ବକ୍ସିଂ ଡେ’ରେ ଭାରତ ଭଲ: ମୟଙ୍କ, ପୂଜାରା, କୋହଲିଙ୍କ ବଳରେ ଭାରତ ୨୧୫/୨

ମେଲ୍‌ବର୍ନ: ମେଲବର୍ନ ଟେଷ୍ଟ୍‌ର ବକ୍ସିଂ ଡେ’ ଭାରତ ସପକ୍ଷରେ ଯାଇଛି। ଟସ୍ ଜିତିବା, ପଦାର୍ପଣରେ ମୟଙ୍କ ଅଗ୍ରୱାଲ ଅର୍ଧଶତକ ଜମାଇବା ପରେ ଚେତେଶ୍ବର ପୂଜାରା-ବିରାଟ କୋହଲିଙ୍କ ଶତକ ପ୍ରାୟ (୯୨*) ଭାଗୀଦାରି ଭାରତକୁ ପ୍ରଥମ ଦିନର ସମ୍ମାନ ଏବଂ ଦୃଢ଼ ମୂଳଦୁଆ ପ୍ରଦାନ କରିଛି। ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୨ ୱିକେଟ୍ ହରାଇ ୨୧୫ ରନ୍ କରି ସମ୍ଭାବନାର ଝଲକ ଦେଖାଇଛି। ମେଲବର୍ନ ପିଚ୍‌କୁ‌ ନେଇ ରହିଥିବା ଚର୍ଚା ଏବଂ ଦ୍ବନ୍ଦ୍ବର ବି ଅସବାନ ଘଟିନାହିଁ। ଗତ ବର୍ଷର ଆଇସିସି ଧାରଣା ମଧ୍ୟ ବିଶେଷ ଭାବେ ବଦଳିଥିବା ମନେ ହେଉନାହିଁ। ମେଲବର୍ନରେ ଏବେ ବି ଫ୍ଲାଟ ପିଚ୍‌ ରହିଛି। ତଥାପି ୧୦ ମିଲିମିଟର୍ ଘାସକୁ‌ ନେଇ ଟସ୍ ଉପରେ ରହିଥିଲା ନଜର। ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଅଷ୍ଟ୍ରେଲିଆ ବୋଲର ଦିନ ତମାମ ସଂଘର୍ଷ କରିବାକୁ ବାଧ୍ୟ ‌ହୋଇଛନ୍ତି। ପ୍ୟାଟ କମିନ୍ସଙ୍କ ୨ ୱିକେଟ୍ ସଫଳତା ବାଦ୍‌ ଅନ୍ୟମାନଙ୍କୁ ୱିକେଟ୍‌ଶୂନ୍ୟ ରହିବାକୁ ପଡ଼ିଛି ବକ୍ସିଂ ଡେ’ରେ। ପ୍ରଥମ ଘଣ୍ଟାରେ ବଲ୍ କ୍ବଚିତ୍ ଟିମ୍ ପେନ୍‌ଙ୍କ ଗ୍ଲୋଭକୁ ଯିବା ଏବଂ ସ୍ଲିପ୍ କର୍ଡନ ପହଞ୍ଚିବା ନଜରକୁ ଆସିଥିଲା। ତଥାପି କମିନ୍ସଙ୍କ ଘାତକ ସ୍ପେଲ୍‌ ଅସୀମ ଧୈର୍ଯ୍ୟରେ ଖେଳୁଥିବା ଭାରତର ନୂଆ ପ୍ରାରମ୍ଭିକ ଯୋଡ଼ି ହନୁମା ବିହାରୀ ଏବଂ ମୟଙ୍କ ଅଗ୍ରୱାଲଙ୍କ ଢେର ପରୀକ୍ଷା ନେଇଥିଲା। ୧୯ତମ ଓଭରରେ ବିହାରୀ କିନ୍ତୁ ଏକ ସର୍ଟ ବଲ୍‌କୁ ଖରାପ ଖେଳି ୱିକେଟ୍‌ ହରାଇ ଦେଇଥିଲେ। କିନ୍ତୁ ପ୍ରଥମ ଥର ଟେଷ୍ଟ୍ କ୍ରିକେଟ୍‌ରେ ପାଳି ଆରମ୍ଭ କରି ଏକ ପ୍ରକାର ଅଧା କାମ ଶେଷ କରି ଦେଇଥିଲେ। ବଲ୍‌କୁ ପୁରୁଣା କରିବା ଏବଂ ଚିକ୍କଣ ହଟାଇବାରେ ଢେର ଯୋଗଦାନ ରଖିଥିଲେ। ଅନ୍ୟପକ୍ଷରେ ମେଲବର୍ନ ଭଳି ପଡ଼ିଆ ଏବଂ ବକ୍ସିଂ ଡେ’ ଭଳି ପରିବେଶରେ ଟେଷ୍ଟ୍ ପଦାର୍ପଣ ପାଇଥିବା ମୟଙ୍କ ଅଗ୍ରୱାଲ ସୁଯୋଗର ସଦ୍‌ବ୍ୟବହାର କରିଥିଲେ। ଚମତ୍କାର‌ ଖେଳି ଅଷ୍ଟ୍ରେଲିଆର କୌଣସି ବୋଲରଙ୍କୁ ୱିକେଟ୍‌ ଫିଙ୍ଗିବା ସୁଯୋଗ ଦେଇନଥିଲେ। ଅଷ୍ଟ୍ରେଲିଆର କୌଣସି ବୋଲର ଖରାପ ବୋଲିଂ କରିନଥିଲେ। ମିଚେଲ ଷ୍ଟାର୍କ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ‌ବି ବୋଲିଂ କରିଥିଲେ। ଜୋସ୍ ହାଜେଲଉଡ୍‌ ଆଉଟ୍‌ ସାଇଡ୍‌ ଏଜର ଆହ୍ବାନ ଦେଇଥିଲେ, ମିଚେଲ ମାର୍ସ ନିଜ ପ୍ରତ୍ୟାବର୍ତନର ପ୍ରଥମ ସ୍ପେଲ୍‌ରେ ୧୫ ଟାଇଟ୍ ଓଭର ବୋଲିଂ କରିଥିଲେ। ଭାରତୀୟ ପ୍ରାରମ୍ଭିକ ଯୋଡ଼ି କିନ୍ତୁ ଡଟ୍ ପରେ ଡଟ୍ ଖେଳି ସବୁକୁ ପ୍ରତିହତ କରିଥିଲେ। ‌ଚା’ପାନ ବିରତି ପରେ କୋହଲିଙ୍କୁ ଏଲବିଡବଲ୍ୟୁ ଆଦେବନ କରି ଅଷ୍ଟ୍ରେଲିଆ ମଧ୍ୟ ରିଭ୍ୟୁ ହରାଇଥିଲା। ଦ୍ବିତୀୟ ନୂଆ ବଲ୍‌ ଆସିବା ପରେ ବଲ୍‌ କୋହଲିଙ୍କ ବ୍ୟାଟ୍ ଧାର ଛୁଇଁ ୱିକେଟରକ୍ଷକ ଟିମ୍‌ ପେନ୍‌ଙ୍କ ଡାହାଣ ହାତରେ ବାଜିବା ସତ୍ତ୍ବେ ସେ ବର୍ତିଯାଇଥିଲେ। ଏହି ଓଭରରେ ଷ୍ଟାର୍କ ଥରେ କୋହଲିଙ୍କୁ ପ୍ୟାଡ୍ ହିଟ୍ କରିବା, ଇନ୍ ସାଇଡ୍ ଏଜ୍‌ରେ ବଞ୍ଚିତ ହେବା ଏବଂ ଲେଗ୍ ବିଫୋର ୱିକେଟ୍‌ ଭଳି ଭୟଙ୍କର ପରିସ୍ଥିତି ଆଣିଥିଲେ। କୋହଲି କିନ୍ତୁ ସବୁକିଛିର ବିଜେତା ହୋଇ ବ୍ୟକ୍ତିଗତ ୪୭* ରନ୍‌ରେ (୧୪୭ ବଲ୍‌, ୬‌ ଚୌକା) ରହିଛନ୍ତି। ଶୃଙ୍ଖଳାର ଅଗ୍ରଣୀ ରନ୍‌ ସ୍କୋରର୍ ଚେତେଶ୍ବର ପୂଜାରା (୬୮*, ୨୦୦ ବଲ୍‌, ୬ ଚୌକା)ଙ୍କ ସହିତ କୋହଲି ଅତୁଟ ତୃତୀୟ ୱିକେଟ୍ ପାଇଁ ୯୨ ରନ୍ ଯୋଡ଼ି ସାରିଛନ୍ତି। ଭାରତର ପ୍ରାରମ୍ଭି‌କ ଯୋଡ଼ି ମଧ୍ୟରୁ ହାଇଦ୍ରାବାଦୀ ତାରକା ହନୁମା ବିହାରୀ (୮, ୬୬ ବଲ୍‌) ପ୍ରଶଂସନୀୟ ନଥିଲେ ମଧ୍ୟ ପାଳି ଆରମ୍ଭର ଦକ୍ଷତା ‌ଦେଖାଇଥିଲେ। ମୟଙ୍କ ଅଗ୍ରୱାଲ କିନ୍ତୁ ପଦାର୍ପଣକୁ ସ୍ମରଣୀୟ କରିଥିଲେ। ତାଙ୍କ ଅର୍ଧଶତକୀୟ ପାଳି (୭୬, ୧୬୧ ବଲ, ୮ଚୌକା, ୧ ଛକା) ଭିତରେ ପଡିଆର ଚତୁଃପାର୍ଶ୍ବକୁ ପଠାଇଥିବା ସଟ୍ ମାନ ତାଙ୍କ ଉପରେ ଅଖଣ୍ଡ ବିଶ୍ବାସ ଛାଡ଼ିଛି। ପଦାର୍ପଣ ଶତକ ଆଡକୁ ଗତି କରୁଥିଲେ ମଧ୍ୟ କମିନ୍ସଙ୍କ ଲେଗ୍ ସାଇଡ୍ ବଲ୍‌କୁ ଖେଳି ଚା’ପାନ ବିରତି ପୂର୍ବରୁ ଟିମ୍ ପେନ୍‌ଙ୍କ ଗ୍ଲୋଭ୍‌ସରେ ଧରାପଡ଼ିଯାଇଥିଲେ। ତଥାପି ପଦାର୍ପଣର ପ୍ରଥମ ପାଳିରେ ଅର୍ଧଶତକ ହାସଲ କରିବାରେ‌ ସେ କିମ୍ବଦନ୍ତୀ ତାରକା ସୁନୀଲ ଗାଭାସ୍କରଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଥିଲେ।

ପ୍ରତୀକ୍ଷାର ଅନ୍ତ: ମୟଙ୍କ ଖୁସି ଓ ଆଶ୍ବସ୍ତ

ମେଲବର୍ନ: ଏକ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। କର୍ଣ୍ଣାଟକ ଡାହାଣହାତୀ ବ୍ୟାଟସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ‌ଶେଷରେ ଟେଷ୍ଟ୍ କ୍ରିକେଟ୍‌ରେ ପଦାର୍ପଣ କରିଛନ୍ତି। ଗତବର୍ଷ କେବଳ ନଭେମ୍ବର ମାସରେ ୧୦୦୦ରୁ ଊର୍ଧ୍ବ ରନ୍‌ କରି ଚୟନକର୍ତାଙ୍କୁ ପ୍ରଭାବିତ କରିଥିବା ମୟଙ୍କ ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ‌ଖେଳି ପାରିନଥିଲେ। ନିଜ ରାଜ୍ୟ ସାଥୀ କରୁଣ ନାୟାର ଏବଂ ଲୋକେଶ ରାହୁଲଙ୍କ ପରେ ଭାରତୀୟ ଦଳ ଦ୍ବାରକୁ ବାରମ୍ବାର ପିଟିଥିବା ଏହି ବ୍ୟାଟସମ୍ୟାନ୍‌ ଶେଷରେ ସୌଭାଗ୍ୟବଶତଃ ସୁଯୋଗ ପାଇଛନ୍ତି ଏବଂ ସଫଳ ପଦାର୍ପଣ ବି କରିଛନ୍ତି ବିଦେଶ ମାଟିରେ। କ୍ରିକେଟ୍‌ରେ ଭାଗ୍ୟ ନିଶ୍ଚିତ ଏକ ବଡ଼ ଭୂମିକା‌ ନେଇଥାଏ। ପୃଥ୍ବୀ ସ’ ଆହତ ହୋଇନଥିଲେ ସମ୍ଭବତଃ ମୟଙ୍କ ଏବେ ବି ବାହାରେ ବସିଥାନ୍ତେ। ମୁରଲୀ ବିଜୟ-ଲୋକେଶ ରାହୁଲଙ୍କ ବିଫଳତା ବି ତାଙ୍କ ପାଇଁ ବାଟ ଫିଟାଇଥିଲା ଠିକଣା ବେଳରେ। ଅନେକ ପ୍ରତିକୂଳ ପରିବେଶ ଭିତରେ ମୟଙ୍କ ବି ନିଜକୁ ପ୍ରସ୍ତୁତ ଏବଂ ଏକାଗ୍ର ରଖି ମେଲବର୍ନରେ କରିଛନ୍ତି ସ୍ମରଣୀୟ ପଦାର୍ପଣ। ‘ଭାରତର ଟେଷ୍ଟ୍ କ୍ୟାପ୍ ପାଇବା ଏକ ଜବରଦସ୍ତ ଅନୁଭବ। କ୍ୟାପ୍ ପାଇବା ପରଠାରୁ ମୋ ମନ ଭିତରେ ଏବେ ଅନେକ ଭାବନା‌ ଖେଳୁଛି। ଏହାକୁ ମୁଁ ମୋ ଜୀବନର‌ ଶେଷ ପର୍ଯ୍ୟନ୍ତ ସାଇତି ରଖିବି। ପ୍ରଥମ ଚିନ୍ତା ଥିଲା ମୋର କ୍ୟାପ୍ ନମ୍ବର ୨୯୫’ ବୋଲି ଏମ୍‌ସିଜିରେ ୭୬ ରନ୍ ପାଳି ଖେଳିବା ପରେ କହିଛନ୍ତି ମୟଙ୍କ। ଏତେ ରନ୍ କରିବା ଏବଂ ଏତେ ଅପେକ୍ଷା କରି ଖେଳ ଉପରେ ଏକାଗ୍ରତା ରଖିବା ସହଜ ନ ଥିଲା। ମୁଁ ନିଜ‌ ଯୋଜନାରେ ରହିଥିଲି ଏବଂ ସୁଯୋଗକୁ ଅପେକ୍ଷା କରିଥିଲି। ଯେଭଳି ଭାବେ ଆରମ୍ଭ କରିଛି ଖୁସି ଲାଗୁଛି। କିନ୍ତୁ ଅଧିକ ରନ୍ କରିବାର ଥିଲା। ବଡ଼ ମଇଦାନ‌ରେ ଏହା ଥିଲା ବଡ଼ ସୁଯୋଗ। ବରିଷ୍ଠମାନେ ମଧ୍ୟ ଉପଦେଶ ଦେଇଥିଲେ। ଦିନର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିପାରିଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ ୨୮ ବର୍ଷୀୟ ମୟଙ୍କ। ୫ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନରେ ୪୬ ମ୍ୟାଚ୍ ଖେଳି ୮ ଶତକ ସହିତ କରି ସାରିଛନ୍ତି ୩୫୯୯ ରନ୍‌।

ପଦାର୍ପଣରେ ୫୦: ଦ୍ବିତୀୟ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌
ମେଲ୍‌ବର୍ନ: ପଦାର୍ପଣ ଟେଷ୍ଟ୍‌ରେ ୭୬ ରନ୍ କରିବା ଅବସରରେ ମୟଙ୍କ ଅଗ୍ରୱାଲ ନିଜ ନାମରେ ମଧ୍ୟ କିଛି କୀର୍ତିମାନ ସଂ‌ଯୋଗ କରିଛନ୍ତି। ପଦାର୍ପଣରେ ଅର୍ଧଶତକ ହାସଲ କରିବାରେ ସେ ସପ୍ତମ ଭାରତୀୟ। କିନ୍ତୁ ପଦାର୍ପଣର ପ୍ରଥମ ପାଳିରେ ବିଦେଶରେ ଅର୍ଧଶତକ ହାସଲ କରିବାରେ ସେ ଦ୍ବିତୀୟ। ୧୯୭୦-୭୧ରେ ସୁନୀଲ ଗାଭାସ୍କର ପୋର୍ଟ ଅଫ ସ୍ପେନ୍ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣରେ ୬୭ ରନ୍ କରିଥିଲେ। ସେହିଭଳି ଅଷ୍ଟ୍ରେଲିଆରେ ପଦାର୍ପଣରେ ଅର୍ଧଶତକ ହାସଲ କରିବାରେ ମୟଙ୍କ ମଧ୍ୟ ଦ୍ବିତୀୟ ଭାରତୀୟ। ଏକ୍ଷେତ୍ରରେ ଦାତ୍ତୁ ଫାଡ଼କର (୫୧ ବନାମ ଅଷ୍ଟ୍ରେଲିଆ, ୧୯୪୭, ସିଡନି) ପୂର୍ବରୁ ଏକମାତ୍ର ଭାରତୀୟ ଥିଲେ। ସମ୍ପୂର୍ଣ୍ଣ ବିଦେଶ ମାଟିରେ ସୁଧୀର ନାଏକ (୭୭ ବନାମ ଇଂଲଣ୍ଡ, ବର୍ମିଂହାମ, ୧୯୭୪), ମୟଙ୍କ ଅଗ୍ରୱାଲ (୭୬ ବନାମ ଅଷ୍ଟ୍ରେଲିଆ, ୨୦୧୮), ସୁନୀଲ ଗାଭାସ୍କର (୬୭* ବନାମ ୱେଷ୍ଟଇଣ୍ଡିଜ୍‌, ୧୯୭୦-୭୧) ସର୍ବାଧିକ ରନ୍ କରିବାରେ ପ୍ରଥମ ୩ ସ୍ଥାନରେ ରହିଛନ୍ତି।

ସଂପୂର୍ଣ୍ଣ ନୂଆ ପ୍ରାରମ୍ଭିକ ଯୋଡ଼ି
ମୁରଲୀ ବିଜୟ-ଲୋକେଶ ରାହୁଲଙ୍କ ଲଗାତାର ବିଫଳତା ପରେ ଭାରତ ମେଲବର୍ନରେ ସମ୍ପୂର୍ଣ୍ଣ ନୂଆ ପ୍ରାରମ୍ଭିକ ଯୋଡ଼ିଙ୍କୁ ଖେଳାଇଛି। ବିଦେଶ ଟେଷ୍ଟ୍ ଶୃଙ୍ଖଳାରେ ପ୍ରାରମ୍ଭିକ ଯୋଡ଼ି ବଦଳାଇବାରେ ଏହା ଦ୍ବିତୀୟ। ପୂର୍ବରୁ ୧୯୯୨-୯୩ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ରବି ଶାସ୍ତ୍ରୀ-ଡବୁଲ୍ୟଭି ରମଣଙ୍କ ବଦଳରେ ଅଜୟ ଜାଦେଜା-ମନୋଜ ପ୍ରଭାକର ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି (ମୟଙ୍କ ଅଗ୍ରୱାଲ ଏବଂ ହନୁମା ବିହାରୀ) ପୂର୍ବରୁ କେବେ ପାଳି ଆରମ୍ଭ କରିନଥିଲେ। ଭାରତ ପାଇଁ ଏହା ତୃତୀୟ ଘଟଣା। ଭାରତର ସର୍ବପ୍ରଥମ‌ ଟେଷ୍ଟ୍ (୧୯୩୨) ଏବଂ ୧୯୩୬ରେ ଏଭଳି ହୋଇଥିଲା।

କୋହଲି ଟସ୍ ଜିତି ହାରିନାହାନ୍ତି
ମେଲବର୍ନରେ କୋହଲି ଟେଷ୍ଟ୍ ଜିତି ବ୍ୟାଟିଂ ନିଷ୍ପତ୍ତି ‌‌ନେଇଛନ୍ତି। ବିଦେଶ ମାଟିରେ କୋହଲି ଟସ୍ ଜିତିବା ପରେ କେବେ ବି ଟେଷ୍ଟ୍ ମ୍ୟାଚ୍ ହାରିନାହାନ୍ତି। ୮ ଥରରୁ ୭ ଜିତି, ଥରେ ଅମୀମାଂସିତ କରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଦିନ ୭୩,୫୧୬ ଜଣ ଦର୍ଶକ ଆସିଥିଲେ। ଭାରତ ସମ୍ପୃକ୍ତ ଥାଇ ଏତେ ପ୍ରଶଂସକ ରହିବା ସର୍ବାଧିକ କୀର୍ତିମାନ କରିଛି। ବକ୍ସିଂ ଡେ’‌ ସ୍କୋର (୨୧୫/୨) ପୂର୍ବରୁ ଅଷ୍ଟ୍ରେଲିଆରେ ପ୍ରଥମ ଦିନ କମ୍‌ ୱିକେଟ୍‌ ହରାଇ ସର୍ବାଧିକ ୩୩୪/୧ (୧୯୮୬, ସିଡନି) କରିଥିଲା।

ସମ୍ବନ୍ଧିତ ଖବର