ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍‌ ଜିତି ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାକୁ ୨-୧ରେ କବ୍‌ଜା କରିବା ପରେ ଏକ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛି। ମଙ୍ଗଳବାର ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌କୁ ଶିଖର ଧାୱନ୍‌ଙ୍କ ନେତୃତ୍ବାଧୀନ ଦଳ ୭ ୱିକେଟ୍‌ରେ ଜିତିବା ପରେ ୨୦୨୨ରେ ଟିମ୍‌ ଇଣ୍ଡିଆର ମୋଟ ଆନ୍ତର୍ଜାତିକ ମ୍ୟାଚ୍‌ ବିଜୟ ସଂଖ୍ୟା ୩୮ରେ ପହଞ୍ଚି ଯାଇଥିଲା। ଫଳରେ ଗୋଟିଏ ଋତୁରେ ସର୍ବାଧିକ ମ୍ୟାଚ୍‌ ଜିତିବାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ନାମରେ ରହିଥିବା ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଯାଇଥିଲା।

Advertisment

ପୂର୍ବତନ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ଦଳ ୨୦୦୩ ଋତୁରେ ମୋଟ ୩୮ ମ୍ୟାଚ୍‌ ଜିତି ପ୍ରାୟ ୧୯ ବର୍ଷ ଧରି ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ ରଖିଥିଲା। ସେହିବର୍ଷ ରିକି ପଣ୍ଟିଂଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୩୦ ଦିନିକିଆ ଆନ୍ତର୍ଜାତିକ ଏବଂ ୮ ଟେଷ୍ଟ୍‌ ମ୍ୟାଚ୍‌ ଜିତିଥିଲା। ଏବେ ଏହି କୀର୍ତ୍ତିମାନର ସମକକ୍ଷ ହୋଇଥିବା ଭାରତୀୟ ଦଳ ମଧ୍ୟ ୨୦୧୭ରେ ୩୭ ମ୍ୟାଚ୍‌ ଜିତି ଶ୍ରେଷ୍ଠ ସଫଳତା ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ଚଳିତ ଋତୁରେ ୱେଷ୍ଟ୍‌ଇଣ୍ଡିଜ୍‌, ଶ୍ରୀଲଙ୍କା, ଜିମ୍ବାୱେ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ଜିତି ୨୦୧୭ ସଫଳତାକୁ ଟପି ଯାଇଛି। ଅନ୍ୟପକ୍ଷରେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ରେକର୍ଡ ସଂଖ୍ୟକ ୨୩ ମ୍ୟାଚ୍‌ ଜିତିସାରିଥିଲା ବେଳେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅବସରରେ ଏହି ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ରହିଛି।