ତୌରଙ୍ଗା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଉଣ୍ଟମଙ୍ଗନୁଇରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓ୍ୱିକେଟ୍ ହରାଇ ୧୬୩ ରନ୍ କରିଛି। ଫଳରେ ଶୃଙ୍ଖଳାର ଅନ୍ତିମ ମ୍ୟାଚକୁ ନିଜ ପକ୍ଷକୁ ନେବାକୁ ନ୍ୟୁଜିଲାଣ୍ଡକୁ ୧୬୪ ରନ୍ କରିବାକୁ ପଡ଼ିବ।
ଆଜି ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି ଓ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପଡ଼ିଆକୁ ଓହ୍ଲାଇଛି। ରୋହିତ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କେ.ଏଲ୍. ରାହୁଲ୍ ଓ ସଂଜୁ ସାମସଙ୍ଗ ଭାରତୀୟ ଇନିଂସ ଆରମ୍ଭ କରିଥିଲେ ହେଁ ଦଳର ରନ୍ ସଂଖ୍ୟା ମାତ୍ର ୮ ଥିବା ବେଳେ ସଂଜୁ ଶସ୍ତାରେ ନିଜ ଓ୍ୱିକେଟ୍ ହରାଇଥିଲେ। ଏହାପରେ ରୋହିତ ଶର୍ମା ରାହୁଲଙ୍କ ସହିତ ଦଳର ବ୍ୟାଟିଂକୁ ଆଗକୁ ନେଇଥିଲେ। ତେବେ କେ.ଏଲ୍. ରାହୁଲ୍ ୩୩ ବଲରେ ୪୫ ରନ୍ କରି ଅଉଟ୍ ହୋଇ ପାଭଲିଅନକୁ ଫେରିଥିଲେ। ପରେ ଶ୍ରେୟସ୍ ଆୟରଙ୍କୁ ସାଥି କରି ଶର୍ମା ଦଳର ରନ୍ ସଂଖ୍ୟା ଆଗକୁ ବଢ଼ାଇଥିଲେ। ଅଧିନାୟକ ରୋହିତ ଶର୍ମା ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୫ ବଲ୍ ଖେଳି ୬୦ ରନ କରିଥିବା ବେଳେ ସାମାନ୍ୟ ଆହତ ହୋଇ ପାଭଲିଅନକୁ ଫେରିବା ପରେ ତାଙ୍କ ସ୍ଥାନ ନେଇଥିଲେ ଶିବମ୍ ଦୁବେ। ଦଳର ରନ୍ ସଂଖ୍ୟା ୧୪୮ ଥିବା ସମୟରେ ଦୁବେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ୍ ଆୟରଙ୍କୁ ସାଥ ଦେବା ଲାଗି ପଡ଼ିଆକୁ ଓହ୍ଲାଇଥିଲେ ମନୀଷ ପାଣ୍ଡେ। ମନୀଷ ଓ ଶ୍ରେୟସ୍ ଶେଷ ଦୁଇ ଓଭରରେ ଧମାକାଦାର ବ୍ୟାଟିଂ କରି ଭାରତୀୟ ଦଳର ରନ୍ ସଂଖ୍ୟକୁ ୧୬୩ରେ ପହଞ୍ଚାଇଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ୧୬୪ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ।
163 on the board. Can #TeamIndia defend the target? 🧐🧐 #NZvIND pic.twitter.com/GlS4lqIoJL
— BCCI (@BCCI) February 2, 2020
ଭାରତ ହାତରେ ପ୍ରଥମ ଚାରିଟି ମ୍ୟାଚ୍ ଜିତି ୪-୦ରେ ଆଗୁଆ ଥିବା ଭାରତ ପାଇଁ ଏଥିରେ ନ୍ୟୁଜିଲାଣ୍ଡ ମାଟିରେ ବିରଳ ‘୫-୦’ ମୂଳପୋଛ ହାସଲ କରିବାର ସୁଯୋଗ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନିଟି ମ୍ୟାଚ୍ରେ କ୍ରମାଗତ ବିଜୟ ହାସଲ କରିଥିବା କୋହଲି ବାହିନୀ ଚତୁର୍ଥ ମ୍ୟାଚ୍ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ତଥାପି ଏହି ରୋମାଞ୍ଚକର ଲଢ଼େଇକୁ ସୁପର ଓଭରରେ ଜିତି ନେଇଥିଲା। ଶୃଙ୍ଖଳାରେ ମଧ୍ୟ ଏହା ଦଳର ଲାଗାତର ଦ୍ବିତୀୟ ସୁପର ଓଭର ବିଜୟ ଥିଲା। ଭାରତର ଉଭୟ ସୁପର ଓଭର ବିଜୟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା।
ଭାରତ: ରୋହିତ ଶର୍ମା, ସଞ୍ଜୁ ସାମସନ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, ୱାସିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମରା।
ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, କଲିନ ମୁନ୍ରୋ, ଟିମ୍ ସେଫର୍ଟ, ରସ୍ ଟେଲର, ଟମ୍ ବ୍ରୁସ୍, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଈଶ୍ ସୋଢ଼ି, ଟିମ୍ ସାଉଦି, ହାମିସ ବେନେଟ, ସ୍କଟ୍ କୁଗେଲିନ।