ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟକୁ ୯୨ ବର୍ଷ

ନୂଆଦିଲ୍ଲୀ : ଭାରତୀୟ ହକି ଦଳ ହେଉଛି, ଅଲିମ୍ପିକ୍ସ ଇତିହାସର ସଫଳତମ ଦଳ। ଆଧୁନିକ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୮ ସ୍ବର୍ଣ୍ଣ ପଦକ ଜିତିଛି। ୧୯୨୮ ମସିହାଠାରୁ ୧୯୮୦ ମଧ୍ୟରେ ଭାରତ ଏହି ସୁନେଲି ସଫଳତା ହାସଲ କରିଥିଲା। ଭାରତର ଏହି ଐତିହାସିକ ବିଜୟ ଧାରା ୧୯୨୮ ମସିହାରେ ଆରମ୍ଭ ହୋଇଥିଲା। ଏହା ପରେ ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ ଭାରତ ହକିରୁ ସ୍ବର୍ଣ୍ଣ ଜିତିଥିଲା। ୧୯୨୮ ମସିହାରେ ଭାରତ ୩-୦ ଗୋଲ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ମଧ୍ୟ ୧୯୨୦ ମସିହାରେ ଆନୁଷ୍ଠାନିକ ଭାବେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସକୁ ଏକ ଦଳ ପଠାଇଥିବା ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଥିଲା (ଏହା ପୂର୍ବରୁ ୧୯୦୦ ମସିହାରେ ନର୍ମାନ ପ୍ରିଚାର୍ଡ ଏକମାତ୍ର ଖେଳାଳି ଭାବେ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ)। ସେହି ଐତିହାସିକ ସଫଳତା ଭାରତ ୧୯୨୮ ମସିହା ମେ ୨୬ ତାରିଖରେ ହାସଲ କରିଥିଲା। ଫାଇନାଲର ତିନିଟି ଯାକ ଗୋଲ୍ ହକି ଯାଦୁଗର ଧ୍ୟାନଚାନ୍ଦ ଦେଇଥିଲେ।

ବ୍ରିଟିସ୍ ଭାରତର ସେହି ବିଜୟ ସମଗ୍ର ବିଶ୍ବକୁ ଚକିତ କରି ଦେଇଥିଲା। ଯାହାକୁ ନିଜ ଆତ୍ମଜୀବନୀ ‘ଗୋଲ୍‌’ରେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ଧ୍ୟାନଚାନ୍ଦ। ନେଦରଲାଣ୍ଡ୍ସର ଆମଷ୍ଟରଡାମଠାରେ ଖେଳା ଯାଇଥିବା ୧୯୨୮ ମସିହାର ହକି ପ୍ରତିଯୋଗିତାକୁ ଯିବା ପୂର୍ବରୁ ଇଂଲଣ୍ଡରେ ଖେଳିଥିବା ୧୦ଟି ଅଭ୍ୟାସ ମ୍ୟାଚ୍‌ରୁ ୯ଟିରେ ବିଜୟୀ ହେବା ସହ ଗୋଟିକୁ ଅମୀମାଂସିତ ରଖିଥିଲା। ଜର୍ମାନୀରେ ଦୁଇଟି ଓ ବେଲଜିୟମରେ ଗୋଟିଏ ଅଭ୍ୟାସ ମ୍ୟାଚ୍ ବି ଖେଳିଥିଲା। ଯାହା ୟୁରୋପୀୟ ପରିବେଶ ଓ ଖେଳିବା ଶୈଳୀକୁ ବୁଝିବାରେ ଭାରତୀୟ ଖେଳାଳିଙ୍କୁ ଯଥେଷ୍ଟ ସହାୟକ ହୋଇଥିଲା। ଭାରତୀୟ ଦଳ ଏପ୍ରିଲ ୨୪ରେ ଆମଷ୍ଟରଡାମ୍ ପହଞ୍ଚିଥିଲା ଏବଂ ସେଠାରେ ମଧ୍ୟ ଚାରିଟି ମ୍ୟାଚ୍ ଖେଳି ଭଲ ପ୍ରସ୍ତୁତି କରିଥିଲା। ହଜାର ହଜାର କିଲୋମିଟର ଯାତ୍ରା କରି ନେଦରଲାଣ୍ଡ୍ସ ପହଞ୍ଚିଥିବା ଭାରତୀୟ ହକି ଦଳ ମେ ୧୭ ତାରିଖରେ ଅଲିମ୍ପିକ୍ସ ପଦାର୍ପଣ କରିଥିଲା। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬-୦, ଏହା ପରେ ବେଲଜିୟମକୁ ୯-୦, ଡେନମାର୍କକୁ ୫-୦ ଏବଂ ସ୍ବିଜରଲାଣ୍ଡକୁ ୬-୦ ଗୋଲ୍‌ରେ ପରାସ୍ତ କରିଥିଲା। ଗ୍ରୁପ୍-ଏରୁ ଭାରତ ତା’ର ଚାରିଟି ଯାକ ମ୍ୟାଚ୍‌ ଜିତି ସର୍ବାଧିକ ୮ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେପଟେ ଆୟୋଜକ ନେଦରଲାଣ୍ଡ୍ସ ୫ ପଏଣ୍ଟ୍‌ ସହ ଗ୍ରୁପ୍-ବି’ର ପ୍ରଥମ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲା। ୨୩,୪୦୦ ଦର୍ଶକ ଦେଖିଥିବା ଏହି ମ୍ୟାଚ୍‌ରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଭାରତ ବିଜୟୀ ହେବା ସହ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲା। ପରବର୍ତୀ ଦୁଇ ଅଲିମ୍ପିକ୍ସରେ ମଧ୍ୟ ଭାରତ ତା’ର ଆଧିପତ୍ୟ ଜାରି ରଖିଥିଲା। ଭାରତର ସେହି ସ୍ବର୍ଣ୍ଣ ବିଜୟ ଅଧ୍ୟାୟକୁ ମଙ୍ଗଳବାର ୯୨ ବର୍ଷ ପୂରିଛି।

ସମ୍ବନ୍ଧିତ ଖବର