ଜୋହର ବାହରୁ (ମାଲେସିଆ): କ୍ରମାଗତ ୩ ବିଜୟ ପରେ ଭାରତ ଏଠାରେ ଚାଲିଥିବା ସପ୍ତମ ସୁଲ୍ତାନ ଜୋହର୍ କପ୍ ହକି ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମ ତିନିଟି ମ୍ୟାଚ୍ରେ ଯଥାକ୍ରମେ ଜାପାନ୍କୁ ୩-୨, ଆୟୋଜକ ମାଲେସିଆକୁ ୨-୧ ଏବଂ ଆମେରିକାକୁ ୨୨-୦ ଗୋଲ୍ରେ ପରାସ୍ତ କରିବା ପରେ ଭାରତୀୟ ଯୁବ ଦଳ ଗୁରୁବାର ଅଷ୍ଟ୍ରେଲିଆ ନିକଟରୁ ୩-୪ରେ ହାରିଗଲା। ଏହି ପରାଜୟ ଏବେ ଭାରତର ଫାଇନାଲ୍ ପ୍ରବେଶ ନେଇ ଅନିଶ୍ଚିତତା ସୃଷ୍ଟି କରିଛି। ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ୍ ତାଲିକାର ଶ୍ରେଷ୍ଠ ୨ ଦଳ ଫାଇନାଲ୍ ଖେଳିବେ। ଗୁରୁବାର ସୁଦ୍ଧା ସବୁ ଦଳ ୪ ଲେଖାଏଁ ମ୍ୟାଚ୍ ଖେଳି ସାରିଥିଲା ବେଳେ ଇଂଲଣ୍ଡ ସର୍ବାଧିକ ୧୨ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ସମାନ ୯ ପଏଣ୍ଟ୍ ଲେଖାଏଁ ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ ତା’ର ପଞ୍ଚମ ତଥା ଶେଷ ଲିଗ୍ ମ୍ୟାଚ୍ ଜିତିବା ନିଶ୍ଚିତ ହୋଇଯାଇଛି। ଆସନ୍ତା ଶନିବାର ଶେଷ ମ୍ୟାଚ୍ରେ ଭାରତର ମୁକାବିଲା ବ୍ରିଟେନ୍ ସହ ହେବ। ବ୍ରିଟେନ୍ ଗୁରୁବାର ତା’ର ଚତୁର୍ଥ ମ୍ୟାଚ୍ରେ ଜାପାନକୁ ୩-୧ ଗୋଲ୍ରେ ପରାସ୍ତ କରି ୧୨ ପଏଣ୍ଟ୍ ସହ ତାଲିକାର ଶୀର୍ଷକୁ ଲମ୍ଫ ମାରିଛି। ଫଳରେ ଶନିବାର ବ୍ରିଟେନ୍ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପାଲଟିବ। ଭାରତ ଏହି ମ୍ୟାଚ୍ ହାରିଗଲେ ଏବଂ ଅନ୍ୟପଟେ ଅଷ୍ଟ୍ରେଲିଆ ତା’ର ଶେଷ ମ୍ୟାଚ୍ରେ ଜାପାନକୁ ପରାସ୍ତ କଲେ ଫାଇନାଲ୍ ସମୀକରଣ ବଦଳିଯିବ।
ଅଷ୍ଟ୍ରେଲିଆ ବିପକ୍ଷ ଗୁରୁବାର ମ୍ୟାଚ୍ରେ ଭାରତ ପକ୍ଷରୁ ଦିଲ୍ପ୍ରୀତ୍ ସିଂହ (୩୦ ଓ ୪୭ ମିନିଟ୍) ୨ ଓ ସଞ୍ଜୟ (୯ ମିନିଟ୍) ଗୋଟିଏ ଗୋଲ୍ କରିଥିଲା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଏଲ୍ ରିଣ୍ଟାଲା (୩ ମିନିଟ୍), କୋବି ଗ୍ରିନ୍ (୩୬ ମିନିଟ୍), ଜେନାଥନ୍ ବ୍ରେଥେରଟନ୍ (୪୫ ମିନିଟ୍) ଓ ନାଥନ୍ ଇଫ୍ରାମସ୍ (୪୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ମୋଟ ୭ ଗୋଲ୍ରୁ ୫ଟି ପେନାଲ୍ଟି କର୍ନରରୁ ହୋଇଥିଲା ବେଳେ ୩ଟି ଫିଲ୍ଡ ଗୋଲ୍ ଦେଖିବାକୁ ମିଳିଥିଲା।
ଗୁରୁବାରର ଅନ୍ୟ ଏକ ମ୍ୟାଚ୍ରେ ଆୟୋଜକ ମାଲେସିଆ ୧୮-୦ ଗୋଲ୍ରେ ଆମେରିକାକୁ ପରାସ୍ତ କରି ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆମେରିକା କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଥିଲା। ୪ ମ୍ୟାଚ୍ ଖେଳିସାରିଥିବା ଆମେରିକା ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ହୋଇନଥିଲା ବେଳେ ୭୦ ଗୋଲ୍ ବରଣ କରିସାରିଲାଣି।