ଭାରତ ସାମ୍ନାରେ ବହୁ ଆହ୍ବାନ

ଅଷ୍ଟ୍ରେଲିଆରେ ଭାରତ ଶୃଙ୍ଖଳା ଜିତିପାରିବ: ଗାଙ୍ଗୁଲି

ମେଲବର୍ନ: ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ନିଶ୍ଚିତ ଭାରତୀୟ ଦଳ ପାଇଁ ଏକାଧିକ ଆହ୍ବାନ ନେଇ ଆସିବ। ବିଗତ ୩ ଦିନ ଧରି ଏଠାରେ ବର୍ଷା ଲାଗି ରହିଥିବାରୁ ଖ୍ରୀଷ୍ଟମାସ ବଜାର ଏବଂ ମାହୋଲ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଦ୍ବିତୀୟ ଟେଷ୍ଟ୍‌ ପରେ ୫ ଦିନର ବିରାମ ନେଇଥିବା ଉଭୟ ଦଳ ରବିବାରଠାରୁ ଅଭ୍ୟାସ କରିବାକୁ ପ୍ରସ୍ତୁତ ଅଛନ୍ତି। ରବିବାରଠାରୁ ବି ଆକାଶ ଫର୍ଚା ହୋଇଯିବ ବୋଲି ପୂର୍ବାନୁମାନ ଦିଆଯାଇଛି। ଭାରତୀୟ ଶିବିରରେ ହାର୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରୱାଲ ଶୁକ୍ରବାର ଯୋଗ ଦେଇଛନ୍ତି। ଅନ୍ୟତମ ମେଲବର୍ନ ଅଧିବାସୀ ଶିଖର ଧାୱନ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଭେଟିବାର ସୁଯୋଗ ହାତଛଡ଼ା କରିନାହାନ୍ତି। ପର୍ଥ ବିପର୍ଯ୍ୟୟ ପରେ ଚୂଡାନ୍ତ ଏକାଦଶ ଚୟନ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମେଲ୍‌ବର୍ନ ପିଚ୍‌ ପରିସ୍ଥିତି ଦୃଷ୍ଟିରୁ ଉଭୟ ଦଳ ପଞ୍ଚମ ବୋଲିଂ ବିକଳ୍ପ ଭାବେ ଯଥାକ୍ରମେ ମିଚେଲ୍ ମାର୍ସ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ‌ ଖେଳାଇବା ଯୋଜନାରେ ରହିଛନ୍ତି। ଭାରତର ପ୍ରାରମ୍ଭିକ ଯୋଡ଼ି ଏବଂ ନିମ୍ନକ୍ରମ ବ୍ୟାଟିଂ ବିଶେଷ ଚିନ୍ତାର କାରଣ ବି ରହିଛି। ତେବେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର୍‌ ନାଥନ୍ ଲାୟନଙ୍କୁ ମୁକାବିଲା କରିବା ଭାରତ ପାଇଁ ଅନ୍ୟତମ ଆହ୍ବାନ ହୋଇଛି। ନିଜେ‌ କୋହଲି ତାଙ୍କ ଖେଳ ଜୀବନରେ ୭ ଥର ତାଙ୍କ ବଲରେ ଆଉଟ୍ ହୋଇ ସାରିଛନ୍ତି। ସେ ମଧ୍ୟ ଉଭୟ ଟେଷ୍ଟ୍‌ରେ ୮-୮ ୱିକେଟ୍ ନେଇ ଭାରତ ପାଇଁ ଚିନ୍ତା ପାଲଟିଛନ୍ତି।

ଅଷ୍ଟ୍ରେଲିଆରେ ଭାରତ ଶୃଙ୍ଖଳା ଜିତିପାରିବ: ଗାଙ୍ଗୁଲି

କୋଲ୍‌କାତା: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ୪ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଜିତିପାରିବ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଏଥିପାଇଁ ଚୂଡ଼ାନ୍ତ ଏକାଦଶ ଦାୟିତ୍ବ ନେବା ଦରକାର ଏବଂ ସ‌ମସ୍ତଙ୍କୁ ଭଲ କରିବାକୁ ପଡ଼ିବ ବୋଲି ‌ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ବର ପୂଜାରାଙ୍କ ଛଡ଼ା ଅନ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଅଧିକରୁ ଅଧିକ ଦାୟିତ୍ବସମ୍ପର୍ଣ୍ଣ ‌ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମେଲ୍‌ବର୍ନରେ ବକ୍ସିଂ ଡେ’ ଟେଷ୍ଟ୍‌ ପୂର୍ବରୁ ଏହି ଶୃଙ୍ଖଳା ୧-୧ ସମାନ ସ୍ତରରେ ରହିଛି।

ଲକ୍ଷ୍ମଣଙ୍କ ଇଡେନ୍‌ ୨୮୧ ସବର୍କାଳୀନ ଶ୍ରେଷ୍ଠ : ଦ୍ରାବିଡ୍‌
ବେଙ୍ଗାଲୁରୁ: ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭିଭିଏସ୍‌ ଲକ୍ଷ୍ମଣଙ୍କ ୨୮୧ ରନ୍‌ ସର୍ବକାଳୀନ ମହାନ୍‌ ପାଳି ବୋଲି ରାହୁଲ୍‌ ଦ୍ରାବିଡ୍‌ ଉଲ୍ଲେଖ କରିଛନ୍ତି। ଲକ୍ଷ୍ମଣଙ୍କ ଏହି ପାଳି କୌଣସି ବି ଭାରତୀୟ କ୍ରିକେଟର୍‌ ଖେଳିଥିବା ପାଳିଠାରୁ ଯେ ମହାନ୍‌ ତାହା ନିସନ୍ଦେହରେ କୁହାଯାଇପାରେ ବୋଲି ଗୁରୁବାର ଏଠାରେ ଲକ୍ଷ୍ମଣଙ୍କ ଆତ୍ମଜୀବନୀ ‘୨୮୧ ଆଣ୍ଡ୍‌ ବିୟଣ୍ଡ୍‌’ ଉନ୍ମୋଚନ ଅବସରରେ ଦ୍ରାବିଡ୍‌ ମତ ଦେଇଛନ୍ତି। ମୁଁ ଖେଳିଥିବା ଏବଂ ଦେଖିଥିବା ‌କୌଣସି ବି ପାଳିଠାରୁ ଲକ୍ଷ୍ମଣଙ୍କ ୨୮୧ ଅବିସ୍ମରଣୀୟ ବୋଲି ଦ୍ରାବିଡ୍‌ କହିଛନ୍ତି। ଲକ୍ଷ୍ମଣଙ୍କ ସେହି ପାଳି ବେଳେ ମୁଁ ମଧ୍ୟ ତାଙ୍କ ସହିତ କ୍ରିଜ୍‌ରେ ରହି ୁପଭୋଗ କରିଥିଲି। ସେ କିପରି ସେଭଳି ପାଳି ଖେଳିଥିଲେ ତାହା ଏବେ ବି ମୋ କଳ୍ପନାର ବାହାରେ। ସେ ଯେଭଳି ଲେଗ୍‌ ଷ୍ଟମ୍ପ୍‌ ବାହାରକୁ ପାଦ କାଢି ସେନ୍‌ ୱର୍ନଙ୍କ ନେଗେଟିଭ୍‌ ବୋଲିଂକୁ କଭର୍‌ ଦେଇ ପ୍ରହାର କରୁଥିଲେ ତାହା ଦର୍ଶନୀୟ ଏବଂ ଶିକ୍ଷଣୀୟ ଥିଲା ବୋଲି ଦ୍ରାବିଡ୍‌ ଉଲ୍ଲେଖ କରିଛନ୍ତି। କେବଳ ୱର୍ନ କାହିଁକି, ଦୁଇ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା ଓ ଜାସନ୍‌ ଜିଲେସ୍ପି ମଧ୍ୟ ଲକ୍ଷ୍ମଣଙ୍କ କଳାତ୍ମକ ବ୍ୟାଟିଂରୁ ତ୍ରାହି ପାଇନଥିଲେ ବୋଲି ଦ୍ରାବିଡ୍‌ ମନେ ପକାଇ ଦେଇଛନ୍ତି। ଏଠାରେ ସୂଚନା‌ଯୋଗ୍ୟ, ଲକ୍ଷ୍ମଣଙ୍କ ଐତିହାସିକ ୨୮୧ ରନ୍‌ର ପାଳି ବେଳେ ଦ୍ରାବିଡ୍‌ ମଧ୍ୟ ୧୮୦ ରନ୍‌ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍‌ରେ ୩୭୬ ରନ୍‌ର ଭାଗୀଦାରି କରି ଭାରତକୁ ବିଜୟ ଭେଟିଦେବା ବିଶ୍ବ କ୍ରିକେଟ୍‌ରେ ଚର୍ଚ୍ଚିତ ଖବର ଥିଲା।

କୋହଲି ଭାରତୀୟ ଦଳର ଶକ୍ତି: ହଗ୍‌
ମେଲ୍‌ବର୍ନ: ପଡ଼ିଆ ଭିତରେ ନିଜର ବ୍ୟବହାରକୁ ନେଇ ବିରାଟ କୋହଲି ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେଉଥିଲା ବେଳେ ପୁର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ୍‌ ହଗ୍‌ କିନ୍ତୁ ତାଙ୍କୁ ସମର୍ଥନ କରିବାରେ ହେଳା କରିନାହାନ୍ତି। ଏବର ଭାରତୀୟ ଦଳ ପାଇଁ କୋହଲି ଶକ୍ତି ବୋଲି ହଗ୍‌ କହିଛନ୍ତି। ତାଙ୍କ ସ୍ବଚ୍ଛ ନେତୃତ୍ବ ଓ ପ୍ରେରଣା ହିଁ ଏବର ଭାରତୀୟ ଦଳ ପାଇଁ ଶକ୍ତିବର୍ଦ୍ଧକ ବୋଲି ହଗ୍ ବର୍ଣ୍ଣନା କରିଛନ୍ତି। କୋହଲିଙ୍କୁ ପଡ଼ିଆ ଭିତରେ ଦେଖିଲେ ତାଙ୍କର ଶାରିରୀକ ଭାଷା କ୍ରିକେଟ୍‌ ପାଇଁ ଅନୁକୂଳ ଏବଂ ସେ ମଧ୍ୟ ଭାରତୀୟ ଦଳଠୁ ତାହା ହିଁ ଆଶା କରିଥାନ୍ତି ବୋଲିଳ ହଗ୍‌ କହିଛନ୍ତି। ଜଣେ ବ୍ୟାଟ୍‌ସମ୍ୟାନ୍‌ ଭାବେ କୋହଲି ଅନ୍ୟ ଯେକୌଣସି ଖେଳାଳିଙ୍କ ତୁଳନାରେ ସଂପୂର୍ଣ୍ଣ ଭିନ୍ନ ସ୍ତରର। ହୁଏତ କେବଳ ଉସ୍‌ମାନ୍‌ ଖୱାଜା ହିଁ ତାଙ୍କର ନିକଟତର ବୋଲି ୧୯୯୬ରୁ ୨୦୦୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୭ ଟେଷ୍ଟ ଖେଳିଥିବା ୪୭ ବର୍ଷ ବୟସ୍କ ହଗ୍‌ ଶନିବାର କହିଛନ୍ତି।

ସମ୍ବନ୍ଧିତ ଖବର