ଦୁଇ ଦିନରେ ଟେଷ୍ଟ୍‌ ଶେଷ କରିବାରେ ଭାରତ ପ୍ରଥମ ଏସୀୟ ଦଳ

ବେଙ୍ଗାଲୁରୁ: ଗୋଟିଏ ଟେଷ୍ଟ୍‌କୁ ଦୁଇ ଦିନ ମଧ୍ୟରେ ଶେଷ କରିବାରେ ଭାରତ ପ୍ରଥମ ଏସୀୟ ଦଳ ହେଲା। ଆଫ୍‌ଗାନିସ୍ତାନକୁ ଏକ ପାଳି ଓ ୨୬୨ ରନ୍‌ରେ ପରାସ୍ତ କରି ଭାରତ ଏହି ଗୌରବ ପାଇଲା। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ଏକ୍ଷେତ୍ରରେ ତୃତୀୟ ଦଳର ଅଲୋଡ଼ା କୀର୍ତିମାନ କଲା। ଏହା ପୂର୍ବରୁ ଭାରତ ୧୯୫୩ ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ସମାନ ଦଶା ଭୋଗିଥିଲା। କେବଳ ଜିମ୍ବାେଓ୍ଵ ଦୁଇ ଥର ଗୋଟିଏ ଦିନରେ ଦୁଇ ଥର ଆଉଟ୍‌ ହେବାର ଅଲୋଡା କିର୍ତିମାନ ରଖିଛି। ଏହି ଦଳ ୨୦୦୫ ଓ ୨୦୧୨ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଏଭଳି ବିପର୍ଯ୍ୟୟ ଭୋଗିଥିଲା। ପୁଣି ଗତ ୭୦ ବର୍ଷ ମଧ୍ୟରେ ଏସିଆରେ ଦୁଇ ଥର ଏବଂ ମୋଟ ଉପରେ ୬ ଥର ପାଇଁ ଦୁଇ ଦିନରେ ଟେଷ୍ଟ ହୋଇଛି। ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ୨୦୦୪ ମୁମ୍ବାଇ ଟେଷ୍ଟ ୨୦୨.୧ ଓଭର ପର୍ଯ୍ୟନ୍ତ ତିଷ୍ଠିଥିଲା ବେଳେ ଭାରତ-ଆଫ୍‌ଗାନିସ୍ତାନ ବେଙ୍ଗାଲୁରୁ ଟେଷ୍ଟ ୧୭୧.୨ ଓଭରରେ ସରିଥିଲା। ସେହିପରି ଗୋଟିଏ ଦିନରେ ସର୍ବାଧିକ ଓ୍ଵିକେଟ୍‌ ପତନ ଘଟିବାର କୀର୍ତିମାନ ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରହିଛି। ୧୮୮୮ ମସିହା ଲର୍ଡସ୍‌ ଟେଷ୍ଟ୍‌ର ଦ୍ୱିତୀୟ ଦିବସରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ୨୭ ଓ୍ଵିକେଟ୍‌ ଝଡ଼ିଥିଲା। ୧୯୦୨ ମେଲ୍‌ବର୍ନ ଟେଷ୍ଟର ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ୨୫ ଓ୍ଵିକେଟ୍‌, ୧୮୯୬ ଓଭାଲ୍‌ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ୨୪ ଓ୍ଵିକେଟ୍‌ ଏବଂ ୨୦୧୧ କେପ୍‌ ଟାଉନ୍‌ ଟେଷ୍ଟର ଦ୍ୱିତୀୟ ଦିବସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ୨୩ ଓ୍ଵିକେଟ୍‌ ପତନ ହୋଇଥିଲା ବେଳେ ଶୁକ୍ରବାର ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ଓ ଆଫ୍‌ଗାନିସ୍ତାନର ୨୪ ଓ୍ଵିକେଟ୍‌ ଝଡ଼ିଥିଲା। ଯାହାକି ଟେଷ୍ଟ କ୍ରିକେଟ୍‌ର ଗତ ୧୧୫ ବର୍ଷ ମଧ୍ୟରେ ସର୍ବାଧିକ। ଏହା ପୂର୍ବରୁ ଭାରତରେ (୨୦୦୪ ମୁମ୍ବାଇ ଟେଷ୍ଟ, ଅଷ୍ଟ୍ରେଲିଆ ବିପକ୍ଷ ଏବଂ ୨୦୧୫ ନାଗପୁର ଟେଷ୍ଟ, ଦକ୍ଷିଣ ଆଫ୍ରିକା ବିପକ୍ଷ) ଗୋଟିଏ ଦିନ ସର୍ବାଧିକ ୨୦ ଓ୍ଵିକେଟ୍‌ ପତନ ଘଟିଥିଲା।

ସମ୍ବନ୍ଧିତ ଖବର