ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ଏକ ନମ୍ବର ବେଲ୍‌ଜିୟମକୁ ଆଜି ଭେଟିବ ଭାରତ

ବିଜୟ ଧାରା ଜାରି ରଖିବୁ: ରିଡ୍‌

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ପ୍ରତିଯୋଗିତାରେ ଚଳିତ ବର୍ଷ ପଦାର୍ପଣ କରିଥିବା ଭାରତ ଶନିବାର ଘରୋଇ ପଡ଼ିଆ କଳିଙ୍ଗ ‌ଷ୍ଟାଡିୟମରେ ନିଜର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦୁଇଟି ଯାକ ମ୍ୟାଚ୍‌ରେ ବିପକ୍ଷ ନେଦରଲାଣ୍ଡକୁ ହରାଇ ପଦାର୍ପଣକୁ ସ୍ମରଣୀୟ କରିଥିଲା ଘରୋଇ ଦଳ। ଏଥର ଏହି ଦଳ ସମ୍ମୁଖରେ ରହିଛି ବିଶ୍ବର ଏକ ନମ୍ବର ଦଳ ବେଲ୍‌ଜିୟମ। ଘରୋଇ ମାଟିରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡକୁ ମାତ୍‌ ଦେଇଥିବାରୁ ବେଲ୍‌ଜିୟମକୁ ଟକ୍କର ଦେବାକୁ ଭାରତ ପୂରା ପ୍ରସ୍ତୁତ ରହିଛି। ସଂପ୍ରତି ଭାରତ ପ୍ରୋ-ଲିଗ୍‌ରେ ଦୁଇ ମ୍ୟାଚ୍‌ ଖେଳି ୫ ପଏଣ୍ଟ୍‌ ସହ ତାଲିକାର ପଞ୍ଚମରେ ଏବଂ ବେଲ୍‌ଜିୟମ ୪ ମ୍ୟାଚ୍‌ରୁ ୧୧ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଛି। କଳିଙ୍ଗ ଭାରତର ଘରୋଇ ପଡ଼ିଆ ହେଲେ ମଧ୍ୟ ବେଲ୍‌ଜିୟମ ପାଇଁ ଶୁଭ ରହିଛି। ଏହିଠାରେ ବେଲ୍‌ଜିୟମ ୨୦୧୮ ବିଶ୍ବକପ୍‌ ବିଜେତା ହୋଇଥିଲା। ଫଳରେ ଭୁବନେଶ୍ବର ଦର୍ଶକ ଚଳିତ ସପ୍ତାହରେ ଦୁଇଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ପାଇବେ। ଉଭୟ ଦଳ ଏଠାରେ ୧୦ ଥର ମୁହାଁମୁହିଁ ହୋଇଥିଲା ବେଳେ ଅତିଥି ଦଳ ୮ ଥର ବିଜୟୀ ଓ ୨ ଥର ଅମୀମାଂସିତ ରଖି ଆଗରେ ରହିଛି।

ବିଜୟ ଧାରା ଜାରି ରଖିବୁ: ରିଡ୍‌
ନେଦରଲାଣ୍ଡ ବିପକ୍ଷରେ ଆମ ଖେଳାଳିମାନେ ଭଲ ଖେଳିବାରୁ ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲୁ। ଏହି ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛୁ। ଏବେ ଆମ ସମ୍ମୁଖରେ ବିଶ୍ବର ଏକ ନମ୍ବର ଦଳ ଏବଂ ଏଠାରେ ବିଶ୍ବକପ୍‌ ଜିତିଥିବା ବେଲ୍‌ଜିୟମ ରହିଛି। ଆମ ଦଳ ମଧ୍ୟ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି। ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡିୟମରେ ଆମେ ଶ୍ରେ‌ଷ୍ଠ ଦେବା ସହ ବିଜୟୀ ହେବାକୁ ଚେଷ୍ଟା କରିବୁ। ବେଲ୍‌ଜିୟମ ଗସ୍ତରେ ଭଲ ଖେଳି ବିଜୟୀ ହୋଇଥିଲୁ। ବିଗତ ମ୍ୟାଚ୍‌ଗୁଡ଼ିକରେ ରହିଥିବା ତ୍ରୁଟିର ତର୍ଜମା କରିବା ସହ ଏହାକୁ ସୁଧାରିବା ଲାଗି କାମ କରୁଛୁ। ବିପକ୍ଷ ଦଳକୁ କିଭଳି ଅଟକାଇବୁ ତା’ ଉପରେ ଯୋଜନା ପ୍ରସ୍ତୁତି କରିଛୁ। ଆକ୍ରମଣ କି ରକ୍ଷଣ‌ାତ୍ମକରେ ଖେଳିବୁ ତାହା ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ବଦଳାଇବୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌।

ଆତ୍ମବିଶ୍ବାସ ସହ ଖେଳିବୁ: ମନ୍‌ପ୍ରୀତ
ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ପ୍ରଦାର୍ପଣ ଆମର ବିଜୟରୁ ଆରମ୍ଭ ହୋଇଛି। ନେଦରଲାଣ୍ଡ ଭଳି ଉଚ୍ଚ ମାନ୍ୟତାପ୍ରାପ୍ତ ଦଳକୁ ପରାସ୍ତ କରିଛୁ। ଶନିବାର ଓ ରବିବାର କଳିଙ୍ଗ ‌ଷ୍ଟାଡିୟମରେ ଆମର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ଶୀର୍ଷ ଦଳକୁ ଭେଟିବାକୁ ଯାଉଛୁ। ଉଭୟ ମ୍ୟାଚ୍‌ରେ ଆତ୍ମବିଶ୍ବାସ ସହ ଖେଳିବା ସହ ଶତ ପ୍ରତିଶତ ପ୍ରଦର୍ଶନ ଦେବୁ। ସବୁ ଖେଳାଳିଙ୍କ ଆଶା ଅଲିମ୍ପିକ୍ସ ପଦକ। ଅଲିମ୍ପିକ୍ସ ପୂର୍ବରୁ ଏହି ପ୍ରତିଯୋଗିତା ଆମକୁ ଭଲ ଅଭିଜ୍ଞତା ଦେବ। ଏଥିପାଇଁ ଆମେ ଏଠାରେ ଭଲ କରିବା ସହ ଦୃଢ଼ ମନୋବଳ ସହ ଅଲିମ୍ପକ୍ସ ଲକ୍ଷ୍ୟରେ ରହିବୁ ବୋଲି ଭାରତୀୟ ଅଧିନ‌ାୟକ ମନ୍‌ପ୍ରୀତ କହିଛନ୍ତି।

ଭଲ ଲଢ଼େଇ ହେବ: ବ୍ରାଏଲ୍ସ
ସଂପ୍ରତି ଭାରତୀୟ ଦଳ ଉନ୍ନତି କରିବାରେ ଲାଗିଛି। ନିକଟରେ ଏହି ଦଳ ନେଦରଲାଣ୍ଡ ବିପକ୍ଷରେ ଦୁଇଟି ଯାକ ମ୍ୟାଚ୍‌ ଜିତିଛି। ଆମେ ଭାରତ ବିପକ୍ଷରେ ଖେଳିବାକୁ ଆଗ୍ରହ ସହ ଅପେକ୍ଷା କରିଛୁ। ମାନ୍ୟତାରେ ଶୀର୍ଷରେ ଥିଲେ ମଧ୍ୟ ବିପକ୍ଷ ଦଳକୁ ଅଣଦେଖା କରିପାରିବୁନି। ହକିରେ କିଛି ବି ସମ୍ଭବ ହୋଇପାରେ। ଶନିବାର ଓ ରବିବାର ଖେଳାଯିବାକୁ ଥିବା ଦୁଇଟି ଯାକ ମ୍ୟାଚ୍‌ରେ ଭଲ ଲଢ଼େଇ ହେବାର ଆଶା ରହିଛି ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବେଲ୍‌ଜିୟମ ଅଧିନାୟକ ଥୋମାସ ବ୍ରାଏଲ୍ସ।

ଭୁବନେଶ୍ବର ଆମ ପାଇଁ ଶୁଭ: ମ୍ୟାକ୍‌ଲିଓଡ୍‌
ଆମେ ବହୁତ ଖୁସି ଯେ ଯେଉଁ ସହ‌ରରେ ବିଶ୍ବ ବିଜେତା ହୋଇଥିଲୁ ସେଠାରେ ପୁଣି ଥରେ ଖେଳିବା ଯାଉଛୁ। କଳିଙ୍ଗ ଷ୍ଟାଡିୟମ ଆମକୁ ବହୁ ଅବିସ୍ମରଣୀୟ ସ୍ମୃତି ଦେଇଛି ଏବଂ ଏଠାକାର ଦର୍ଶକ ବହୁତ ଭଲ। ଘରୋଇ ଦଳ ବିପକ୍ଷରେ ଆମର ପ୍ରଦର୍ଶନ ଭଲ ରହିଛି। ‌ସଂପ୍ରତି ଭାରତ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭଲ କରୁଛି। ନିକଟରେ ନେଦରଲାଣ୍ଡ୍‌କୁ ପରାସ୍ତ କରିଥିଲା। ପୂର୍ବ ପ୍ରଦର୍ଶନ ଭାରତ ଜାରି ରଖିଲେ ଆମକୁ ମଧ୍ୟ ଅଟକାଇ ପାରିବ। କଳିଙ୍ଗ ଷ୍ଟାଡିୟମ ଆମ ପାଇଁ ସବୁବେଳେ ଭାଗ୍ୟଶାଳୀ ରହିଛି। ଚଳିତ ସପ୍ତାହର ଶେଷ ଦୁଇ ଦିନ‌ ଭାରତ ବିପକ୍ଷରେ ମଧ୍ୟ ଏହା ଆମ ସପକ୍ଷରେ ରହିବାର ଆଶା ରହିଛି ବୋଲି ପ୍ରଶିକ୍ଷକ ସେନ୍‌ ମ୍ୟାକ୍‌ଲିଓଡ୍‌ କହିଛନ୍ତି।

ସମ୍ବନ୍ଧିତ ଖବର