ଅଷ୍ଟ୍ରେଲିଆ ମାଟିରେ ତ୍ରିରଙ୍ଗା ଉଡ଼ାଇଲା ଟିମ୍ ଇଣ୍ଡିଆ: ଅତୁଳନୀୟ ପ୍ରଦର୍ଶନ, ଅସାଧାରଣ ବିଜୟ

ଶେଷ ଦିନର ୩ ନାୟକ ପନ୍ତ-ଗିଲ୍‌-ପୂଜାରା

ବ୍ରିସବେନ୍: ଦଳରେ ନା ଥିଲେ କୋହଲି ନା ଥିଲେ ବୁମ୍‌ରା, ସାମି, ଜାଦେଜା କି ଅଶ୍ବିନଙ୍କ ଭଳି ଅଭିଜ୍ଞ ଖେଳାଳି। ରୋହିତ ଦଳରେ ଥାଇ ବି ସକାଳୁ ସକାଳୁ ଆଉଟ୍‌ ହୋଇ ‌ପ୍ୟାଭିଲିୟନ୍ ଫେରି ଯାଇଥିଲେ। ତେଣୁ ସମସ୍ତଙ୍କ ଛାତି ଧଡ଼ଧଡ଼ ଆରମ୍ଭ ହୋଇ ଯାଇଥିଲା। ଅଧିକାଂଶ କ୍ରିକେଟ୍‌ପ୍ରେମୀ ଭାବି ନେଇଥିଲେ ଯେ ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ଦିନରେ ଗାବାର ଏହି ଘାତକ ପିଚ୍‌ରେ ଅଷ୍ଟ୍ରେଲୀୟ ପେସ୍‌ବାହିନୀ ଅଳ୍ପ ସମୟ ଭିତରେ ଅନଭିଜ୍ଞ ଭାରତୀୟ ଦଳକୁ ଦଳିମକଚି ଦେବ। ୩୨୮ ରନ୍‌ର ପାହାଡ଼ ଭଳି ଲକ୍ଷ୍ୟକୁ ପିଛା କରୁଥିବା ଭାରତର ଚତୁର୍ଥ ଇନିଂସ୍ ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିବ, ଆଉ ଅଷ୍ଟ୍ରେଲିଆ ସହଜରେ ସିରିଜ୍ ହାତେଇନେବ। କିନ୍ତୁ ସବୁ ପୂର୍ବାନୁମାନ ଭୁଲ୍ ପ୍ରମାଣିତ ହେଲା। ଶୁବମନ ଗିଲ୍‌, ଋଷବ ପନ୍ତ ଓ ୱାଶିଂଟନ୍‌ ସୁନ୍ଦରଙ୍କ ଭଳି ଅଧିକାଂଶ ନବାଗତ ଓ ଅନଭିଜ୍ଞ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଏହି ଯୁବ ଦଳ ଏତେ ସହଜରେ ହାର୍‌ ମାନିବାକୁ ପ୍ରସ୍ତୁତ ନ ଥିଲା। ସେମାନେ କେବଳ ଆକ୍ରମଣକୁ ପ୍ରତିହତ କଲେ ନାହିଁ; ପ୍ରତିଆକ୍ରମଣ କରି କଙ୍ଗାରୁ ସେନାକୁ ଘାଇଲା କରିଦେଲେ। ଶେଷ ଟେଷ୍ଟ୍, ଶେଷ ଦିନର ଶେଷ ଅଧିବେଶନରେ ଏହି ଯୁବ ଖେଳାଳିମାନେ ଖାଲି ଅଦମ୍ୟ ସାହସ ଦେଖାଇଲେ ନାହିଁ; ଟ୍ବେଣ୍ଟି-୨୦ ଭଳି ଅବିଶ୍ବସନୀୟ କ୍ରିକେଟ୍‌ ଖେଳି ଏକ ରୋମାଞ୍ଚକର ବିଜୟ ସହ ନୂ୍ଆ ଇତିହାସ ରଚିଲେ। କୋଟିକୋଟି କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଲେ। ଅଷ୍ଟ୍ରେଲିଆ ମାଟିରେ ସଗର୍ବେ ତ୍ରିରଙ୍ଗା ଉଡ଼ାଇଲେ। ଏହି ଐତିହାସିକ ବିଜୟ ସହ ଭାରତ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଲା ଏବଂ ଅଷ୍ଟ୍ରେଲିଆରେ ଲଗାତାର ଶୃଙ୍ଖଳା ବିଜୟର ବିରଳ କୀର୍ତ୍ତିମାନ ବି ସ୍ଥାପନ କଲା।

ଆଜି ଭାରତୀୟ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଥିଲେ ଯୁବ ଓପନର୍ ଶୁବମନ ଗିଲ୍, ଅଭିଜ୍ଞ ଖେଳାଳି ଚେତେଶ୍ବର ପୂଜାରା ଏବଂ ୱିକେଟ୍‌କିପର
ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ। ରୋହିତ ଶର୍ମା ସହଳ ବିଦାୟ ନେଇଯିବା ପରେ ଗିଲ୍‌ ୯୧ ରନ୍‌ର ପ୍ରଭ‌ାବୀ ଇନିଂସ ଖେଳି ଦୃଢ଼ ମୂଳଦୁଆ ପକାଇଥିବାବେଳେ ପୂଜାରା କାନ୍ଥ ଭଳି ଅଷ୍ଟ୍ରେଲୀୟ ପେସ୍‌ ଆକ୍ରମଣକୁ ପ୍ରତିହତ କରିଥିଲେ ଏବଂ ବିଦାୟ ନେବା ପୂର୍ବରୁ ୨୧୧ ବଲ୍‌ରୁ ୫୬ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ତେବେ ଆଜି ଏହି ମ୍ୟାଚ୍‌ର ପ୍ରକୃତ ହିରୋ ଥିଲେ ଋଷବ ପନ୍ତ। ଆରମ୍ଭରୁ ସତର୍କତାର ସହ ଖେଳି ପନ୍ତ ପରାଜୟ ଆଶଙ୍କାକୁ ଏଡ଼ାଇଦେବା ପରେ ଶେଷ ୧୦ ଓଭରରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ନିର୍ଦ୍ଦୟ ପ୍ରହାର କରି ୮୯ ରନ୍‌ର ଅପରାଜିତ ପାଳି ସହ ଇପ୍‌ସିତ ବିଜୟକୁ ଛଡ଼ାଇ ଆଣିଥିଲେ। ଟେଷ୍ଟ କ୍ରିକେଟ୍‌ରେ ବି ଯେ ଏ ଭଳି ଅପୂର୍ବ ରୋମାଞ୍ଚ, ଉତ୍କଣ୍ଠା ଓ ନାଟକୀୟ ମୁହୂର୍ତ୍ତ ସୃଷ୍ଟି ହୋଇପାରେ, ତାହା ସମସ୍ତଙ୍କ କଳ୍ପନାର ବାହାରେ ଥିଲା। ଆଡିଲେଡ୍‌ରେ ୩୬ ରନ୍‌ରେ ଅଲଆଉଟ୍ ହେବାର ପାଉଁଶ ତଳୁ ଉଠି କଙ୍ଗାରୁ ସେନାକୁ ତା’ ଗଡ଼ରେ ସଂପୂର୍ଣ୍ଣ ଚିତ୍‌ କରି ୨-୧ରେ ଶୃଙ୍ଖଳା ଜିତିବା କୌଣସି ଚଳଚ୍ଚିତ୍ରର କାହାଣୀଠୁ ବି ଅଧିକ ରୋମାଞ୍ଚକର ଥିଲା। ପୂରା ଶୃଙ୍ଖଳାରେ ଯେଉଁ ଯୁବ ଭାରତୀୟ ଦଳକୁ ଦିଗ୍ଗଜମାନେ ଅନଭିଜ୍ଞ ଓ ମାମୁଲି କହି ଅଣଦେଖା କରିଥିଲେ, ସେହି ଦଳର ଅତୁଲନୀୟ ପ୍ରଦର୍ଶନ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି। ସାରା ବିଶ୍ବ ଆଜି ଭାରତୀୟ ଯୁବ ଦଳର ଭୁରିଭୁରି ପ୍ରଶଂସାରେ ଶତମୁଖ ହୋଇପଡ଼ିଛି।

 ଗାବାରେ ୩୨ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ
 ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବିଶ୍ବରୁ ଶୁଭେଚ୍ଛାର ସୁଅ
 ବିସିସିଆଇର ୫ କୋଟିର ବୋନସ୍ ଘୋଷଣା

ଆହତ ଖେଳାଳିଙ୍କ ଲମ୍ବା ତାଲିକା, ତାରକା ଖେଳାଳିଙ୍କ ଅନୁପସ୍ଥିତି, ବର୍ଣ୍ଣବୈଷମ୍ୟର କୁତ୍ସିତ ଆକ୍ଷେପ ଓ କିଂବଦନ୍ତିଙ୍କ ନକାରାତ୍ମକ ପୂର୍ବାନୁମାନକୁ ଭୁଲ ପ୍ରମା‌ଣିତ କରି ଭାରତ ଆଜି ଯେଉଁ ବିଜୟ ବାନା ଉଡ଼ାଇଲା, ତାହା ଆସନ୍ତା ଅନେକ ପିଢ଼ି ପାଇଁ ‌ବି ଅନନ୍ୟ ଉଦାହରଣ ଏବଂ ପ୍ରେରଣାର ଅସରନ୍ତି ଉତ୍ସ ପାଲଟିବ ବୋଲି କହିଛନ୍ତି ପ୍ରଶଂସକ। କେବଳ କ୍ରିକେଟ୍ ଜଗତ ନୁହେଁ, ଭିନ୍ନ ଦୁନିଆର ବହୁ ସଫଳ ଏବଂ ନାମୀଦାମୀ ବ୍ୟକ୍ତି ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛାର ବର୍ଷା କରୁଛନ୍ତି। ଟ୍ବିଟର, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ଭାରତର ଏହି ବିଜୟକୁ ନେଇ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୁଗୁଲ୍‌ର ମୁଖ୍ୟ ସୁନ୍ଦର ପିଚାଇ, କିଂବଦନ୍ତି କ୍ରିକେଟର ଭିଭିଆନ୍ ରିଚାର୍ଡସ, ଏବି ଡି’ଭିଲିୟର୍ସ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଆଇସିସି ପ୍ରମୁଖ ଭାରତୀୟ ଦଳକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିସିସିଆଇ ସଭାପତି ତଥା ବିଦେଶ ମାଟିରେ ଭାରତକୁ ବିଜୟର କଳା ଶିଖାଇଥିବା ସୌରଭ ଗାଙ୍ଗୁଲି ମଧ୍ୟ ଭାରତର ଏହି ବିଜୟ ଯୁଗ ଯୁଗ ଧରି ମନେ ରହିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଐତିହାସିକ ବିଜୟର ଉପହାର ସ୍ବରୂପ ବିସିସିଆଇ ସଂପାଦକ ଜୟ ଶାହ ଭାରତୀୟ ଦଳ ପାଇଁ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ଦଳର ଏହି ଅନନ୍ୟ ସଫଳତା ପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ସାଧାରଣ ଜନତାଙ୍କଠାରୁ ନେଇ ପୂର୍ବତନ କ୍ରିକେଟ୍ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ଖେଳାଳିଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଆଜି ଭାରତର ପ୍ରଦର୍ଶନ ଛାଇ ରହିଛି।

ଏହି ସ୍ମରଣୀୟ ଗସ୍ତରେ କେବଳ ଜଣେ କିମ୍ବା ଦୁଇ ଜଣ ଖେଳାଳି ଭାରତକୁ ସିରିଜ୍ ବିଜୟୀ କରି ନାହାନ୍ତି। ଦଳଗତ ପ୍ରଦର୍ଶନର ବଳିଷ୍ଠ ନମୁନା ଦେଖାଇ ପ୍ରତିଟି ମ୍ୟାଚ୍‌ରେ ନୂଆନୂଆ ଖେଳାଳି ନିଜ ପରାକାଷ୍ଠା ଦେଖାଇଛନ୍ତି। ଆଡିଲେଡ୍‌ରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ରାହାଣେଙ୍କ ଶତକ ବଳରେ ଚମତ୍କାର ବିଜୟ ପାଇ ଶୃଙ୍ଖଳା ବରାବର କରିଥିଲା ଟିମ୍ ଇଣ୍ଡିଆ। ଋଷବ ପନ୍ତଙ୍କ ଆକ୍ରମଣାତ୍ମକ ଇନିଂସ ଓ ହନୁମା ବିହାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଜରିଆରେ ସିଡ୍‌ନି ଟେଷ୍ଟକୁ ଅମୀମାଂସିତ ରଖିବା ପରେ ଭାରତ ପାଇଁ ଚତୁର୍ଥ ଟେଷ୍ଟ୍‌ ଥିଲା ଶୃଙ୍ଖଳାର ନିର୍ଣ୍ଣାୟକ ଲଢ଼େଇ। ଶେଷରେ ଋଷବ ପନ୍ତଙ୍କ ସାହସୀ ବ୍ୟାଟିଂ ପାଇଁ ଭାରତ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଜୋସ୍ ହାଜେଲଉଡ୍‌ଙ୍କୁ ଚୌକା ମାରି ମ୍ୟାଚ୍ ଓ ଶୃଙ୍ଖଳା ବିଜୟର ମୁଣ୍ଡି ମାରିବା ପରେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ଦୀର୍ଘ ସମୟ ଧରି କୁଣ୍ଢାଇ ଧରିବା ପଡ଼ିଆ ଭିତରେ ଭାବବିହ୍ବଳ ଏବଂ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ପନ୍ତ ମ୍ୟାଚ୍ ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

୨୦୧୮-୧୯ରେ ବିରାଟ କୋହଲିଙ୍କ ନେତୃତ୍ବରେ ନିଜ ଟେଷ୍ଟ୍ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିଥିଲା ଟିମ୍ ଇଣ୍ଡିଆ। ଚଳିତ ଗସ୍ତର ଧମାକାଦାର ବିଜୟ ପରେ ଅଷ୍ଟ୍ରେଲିଆରେ ସଫଳତମ ବିଦେଶୀ ଦଳର ଉପାଧି ସାଉଁଟିଛି। ମଙ୍ଗଳବାରର ଏହି ଅଭୁଲା ବିଜୟ ସହ ତୀବ୍ର ଆହ୍ବାନଭରା ଗାବା ପିଚ୍‌ରେ ୩୨ ବର୍ଷ ଧରି ଅପରାଜେୟ ରହିଥିବା ଘରୋଇ ଅଷ୍ଟ୍ରେଲିଆର ଆତ୍ମବଡ଼ିମା‌ ଓ ଗର୍ବକୁ ଭାଙ୍ଗି କ୍ରିକେଟ୍ ଇତିହାସରେ ସାହସ ଓ ସଙ୍କଳ୍ପର ସୁନେଲି ଅଧ୍ୟାୟ ଯୋଡ଼ିଛି ଯୁବ ଭାରତୀୟ ଦଳ। ଅନୁଭବର ପାହାଡ଼ ଉପରେ ଛିଡ଼ା ହୋଇ ନଥିଲେ ମଧ୍ୟ ସାହସ, ଧୈର୍ଯ୍ୟ, ଏକାଗ୍ରତା ଏବଂ ଅଧ୍ୟବସାୟ ଥିଲେ ଅସମ୍ଭବକୁ ବି ସମ୍ଭବ କରିହୁଏ, ତାହା ପ୍ରମାଣିତ କରିଛି ରାହାଣେଙ୍କ ଆତ୍ମବିଶ୍ବାସରେ ଭରପୂର ତଥା କେବେ ବି ହାର ନ ମାନିବାର ଲଢ଼ୁଆ ପ୍ରବୃତ୍ତି ଥିବା ଯୁବ ଦଳ।

 

ସମ୍ବନ୍ଧିତ ଖବର