ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଗତ ୧୭ ତାରିଖରୁ ଆରମ୍ଭ ହୋଇସାରିଛି। ହେଲେ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସମ୍ଭବତଃ ବିଶ୍ବକପ୍ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଛି। କାରଣ ୨୪ ତାରିଖରେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌କୁ ନେଇ ଏବେ କ୍ରିକେଟ୍ ଦୁନିଆ ଉଠୁଛି ପଡ଼ୁଛି। ଭାରତ ବର୍ଷର ସହର ବଜାରଠାରୁ ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଏହି ମହାମୁକାବିଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଖେଳାଳିଠାରୁ ଆରମ୍ଭ କରି ଅଣଖେଳାଳି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ବିଶେଷଜ୍ଞ ରାୟ ଦେବାକୁ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ବଳ କଷିବା ଲାଗି ତାର ଗତ ଦଶନ୍ଧିର ଟ୍ବେଣ୍ଟି-୨୦ ପ୍ରଦର୍ଶନକୁ ତର୍ଜମା କରିବାର ବେଳ ଆସିଯା‌ଇଛି। ଏହି ପରିସଂଖ୍ୟାନକୁ ଦେଖିଲେ କିନ୍ତୁ ଭାରତର ପଲ୍ଲା ସାମାନ୍ୟ ଭାରୀ ରହିବ।
ଭାରତ ୫, ପାକିସ୍ତାନ ୦
ଯେତେବେଳେ ବି କୌଣସି ବିଶ୍ବକପ୍ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ସେତେବେଳେ ଏହାକୁ ସବୁମ୍ୟାଚ୍‌ର ମା’ ଭାବେ ବିବେଚନା କରାଯାଇଥାଏ। ଏହି ଦୁଇ ଲୋକପ୍ରିୟ ଦଳ ୨୦୧୯ ପରଠାରୁ ପରସ୍ପରକୁ ଆଉ ଭେଟି ନଥିବାରୁ ଆଗାମୀ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍ସାହ ବହୁ ଗୁଣ ବଢ଼ିଯାଇଛି। ବିଶ୍ବକପ୍‌ରେ ଭାରତଠାରୁ ହାରିବା ଧାରାକୁ ପାକିସ୍ତାନ ଏଥର ରୋକି ପାରିବ କି ନାହିଁ, ତାହା ମଧ୍ୟ ଲକ୍ଷେ ଟଙ୍କିଆ ପ୍ରଶ୍ନ ହୋଇଛି। କାରଣ ଆଜି ପର୍ଯ୍ୟନ୍ତ ବିଶ୍ବକପ୍‌ରେ ପାକିସ୍ତାନ କେବେ ବି ଭାରତକୁ ପରାସ୍ତ କରି ନାହିଁ। ଟ୍ବେଣ୍ଟି-୨୦ ବିଶ୍ବକପ୍ ରେକର୍ଡ ୫-୦ରେ ଭାରତ ସପକ୍ଷରେ ରହିଛି। ଅର୍ଥାତ୍ ଉଭୟ ଦଳ ବିଶ୍ବକପ୍‌ରେ ୫ ଥର ଭେଟିଥିଲା ବେଳେ ପ୍ରତିଥର ଭାରତ ବିଜୟୀ ହୋଇଛି। ୨୦୦୭ ମସିହା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମ୍ୟାଚ୍‌‌ ଟାଇ ରହିବା ପରେ ଭାରତ ଏହାକୁ ବୋଲ୍ ଆଉଟ୍‌ରେ ଜିତିଥିଲା। ତେବେ ଆନୁଷ୍ଠାନିକ ରେକର୍ଡରେ ଏହାକୁ ଏକ ଟାଇ ମ୍ୟାଚ୍ ଭାବେ ବିବେଚନା କରାଯାଏ।
ଆଇସିସି ପ୍ରତିଯୋଗିତାରେ ଭାରତକୁ ମାତ୍ର ୩ ଥର ହରାଇଛି ପାକିସ୍ତାନ
ଆଇସିସି ପ୍ରତିଯୋଗିତାରେ ଭାରତକୁ ମାତ୍ର ୩ ଥର ହରାଇଛି ପାକିସ୍ତାନ। ଏହି ତିନିଟି ଯାକ ବିଜୟ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ହାସଲ କରିଛି। ଶେଷ ଥର ପାଇଁ ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ପରାସ୍ତ କରିଥିଲା। ଏକଦିବସୀୟ ବିଶ୍ବକପ୍‌ରେ ଭାରତ ପାକିସ୍ତାନକୁ ୭ ଥର ହରାଇଛି। ଭାରତକୁ ପାକିସ୍ତାନ କିନ୍ତୁ ଥରେ ହେଲେ ବି ହରାଇପାରିନି। ‌ଟ୍ବେଣ୍ଟି-୨୦ରେ ଭାରତ ପାକିସ୍ତାନ ମୋଟ ଉପରେ ୮ ଥର ପରସ୍ପରର ମୁକାବିଲା କରିଛନ୍ତି। ସେଥିରୁ ଭାରତ ୭ଟି ଜିତିଥିଲା ବେଳେ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଟ୍ବେଣ୍ଟି-୨୦ରେ ଭାରତର ସର୍ବୋଚ୍ଚ ସ୍କୋର ‌ହେଉଛି ୧୯୨/୫। ଯାହାକୁ ଭାରତ ୨୦୧୨ ମସିହାରେ ଅହମଦାବାଦଠାରେ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ସର୍ବନିମ୍ନ ଦଳଗତ ସ୍କୋର ପାକିସ୍ତାନ କରିଛି। ୨୦୧୬ ଏସିଆ କପ୍‌ରେ ଢାକାଠାରେ ଭାରତୀୟ ବୋଲରମାନେ ପାକିସ୍ତାନକୁ ମାତ୍ର ୮୩ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଛି। ୨୦୧୨ର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କଲମ୍ବୋଠାରେ ସେ ଖେଳିଥିବା ୭୮ ରନ୍ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ସବୁଠାରୁ ଭଲ ବୋଲିଂ ଚିତ୍ର ମହମ୍ମଦ ଆସିଫଙ୍କ ନାଁରେ ଅଛି। ୨୦୦୭ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଡର୍ବାନଠାରେ ମାତ୍ର ୧୮ ରନ୍ ବ୍ୟୟ କରି ୪ ୱିକେଟ୍ କରାୟତ୍ତ କରିଥିଲେ ସେ।
ଭାରତର ବିଜୟ % ୬୩.୫, ପାକିସ୍ତାନର ୫୯.୭
ଗତ ଦଶନ୍ଧିରେ ପାକିସ୍ତାନ ୧୨୯ ଟ୍ବେଣ୍ଟି-୨୦ ଖେଳି ୭୭ଟିରେ ବିଜୟୀ ହୋଇଛି। ୪୫ ମ୍ୟାଚ୍‌ରେ ପରାଜିତ ହୋଇଥିଲା ବେଳେ ୨ ମ୍ୟାଚ୍ ଟାଇ ରହିଛି। ୫ ମ୍ୟାଚ୍‌ର ଫଳାଫଳ ମିଳିନି। ଏଣୁ ଗତ ଦଶନ୍ଧିରେ ପାକିସ୍ତାନର ଟ୍ବେଣ୍ଟି-୨୦ ବିଜୟ ପ୍ରତିଶତ ୫୯.୭ ରହିଛି। ଅନ୍ୟପକ୍ଷରେ ଭାରତ ଏହି ସମୟ ମଧ୍ୟରେ ୧୧୫ ମ୍ୟାଚ୍ ଖେଳି ୭୩ଟିରେ ବିଜୟୀ ହୋଇଛି। ୩୭ ମ୍ୟାଚ୍‌ରେ ଭାରତ ହାରିଥିଲା ବେଳେ ୨ ମ୍ୟାଚ୍ ଟାଇ ରହିଛି। ୩ ମ୍ୟାଚ୍‌ର ଫଳାଫଳ ମିଳିନି।
ଗତ ଦୁଇ ସଂସ୍କରଣରେ ପାକିସ୍ତାନଠୁ ଭାରତ ଭଲ
ପାକିସ୍ତାନ ୨୦୦୭ ମସିହା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉପବିଜେତା ହୋଇଥିଲା। ୨୦୦୯ରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ହେଲେ ଗତ ଦୁଇ ବିଶ୍ବକପ୍‌ରେ ସେମାନଙ୍କ ପ୍ରଦର୍ଶନ ସେତେଟା ଭଲ ରହିନି। ୨୦୧୬ରେ ସେମାନେ ସୁପର-୧୦ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ୪ ମ୍ୟାଚ୍ ଖେଳି ମାତ୍ର ଗୋଟିଏରେ ବିଜୟୀ ହେବା ସହ ତିନିଟିରେ ପରାଜିତ ହୋଇଥିଲା ପାକିସ୍ତାନ। ଆଉ ନିଜ ଗ୍ରୁପ୍‌ର ଚତୁର୍ଥ ସ୍ଥାନରେ ରହିଥିଲା। ସେହିଭଳି ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ନିଜ ଗ୍ରୁପ୍‌ର ତୃତୀୟ ସ୍ଥାନରେ ରହି ସେମିଫାଇନାଲ୍‌କୁ ଯାଇ ପାରି ନଥିଲା। ୪ ମ୍ୟାଚ୍ ଖେଳି ୨ ବିଜୟ, ୨ ପରାଜୟ ପାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗତ ୬ ସଂସ୍କରଣରେ ଭାରତ ୩୩ ମ୍ୟାଚ୍ ଖେଳି ୨୦ଟିରେ ବିଜୟୀ ହୋଇଛି। ପାକିସ୍ତାନ ୩୪ ମ୍ୟାଚ୍ ଖେଳି ୧୯ଟିରେ ବିଜୟୀ ହୋଇଛି।