ଇନ୍ଦୋର, ୧/୩: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଅନ୍ତର୍ଗତ ତୃତୀୟ ଟେଷ୍ଟ୍‌ ସ୍ଥାନୀୟ ହୋଲ୍‌କର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାରଠୁ ଆରମ୍ଭ ହୋଇଛି। ସ୍ପିନରଙ୍କ ଯାଦୁଗରୀ ବୋଲିଂ ପରେ ଉସ୍‌ମାନ ଖୱାଜାଙ୍କ ଅର୍ଦ୍ଧଶତକ ବଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଦିବସକୁ ନିଜ ନିୟଂତ୍ରଣକୁ ନେଇଯାଇଛି। ପ୍ରଥମ ଦିବସରେ ଖେଳ ହୋଇଥିବା ମୋଟ ୭୬.୨ ଓଭରରେ ଉଭୟ ଦଳର ୧୪ ୱିକେଟ୍‌ ଝଡ଼ିଯାଇଥିଲା ବେଳେ ୨୬୫ ରନ୍ ସ୍କୋର୍‌ ହୋଇଛି। ଭାରତର ୧୦୯ ଜବାବରେ ଅଷ୍ଟ୍ରେଲିଆ ୧୫୬/୪ କରିନେଇଛି। ଏଥିସହିତ ହାତରେ ୬ ୱିକେଟ୍‌ ଥାଇ ଭ୍ରମଣକାରୀ ଦଳ ୪୭ ରନ୍‌ର ଅଗ୍ରଣୀ ପାଇସାରିଛି। ଅଷ୍ଟ୍ରେଲିଆ ଗୋଟିଏ ହେଲେ ଅତିରିକ୍ତ ରନ୍‌ ବ୍ୟୟ କରିନଥିଲା ବେଳେ ଭାରତ ୧୭ ରନ୍‌ ଦେବା ମହଙ୍ଗା ପଡ଼ିଛି।

Advertisment

ପ୍ରଥମ ଦୁଇ ଟେଷ୍ଟ୍‌କୁ ସହଜରେ ଜିତି ନେଇଥିବା ଘରୋଇ ଭାରତୀୟ ଦଳ କିନ୍ତୁ ତୃତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏପରିକି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବୁମେରାଂ ହୋଇଛି। ପୂରା ଦଳ ଅଷ୍ଟ୍ରେଲିଆ ସ୍ପିନ୍‌ ଜାଲରେ ଫସିଯାଇଛି। ପିଚ୍‌ ଟର୍ଣ୍ଣ ଓ ବାଉନ୍‌ସ ନେଉଥିବାରୁ ପ୍ରତି ରନ୍‌ ପାଇ ଭାରତୀୟ ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ବିଶେଷକରି ଏଭଳି ଅବସ୍ଥାର ପୂରା ଫାଇଦା ଉଠାଇ ବାମହାତୀ ସ୍ପିନର ମାଥ୍ୟୁ କୁହ୍ନେମାନ୍‌ଙ୍କ ପ୍ରଥମ ୫ ୱିକେଟ୍‌ ସଫଳତା ସାଙ୍ଗକୁ ଅଭିଜ୍ଞ ନାଥନ୍‌ ଲାୟନ୍‌ଙ୍କ ୩ ୱିକେଟ୍‌ ଦଖଲ ଯୋଗୁଁ ତାରକା ଖଚିତ ଭାରତୀୟ ଦଳ ୧୦୯ ରନ୍‌ରେ ପ୍ରଥମ ପାଳିର ସମସ୍ତ ୱିକେଟ୍‌ ହରାଇଛି। କୁହ୍ନେମାନ୍‌ ୧୬ ରନ୍‌ରେ ୫ ୱିକେଟ୍‌ ନେଇ କ୍ୟାରିୟର ଶ୍ରେଷ୍ଠ ସଫଳତା ପାଇଛନ୍ତି। ଅଷ୍ଟ୍ରେଲୀୟ ସ୍ପିନରମାନେ ଭାରତ ପ୍ରଥମ ପାଳିକୁ ଦୁଇଟି ସେସନ୍‌ରେ ସଫା କରିଦେଇଥିଲେ। ଷଷ୍ଠ ଓଭରରୁ ଆରମ୍ଭ ହୋଇଥିବା ୱିକେଟ୍‌ ପତନ ମଧ୍ୟାହ୍ନ ବିରତି ବେଳକୁ ୭ରେ ପହଞ୍ଚି ଯାଇଥିଲା। ମଧ୍ୟହ୍ନ ବିରତି ପରେ ଆଉ ୭ ଓଭର ମଧ୍ୟରେ ଅବଶିଷ୍ଟ ୩ ୱିକେଟ୍‌ ଝଡ଼ିଯାଇଥିଲା। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ସ୍କୋରର୍‌ ରହିଥିଲେ। ତେବେ ଟର୍ଣ୍ଣିଂ ଟ୍ରାକ୍‌ରେ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରୁଥିବା କୋହଲି ତୃତୀୟ ଥର ପାଇଁ ଚଳିତ ଶୃଙ୍ଖଳାରେ ପଦାର୍ପଣ କରିଥିବା ଟଡ୍‌ ମର୍ଫିଙ୍କ ଶିକାର ହୋଇଥିଲେ। ସେ ମଧ୍ୟ ଚଳିତ ଶୃଙ୍ଖଳାରେ ଚତୁର୍ଥ ଥର ପାଇଁ ସ୍ପିନରଙ୍କ ଦ୍ବାରା ଆଉଟ୍‌ ହୋଇଛନ୍ତି।

ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ କୋହଲି ଅନ୍ୟତମ ପଦାର୍ପଣକାରୀ ସ୍ପିନର ମାଥ୍ୟୁ କୁହ୍ନେମାନ୍‌ଙ୍କ ଶିକାର ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଦେଜାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଅନାବଶ୍ୟକ ସଟ୍‌ ହିଁ ଭାରତ ପାଳିକୁ ବିଗାଡ଼ି ଦେଇଥିଲା। ଭାରତ କେଏଲ୍‌ ରାହୁଲଙ୍କୁ ବାଦ୍‌ ଦେଇ ଶୁଭମନ ଗିଲ୍‌ଙ୍କୁ ଏବଂ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରିଛି। ଉମେଶ ମଧ୍ୟ ଦୁଇଟି ଛକା ଓ ଗୋଟିଏ ଚୌକା‌ ମାରିବାରୁ ଭାରତ ୧୦୦ ରନ୍‌ ଅତିକ୍ରମ କରିପାରିଥିଲା। ଜବାବରେ ଅଷ୍ଟ୍ରେଲିଆ ଦ୍ବିତୀୟ ଓଭରରେ ଟ୍ରାଭିସ୍‌ ହେଡ୍‌ଙ୍କୁ ହରାଇଥିଲେ ମଧ୍ୟ ଉସ୍‌ମାନ ଖୱାଜାଙ୍କ ବହୁମୂଲ୍ୟ ଅର୍ଦ୍ଧଶତକ ସାଙ୍ଗକୁ ମାର୍ନସ ଲବୁସାନ ଓ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪ ୱିକେଟ୍‌ ବିନିମୟରେ ୧୫୬ ରନ୍‌ କରିନେଇଛି। ସ୍ପିନରଙ୍କ କମାଲ ପରେ ଖୱାଜା ଓ ଲବୁସାନ ଦ୍ବିତୀୟ ୱିକେଟ୍‌ରେ ୯୬ ରନ୍ ଯୋଡ଼ିବାରୁ ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ସ୍ଥିତି ଦୃଢ଼ କରିଛି। ବିଳମ୍ବରେ ହେଲେ ମଧ୍ୟ ରବୀନ୍ଦ୍ର ଜାଦେଜା ସମସ୍ତ ୪ ୱିକେଟ୍‌ ଝଟ୍‌କାଇ ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛନ୍ତି।