ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ଦଳରେ ଓଡ଼ିଶାର ଆର୍ଯ୍ୟନ୍‌

ଭୁବନେଶ୍ବର: ଭାରତୀୟ ୧୬ ବର୍ଷରୁ କମ୍‌ ହ୍ୟାଣ୍ଡ୍‌ବଲ୍‌ ଦଳରେ ଓଡ଼ିଶାର ଆର୍ଯ୍ୟନ୍‌ ବ୍ରାହ୍ମିନ୍‌ ସ୍ଥାନ ପାଇଛନ୍ତି। ସ୍ପେନ୍‌ରେ ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଲୋରେଟ୍‌ କପ୍‌ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ସେ ୭ ଜଣିଆ ଭାରତୀୟ ଦଳର ପ୍ରତିନିଧିତ୍ବ କରିବେ। ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ଫେଡେରେସନ୍‌ ସଂପାଦକ ଆନନ୍ଦେଶ୍ବର ପାଣ୍ଡେ ଏନେଇ ଆର୍ଯ୍ୟନ୍‌ଙ୍କୁ ଅବଗତ କରାଇଛନ୍ତି। ଆଜି (ଗୁରୁବାର) ଭାରତୀୟ ଦଳ ଦିଲ୍ଲୀରୁ ସ୍ପେନ୍‌ ଗସ୍ତ କରିଛି। ଆର୍ଯ୍ୟନ୍‌ ଡିପିଏସ୍‌ (ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌) କଳିଙ୍ଗରେ ୧୦ମ ଶ୍ରେଣୀ ଛାତ୍ର। ଏହା ପୂର୍ବରୁ ସେ ଗତବର୍ଷ ଲଣ୍ଡନରେ ଆୟୋଜିତ କନିଷ୍ଠ ବାଳକ (୧୬ ବର୍ଷରୁ କମ୍‌) ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ଆର୍ଯ୍ୟନ୍‌ ପ୍ରଥମ ଓଡ଼ିଆ ଖେଳାଳି ଭାବେ ହ୍ୟାଣ୍ଡ୍‌ବଲ୍‌ରେ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ଗୌରବ ପାଇଛନ୍ତି। ଏଥର ତାଙ୍କ ବ୍ୟତୀତ ପ୍ରଭ୍‌ନୋର୍‌ ସିଂହ ଭିର୍କ, ଅସ୍ରାନି ଗର୍ଭ, ଗୁର୍‌ଦୀପ୍‌ ସିଂହ, ହରିନ୍ଦର ସିଂହ, ବୈଭବ ଦାହିୟା ଏବଂ ଈଶାନ୍ତ ଶର୍ମା ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସୁନୀଲ କୁମାର ଦଳର ପ୍ରଶିକ୍ଷକ ଥିଲା ବେଳେ ସଚିନ୍‌ ଚୌଧୁରୀ ପ୍ରବନ୍ଧକ ଓ ମାନବ ଗୌତମ ରେଫରି ରହିଛନ୍ତି।

ସମ୍ବନ୍ଧିତ ଖବର