ହୁଲ୍‌ଭା (ସ୍ପେନ୍‌): ବିଶ୍ବର ପୂର୍ବତନ ଏକ ନମ୍ବର କିଦାମ୍ବି ଶ୍ରୀକାନ୍ତ ବିଶ୍ବ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାର ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ପାଇଛନ୍ତି। ସ୍ବର୍ଣ୍ଣ ପଦକ ଜିତି ପାରିନଥିଲେ ବି ତାଙ୍କ ସଫଳତା ପୂର୍ବରୁ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି କରିପାରିନଥିଲେ। ପ୍ରଥମ ଭାରତୀୟ ପୁରୁଷ ଭାବେ ଚପବିଜେତା ହୋଇ ନୂଆ ଗୌରବ ଆଣିଛନ୍ତି। ରବିବାର ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ଲୋ କିନ୍‌ ୟିୟୁଙ୍କ ନିକଟରୁ ୧୫-୨୧, ୨୦-୨୨ରେ ହାରିଯାଇଥିଲେ। ଉଭୟ ଗେଗ୍‌ରେ ମଧ୍ୟଭାଗରେ ଶ୍ରୀକାନ୍ତ ଆଗୁଆ ହୋଇଥିଲେ ମଧ୍ୟ ସୁଯୋଗ ଛାଡ଼ି ଦେଇଥିଲେ। ଉନ୍ନତ ଖେଳି ୨୪ ବର୍ଷୀୟ ଲୋ ନୂଆ ବିଶ୍ବ ବିଜେତା ‌ହୋଇଥିଲେ। ଏହା ପୂର୍ବରୁ ଶନିବାର ରାତିରେ ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ଅଭିଜ୍ଞ ଶ୍ରୀକାନ୍ତ ଯୁବ ଭାରତୀୟ ଖେଳାଳି ଲକ୍ଷ୍ୟ ସେନଙ୍କୁ ୧୪-୨୧, ୨୧-୧୬, ୨୧-୧୬ରେ ପରାସ୍ତ କରି ଫାଇନାଲ୍ ଆସିଥିଲେ। ଲକ୍ଷ୍ୟ କାଂସ୍ୟ ପଦକ ଜିତିବାରୁ ଭାରତ ମଧ୍ୟ ପ୍ରଥମ ଥର ଗୋଟିଏ ସଂସ୍କରଣରୁ ତୃତୀୟ ଥର ୨ ଲେଖାଏଁ ପଦକ ଜିତିଛି। ୨୦୧୭ ଏବଂ ୨୦୧୯ରେ ଭାରତୀୟ ଖେଳାଳି ଦୁଇଟି ଲେଖାଏଁ ପଦକ ଜିତିଥିଲେ। ବିଶ୍ବ ବ୍ୟାଡମିଣ୍ଟନ୍ ଇତିହାସରେ ପୂର୍ବରୁ ମାତ୍ର ଦୁଇ ଜଣ ପୁରୁଷ ଭାରତୀୟ ପ୍ରକାଶ ପାଦୁକୋନ୍ (୧୯୮୩, କାଂସ୍ୟ) ଏବଂ ବି ସାଇ ପ୍ରଣୀତ (କାଂସ୍ୟ, ୨୦୧୯) କାଂସ୍ୟ ପଦକ ଜିତିଥିଲେ। ମହିଳା ବିଭାଗରେ ଗତଥରର ବିଜୟିନୀ ପିଭି ସିନ୍ଧୁ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେବାର ନିରାଶାକୁ ଲକ୍ଷ୍ୟ ଓ ଶ୍ରୀକାନ୍ତ ଦୂର କରିଥିଲେ।

Advertisment

ବ୍ୟାଡ୍‌ମିଣ୍ଟନ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଏପର୍ଯ୍ୟନ୍ତ ଭାରତ ମୋଟ ୧୨ ପଦକ ଜିତିଛି। ସେମଧ୍ୟରୁ ପୁରୁଷ ବର୍ଗରେ ୪ ପଦକ ହାସଲ ହୋଇଥିଲା ବେଳେ ମହିଳା ବର୍ଗରେ ୮ ପଦକ ଅମଳ ହୋଇଛି। ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ସର୍ବାଧିକ ୫ ପଦକ ଜିତି ଶ୍ରେଷ୍ଠ ଭାରତୀୟ ବିବେଚିତ ହୋଇଥିଲା ବେଳେ ସାଇନା ନେହ୍ବାଲ ୨ ଜିତି ଦ୍ବିତୀୟ ଶ୍ରେଷ୍ଠ ଭାରତୀୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ମହିଳା ଯୁଗଳରେ ଅଶ୍ବିନୀ ପୁନାପା-ଜ୍ବାଳା ଗୁଟ୍ଟା ଯୋଡ଼ି କାଂସ୍ୟ ପଦକ ଜିତିଥିଲେ। ପୁରୁଷ ଏକକ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ରୌପ୍ୟ ପଦକ ଜିତି ଶେଷ୍ଠ ଭାରତୀୟ ହୋଇଥିଲା ବେଳେ ପ୍ରକାଶ ପାଦୁକୋନେ, ବି ସାଇ ପ୍ରଣୀତ ଏବଂ ଲକ୍ଷ୍ୟ ସେନ୍‌ କାଂସ୍ୟ ପଦକ ହାସଲ କରିଛନ୍ତି। ସିନ୍ଧୁ ମଧ୍ୟ ସର୍ବାଧିକ ୫ ପଦକ ଜିତି ଦୁଇ ଥଣ ଅଲିମ୍ପିକ୍‌ ବିଜୟିନୀ ଚୀନ୍‌ର ଝାଙ୍ଗ୍‌ ନିଙ୍ଗ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ।