ଲାଉଡରହିଲ୍‌: ଶୀର୍ଷ ସ୍ଥାନ ସହ ଭାରତ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛି। କାନାଡା ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ ଖରାପ ଆଉଟ୍‌ଫିଲ୍ଡ ପାଇଁ ଏଠାରେ ଆରମ୍ଭ ହୋଇ ନପାରିବାରୁ ଉଭୟ ଦଳଙ୍କ ମଧ୍ୟରେ ପଏଣ୍ଟ ବଣ୍ଟାଯାଇଥିଲା। ଫଳରେ ଭାରତ ୪ ମ୍ୟାଚ୍‌ରୁ ୭ ପଏଣ୍ଟ ପାଇ ଗ୍ରୁପ୍‌ ଏ’ର ଟପ୍ପର ହୋଇଥିଲା ବେଳେ ଆମେରିକା ୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ସୁପର-୮ ଖେଳିବାକୁ ଯିବେ। ସମାନ ସ୍ଥିତି କାରଣରୁ ଆମେରିକା-ଆୟର୍ଲାଣ୍ଡ ମ୍ୟାଚ୍‌ରେ ପଏଣ୍ଟ ଭାଗ ହେବାରୁ ପାକିସ୍ତାନ ସ୍ବତଃ ସୁପର-୮ ଯୋଗ୍ୟତା ହରାଇଥିଲା। ଏହି ପଡ଼ିଆରେ ଶେଷ ମ୍ୟାଚ୍‌ ରବିବାର ପାକିସ୍ତାନ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ।

Advertisment

ତରୌବା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନବାଗତ ତଥା ଅପେକ୍ଷାକୃତ କମ୍ ଅଭିଜ୍ଞ ଦଳଗୁଡ଼ିକ ପ୍ରଭାବୀ ପ୍ରଦର୍ଶନ କରି କ୍ରିକେଟ୍‌ପ୍ରେମୀଙ୍କ ମନ ଜିତି ଚାଲିଛନ୍ତି। ପାକିସ୍ତାନ ଭଳି ଦଳକୁ ବିଦାୟର ପଥ ଦେଖାଇ ଆମେରିକା ସୁପର-୮କୁ ଉନ୍ନୀତ ହୋଇଥିଲା ବେଳେ ପ୍ରତିଯୋଗିତାର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଦୁର୍ବଳ ନେପାଳଠୁ ହାରିବାର ଲଜ୍ଜାରୁ ଅଳ୍ପକେ ବର୍ତ୍ତି ଯାଇଛି। ଶନିବାରର ଏହି ଅଳ୍ପ ରନ୍ ଓ ଅଧିକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାର ଶେଷ ଦୁଇ ବଲ୍‌ରୁ ବିଜୟ ପାଇଁ ନେପାଳକୁ ମାତ୍ର ୨ ରନ୍‌ ଦରକାର ଥିଲା। ହେଲେ ପ୍ରତିପକ୍ଷ ସ୍ପିନର ତାବ୍ରାଇଜ୍ ସାମ୍‌ସି ଉଭୟ ବଲ୍‌ରେ କୌଣସି ରନ୍ ନଦେବାରୁ ଦକ୍ଷିଣ ଆଫ୍ରିକା ନିଶ୍ଚିତ ପରାଜୟରୁ ରକ୍ଷା ପାଇ ଯାଇଥିଲା। ଅନ୍ୟପକ୍ଷରେ ନେପାଳ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। କାରଣ ଊନ୍ନବିଂଶ ଓଭର ପର୍ଯ୍ୟନ୍ତ ନେପାଳ ଦୃଢ଼ ସ୍ଥିତ‌ିରେ ଥିଲା। ଶେଷ ଓଭରରେ କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା।

ଅନ୍ତିମ ଓଭରର ପଞ୍ଚମ ବଲ୍‌ଟି ଡଟ୍ ଯିବା ପରେ ଷଷ୍ଠ ବଲ୍‌କୁ ବି ନେପାଳ ବ୍ୟାଟର୍ ଗୁଲସନ୍ ଝା ଛୁଇଁ ପାରି ନଥିଲେ। ତଥାପି ୧ରନ୍‌ ନେବା ପାଇଁ ଦୌଡ଼ିଥିଲେ। ଦକ୍ଷିଣ ଆଫ୍ରିକା ୱିକେଟ୍‌ରକ୍ଷକ କ୍ବିଣ୍ଟନ୍ ଡି’ କକ୍ ତାଙ୍କୁ ରନ୍ଆଉଟ୍ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବଲ୍ ଝା’ଙ୍କ ଦେହରେ ବାଜି ହେନରିକ୍ କ୍ଲାସେଁଙ୍କ ହାତକୁ ଚାଲିଯାଇଥିଲା। କ୍ଲା‌ସେଁ ସଫଳତାର ସହ ଷ୍ଟମ୍ପ ଭାଙ୍ଗି ତାଙ୍କୁ ରନ୍ ଆଉଟ୍ କରି ଦେଇଥିଲେ। ଫଳରେ ୧୧୬ ରନ୍‌ର ଲକ୍ଷ୍ୟକୁ ପିଛା କରି ନେପାଳ ୧୧୪ ରନ୍‌ରେ ଅଟକି ନୂଆ ଇତିହାସ ଲେଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୧୫/୭ (ରିଜା ହେଣ୍ଡ୍ରିକ୍ସ ୪୩, ତ୍ରିସ୍ତାନ ଷ୍ଟବ୍ସ ୨୭, କୁଶଲ ବ୍ରୁତେଲ ୪/୧୯, ଦୀପେନ୍ଦ୍ର ସିଂହ ଅଇରି ୩/୨୧)। ନେପାଳ ୨୦ ଓଭରରେ ୧୧୪/୭(ଆସିଫ ସେଖ୍ ୪୨, ଅନିଲ ସାହ ୨୭, ତାବ୍ରାଇଜ୍ ସାମସି ୪/୧୯)।

ନ୍ୟୁଜିଲାଣ୍ଡର ପ୍ରଥମ ବିଜୟ

ତରୌବା: ଅପ୍ରତ୍ୟାଶିତ ଭାବେ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିସାରିଥିବା ଅନ୍ୟତମ ଟ୍ରଫି ଦାବିଦାର ନ୍ୟୁଜିଲାଣ୍ଡ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦୁର୍ବଳ ଉଗାଣ୍ଡକୁ ୯ ୱିକେଟ୍‌ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପଏଣ୍ଟ୍‌ ଖାତା ଖୋଲିଛି। ଶନିବାର ନ୍ୟୁଜିଲାଣ୍ଡ ଟସ୍ ଜିତି ଉଗାଣ୍ଡାକୁ ବ୍ୟାଟିଂ କରିବାକୁ କହିଥିଲା। ଉଗାଣ୍ଡାର କୌଣସି ବ୍ୟାଟର୍ କିନ୍ତୁ ନ୍ୟୁଜିଲାଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ଟିମ୍ ସାଉଦିଙ୍କ ନେତୃତ୍ବରେ କିୱି ବୋଲରମାନେ ଝଡ଼ ସୃଷ୍ଟି କରିଥିଲେ। ଆଉ ସେଥିପାଇଁ ଉଗାଣ୍ଡା ୧୮.୪ ଓଭରରେ ମାତ୍ର ୪୦ ରନ୍‌ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର ଦ୍ବିତୀୟ ସର୍ବନିମ୍ନ ଦଳଗତ ସ୍କୋର୍ ଥିଲା। ଏହା ପୂର୍ବରୁ ଆୟୋଜକ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଗାଣ୍ଡା ୩୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଯୁଗ୍ମ ସର୍ବନିମ୍ନ ଦଳଗତ ସ୍କୋର ଅପଯଶ ମୁଣ୍ଡାଇଥିଲା। ଏବେ ସର୍ବନିମ୍ନ ଦଳଗତ ସ୍କୋର୍‌ର ପ୍ରଥମ ଦୁଇ ସ୍ଥାନରେ ରହିବାର ଅଲୋଡ଼ା ରେକର୍ଡ କରିଛି ଉଗାଣ୍ଡା।

ଆଶ୍ଚର୍ଯ୍ୟଜନକ ଭାବେ ଶନିବାର ଉଗାଣ୍ଡାର ଜଣେ ମାତ୍ର ଖେଳାଳି ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ୱିକେଟ୍ ହରାଇ ୫.୨ ଓଭରରେ ବିଜୟୀ ହୋଇଥିଲା। ସାଉଦି ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଉଗାଣ୍ଡା ୧୮.୨ ଓଭରରେ ୪୦ (କେନିଥ ୱାଇସ୍ବା-୧୧, ଟିମ୍ ସାଉଦି-୩/୪, ଟ୍ରେଣ୍ଟ ବୋଲ୍ଟ-୨/୭, ରାଚିନ ରବୀନ୍ଦ୍ର-୨/୯)। ନ୍ୟୁଜିଲାଣ୍ଡ ୫.୨ ଓଭରରେ ୪୧ (ଡେଭନ୍ କନୱେ-୨୨, ରିଆଜନ ଅଲ୍ଲୀ ସାହ-୧/୧୦)।