଥିଲା। ଏବେ ଭାରତ ଏହି ୬ ଦଳୀୟ ପ୍ରତିଯୋଗିତାରେ ୮ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ଭାରତ ଏହାର ଶେଷ ଲିଗ୍ ମ୍ୟାଚ୍ ରବିବାର ଜାପାନ୍ ବିପକ୍ଷରେ ଖେଳିବ।