ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ’ ମ୍ୟାଚ୍ରେ ଗୁରୁବାର ଆୟୋଜକ ତଥା ପ୍ରମୁଖ ଟ୍ରଫି ଦାବିଦାର ଭାରତ ଅଣ୍ଡରଡଗ୍ ନାମିବ୍ୟାକୁ ଭେଟିବ। ଭାରତ ଏହି ମ୍ୟାଚ୍କୁ ନିଜ ବ୍ୟାଟିଂ ବାହିନୀକୁ ସଜାଡ଼ିବାର ମାଧ୍ୟମ ଭାବେ ବିବେଚନା କରିବ। ନବାଗତ ନାମିବ୍ୟା ଅନ୍ୟପକ୍ଷରେ ଭାରତ ଭଳି ବଡ଼ ଦଳ ବିପକ୍ଷରେ ଖେଳିବାର ଅନନ୍ୟ ଅଭିଜ୍ଞତା ସାଉଣ୍ଟିବାର ଅପୂର୍ବ ସୁଯୋଗ ଲାଭ କରିବ। ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ପରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ତଥା ପ୍ରତୀକ୍ଷିତ ଲଢ଼େଇ ଲଢ଼ିବ। ସେହିଦୃଷ୍ଟିରୁ ନାମିବ୍ୟା ବିପକ୍ଷରେ ବଡ଼ ବିଜୟ ହାସଲ କରି ଆତ୍ମବଳ ଆହୁରି ବଢ଼ାଇବାକୁ ନିଶ୍ଚିତ ଭାବେ ଚାହିବ।ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଖେଳିଥିବା ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ଭାରତୀୟ ବ୍ୟାଟର୍ ରୀତିମତ ସଂଘର୍ଷ କରିଲେ।
ଏବେକାର ଅରୁଣ ଜେଟ୍ଲି ଷ୍ଟାଡିୟମ୍ ଏବଂ ଅତୀତର ଫିରୋଜ ଶାହ କୋଟ୍ଲା ଷ୍ଟାଡିୟମ୍ରେ ଗୁରୁବାର ସେହି ଭୁଲ୍କୁ ସୁଧାରିବା ସୂର୍ଯ୍ୟକୁମାରଙ୍କ ସେନାର ପ୍ରଥମ ଲକ୍ଷ୍ୟ ହେବ। ତେବେ ଯୁବ ଓପନର୍ ଅଭିଷେକ ଶର୍ମା ପାକସ୍ଥଳୀ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଟିମ୍ ଇଣ୍ଡିଆ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ଅଭିଜ୍ଞ ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା ଜ୍ବରରୁ ଆରୋଗ୍ୟ ଲାଭ କରି ଏହି ମ୍ୟାଚ୍କୁ ଫେରିବାର ସଙ୍କେତ ଭାରତୀୟ ଦଳ ଦେଇଛି। ସେହିଭଳି ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ମଧ୍ୟ ପୂରା ଫିଟ୍ ହୋଇଯାଇଛନ୍ତି।
ବୁମ୍ରା ଫେରିଲେ ଚୂଡ଼ାନ୍ତ ଦଳରୁ କିଏ ବାଦ୍ ପଡ଼ିବେ? ସେ ପ୍ରଶ୍ନ କିନ୍ତୁ ଘରୋଇ କ୍ରିକେଟ୍ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ଆମେରିକା ବିପକ୍ଷ ମ୍ୟାଚ୍ରେ ତାଙ୍କ ସ୍ଥାନ ନେଇଥିବା ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଅଭିଷେକଙ୍କ ଦେହ ଘରାପ ହେବା କିନ୍ତୁ ସଞ୍ଜୁ ସାମସନଙ୍କ ପାଇଁ ଆଉ ଏକ ବରଦାନ ସାବ୍ୟସ୍ତ ହୋଇପାରେ। ଅତୀତରେ ଅଗଣିତ ସୁଯୋଗକୁ ବେକାର ଯିବାକୁ ଦେଇଥିବା ସାମସନ୍ ଦୁର୍ବଳ ନାମିବ୍ୟା ବିପକ୍ଷରେ ଖେଳି ଫର୍ମକୁ ଫେରିଲେ ଏହା ମଧ୍ୟ ଭାରତର ବିଶ୍ବକପ୍ ଅଭିଯାନକୁ ଅତିରିକ୍ତ ବଳ ଯୋଗାଇବ। ଭାରତୀୟ ବ୍ୟାଟିଂକ୍ରମର ଗଭୀରତାକୁ ମାପିବା ନାମିବ୍ୟା ବୋଲରଙ୍କ ପାଇଁ କାଠିକର ପାଠ ହେବ।
ଆହୁରି ପଢ଼ନ୍ତୁ: Rajasthan Live In Case: ମୃତ୍ୟୁ ହୋଇସାରିଥିବା ଭାବୁଥିଲେ ସ୍ବାମୀ, ରାଜସ୍ଥାନରେ ପୁଅକୁ ଧରି ପ୍ରେମିକ ସହ ରହୁଥିଲେ ମହିଳା
ସେହିଭଳି ଭାରତୀୟ ବୋଲରଙ୍କୁ ପ୍ରହାର କରୀ ବଡ଼ ସ୍କୋର୍ କରିବା ଏହି ଦଳ ପାଇଁ କୌଣସି ବଡ଼ ପରୀକ୍ଷାଠାରୁ କିଛି କମ୍ ହେବନି। ବିଶେଷ କରି ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୂର୍ବରୁ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ନାମିବ୍ୟା ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିପାରନ୍ତି। ୨୦୨୧ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ର ଏକ ମ୍ୟାଚ୍ରେ ଉଭୟ ଦଳ ପ୍ରଥମ ଓ ଶେଷ ଥର ଲାଗି ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍ରେ ନାମିବ୍ୟା ୧୩୩ ରନ୍ର ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ୯ ୱିକେଟ୍ରେ ଜିତି ନେଇଥିଲା। ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ଖେଳିଥିବା ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ତୃତୀୟସ୍ତରୀୟ ଭାରତୀୟ ଦଳ ନାମିବ୍ୟାକୁ ୧୦୦ରୁ କମ୍ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା। ଏଣୁ ଭାରତ ପାଇଁ ଏହି ମ୍ୟାଚ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ ଭଳି ହେବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/11bbs_35_11022026_112-2026-02-11-17-20-46.jpg)