ଫାଇନାଲ୍‌ରେ ଭାରତ ଫ୍ଲପ୍‌: ଅଷ୍ଟ୍ରେଲିଆକୁ ପଞ୍ଚମ ମୁକୁଟ

ମେଲବର୍ନ: ଅପରାଜିତ ରହି ଫାଇନାଲ୍‌ ପହଞ୍ଚିଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଟ୍ରଫି ଲଢ଼େଇ ବେଳକୁ ବିଫଳ ହେଲା। ବିଶ୍ବ ମହିଳା ଦିବସରେ ବି ସମକକ୍ଷ ଲଢ଼େଇ କରିପାରିଲେ ନାହିଁ। ଫଳରେ ଭାରତର ମହିଳା ବିଶ୍ବକପ୍‌ ସ୍ବପ୍ନ ଦୁଃସ୍ବପ୍ନ ଭଳି ଅଧୁରା ରହିଲା। ହରମନ୍‌ପ୍ରୀତ୍ କୌରଙ୍କ ଦଳକୁ ଶୋଚନୀୟ ଭାବେ ୮୫ ରନ୍‌ରେ ହରାଇ ଘରୋଇ ଅଷ୍ଟ୍ରେଲିଆ ପଞ୍ଚମ ଥର ପାଇଁ ଆଇସିସି ଟି-୨୦ ବିଶ୍ବକପ୍‌ ମୁକୁଟ ହାସଲ କରିନେଇଛି। ବିଶ୍ବ କ୍ରିକେଟ୍‌ର ଅପ୍ରତିଦ୍ବନ୍ଦ୍ବୀ ମହିଳା ଦଳ ଭାବେ ମଧ୍ୟ ଅଷ୍ଟ୍ରେଲିଆ ପୁଣି ଥରେ ନିଜକୁ ପ୍ରମାଣିତ କରିଛି। ଫାଇନାଲ୍‌ରେ ଚମକ ‌ଦେଖାଇଥିବା ଆଲିସା ହିଲି ମ୍ୟାଚ୍‌ର ଏବଂ ବେଥ୍‌ ମୁନି ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ହିଁ ମେଲବର୍ନର ଫ୍ଲାଟ୍‌ ପିଚ୍‌ରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଯୋଡ଼ି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ। ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇ ଆଲିସା ହିଲି ଏବଂ ବେଥ୍ ମୁନି ପ୍ରଥମ ୱିକେଟ୍ ଭାଗୀଦାରିରେ ୧୧.୪ ଓଭରରୁ ୧୧୫ ରନ୍ ସଂଗ୍ରହ କରିଥିଲେ। ଏହି ମୂଳଦୁଆ ପରେ ଅଷ୍ଟ୍ରେଲିଆ ଆଉ ପଛକୁ ଫେରି ଚାହିଁନଥିଲା। ଅନ୍ତର୍ଜାତୀୟ କ୍ରିକେଟର୍‌ ସ୍ବାମୀ ମିଚେଲ ଷ୍ଟାର୍କଙ୍କ ଉପସ୍ଥିତିରେ ଆଲିସା ମଧ୍ୟ ନିଜ ଫର୍ମକୁ ଫେରି ବିସ୍ଫୋରକ ପାଳି ଖେଳି ମ୍ୟାଚ୍‌କୁ ପ୍ରଥମ ବଲ୍‌ରୁ ହିଁ ନିଜ ସପକ୍ଷରେ ରଖିଥିଲେ। ମାତ୍ର ୩୦ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରିଥିବା ଆଲିସା ୩୯ ବଲ୍‌ରୁ ୭୫ ରନ୍ କରି ରାଧା ଯାଦବଙ୍କ ଶିକାର ହୋଇଥିଲେ। ଆଲିସାଙ୍କ ପାଳିରେ ୫ ଦର୍ଶନୀୟ ଛକା ସହିତ ୭ ଚୌକା ସାମିଲ ଥିଲା। ବେଥ୍ ମୁନି କିନ୍ତୁ ଫାଇନାଲ୍ ମ୍ୟାଚ୍‌ରେ ପାଳି ସାରା ବ୍ୟାଟିଂ କରିବାର ବିରଳ କୀର୍ତ୍ତିମାନ କରିଥିଲେ। ୫୪ ବଲ୍‌ର ସମ୍ମୁଖୀନ ହୋଇଥିବା ‌ମୁନି ୧୦ ଚୌକା ବଳରେ ୭୮* ରନ୍‌ କରିଥିଲେ। ଦୀପ୍ତି ଶର୍ମା ଗୋଟିଏ ଓଭରରେ ଅଧିନାୟିକା ମେଗ୍‌ ଲାନିଙ୍ଗ୍ (୧୬) ଏବଂ ବିପଜ୍ଜନକ ଆସଲେ ଗାର୍ଡନର୍‌ (୨)ଙ୍କୁ ଆଉଟ୍ କରିଥିଲେ। ରାଚେଲ୍‌ ହେନ୍ସଙ୍କୁ ପୁନମ ୟାଦବ ବୋଲ୍‌ଡ କରି‌ଦେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବଡ଼ ସ୍କୋର୍‌ ଛିଡ଼ା କରିସାରିଥିଲା। ଦଳ ୧୮୪/୪ ସହ ଦୃଢ଼ ସ୍ଥିତି ପାଇଥିଲା।

୧୮୫ ରନ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ କିନ୍ତୁ ପ୍ରଥମ ପାଳିରୁ ହିଁ ଆତ୍ମବିଶ୍ବାସ ହରାଇ ଦେଇଥିବାର ପ୍ରମାଣ ଦେଇଥିଲେ। ପାୱାର ପ୍ଲେ ଭିତରେ ଭାରତ ୩୨ ରନ୍‌ ସଂଗ୍ରହ କରି ଶୀର୍ଷ ୪ ୱିକେଟ୍ ହରାଇବା ପରେ ପରାଜୟ ବରଣ ଏକ ଔପଚାରିକତା ପାଲଟିଯାଇଥିଲା। ୧୬ ବର୍ଷୀୟା ଶେଫାଳି ବର୍ମା (୨), ଅଭିଜ୍ଞା ସ୍ମୃତି ମନ୍ଧାନା (୧୧), ଯୁବ ପ୍ରତିଭା ଜେମିମା ରଡ୍ରିଗ୍ବେଜ (୦) ଏବଂ ଅଧିନାୟିକା ହରମନପ୍ରୀତ୍ କୌର୍ (୪) ପେସ୍‌ ବୋଲିଂର ଶିକାର ହୋଇଥିଲେ। ୱିକେଟ୍‌ରକ୍ଷକ ବ୍ୟାଟର୍‌ ତାନିଆ ଭାଟିଆ ରିଟାର୍ଡ ହର୍ଟ ହେବା ମଧ୍ୟ ଭାରତର ମେରୁଦଣ୍ଡକୁ‌ ମୋଡ଼ି ଦେଇଥିଲା। ମଧ୍ୟକ୍ରମରେ ଦୀପ୍ତି ଶର୍ମା (୩୩, ୩୫ ବଲ୍‌), ବେଦ କୃଷ୍ଣମୂର୍ତ୍ତି (୧୯), ରିଚା ଘୋଷ (୧୮) ସାମୟିକ ସଂଘର୍ଷ କରିଥିଲେ। ତଥାପି ବିନା ଲଢ଼େଇରେ ଆତ୍ମସମର୍ପଣ କରିବା ଭଳି ଭାରତର ପାଳି ୫ ବଲ୍‌ ପୂର୍ବରୁ ୯୯ ରନ୍‌ରେ ଶେଷ ହୋଇଯାଇଥିଲା। ରିଟାର୍ଡ ହର୍ଟ ତାନିଆଙ୍କ ମସ୍ତିସ୍କାଘାତ ବଦଳ ଖେଳାଳି ଭାବେ ରିଚା ଫାଇନାଲ୍‌ ଖେଳିବାର ସୁଯୋଗ ପାଇଥିଲେ। ଘରୋଇ ଦଳର ଦୁଇ ନୂଆ ବଲ୍‌ ବୋଲର ମେଗନ୍‌ ସ୍କୁଟ୍‌ (୩.୧-୦-୧୮-୪) ଏବଂ ଜେସ୍ ଜୋନାସନ୍ (୪-୦-୨୩-୩) ହିଁ ଭାରତ ପାଳିକୁ ବିଧ୍ବସ୍ତ କରି ଦେଇଥିଲେ। ଘରୋଇ ପରିବେଶ ଏବଂ ୮୭,୦୦୦ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆ ବିଶ୍ବ ମୁକୁଟ ଜିତି ପୁରୁଷଙ୍କ ୫୦ ଓଭରିଆ ବିଶ୍ବକପ୍‌ ବିଜୟ କୀର୍ତ୍ତିମାନର ସମକକ୍ଷ ହୋଇଥିଲା। ଅଷ୍ଟ୍ରେଲିଆ ପୁରୁଷ ଦଳ କିନ୍ତୁ ଥରେ ମାତ୍ର ଟି-୨୦ ବିଶ୍ବକପ୍‌ ଜିତି ପାରିନାହିଁ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୦ ଓଭରରେ ୧୮୪/୪ (ଆଲିସା ହିଲି-୭୫, ବେଥ୍ ମୁନି-୭୮*, ଦୀପ୍ତି ଶର୍ମା-୨/୩୮, ପୁନମ ୟାଦବ-୧/୩୦, ରାଧା ୟାଦବ-୧/୩୪)। ଭାରତ ୧୯.୧ ଓଭରରେ ୯୯ (ଦୀପ୍ତି ଶର୍ମା-୩୩, ବେଦ କୃଷ୍ଣମୂର୍ତି-୧୯, ରିଚା ଘୋଷ-୧୮, ମେଗନ୍ ସ୍କୁଟ୍‌-୪/୧୮, ଜେସ୍‌ ଜୋନାସନ୍‌-୩/୨୦, ଡି କିମିନ୍ସ-୧/୧୭, ଏସ୍ ମେଲିନକ୍ସ-୧/୨୧, ଏନ୍ କ୍ୟାରି-୧/୨୩)।

ସମ୍ବନ୍ଧିତ ଖବର