ସିଡ୍ନି: ପାଖାପାଖି ୮ବର୍ଷ ହେବ ଭାରତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି। ଇତି ମଧ୍ୟରେ ଚାରିଟି ଶୃଙ୍ଖଳା ଖେଳାଯାଇସାରିଥିଲେ ମଧ୍ୟ ଭାରତ ପ୍ରତ୍ୟେକ ଥର ବିଜୟୀ ହୋଇ ଟ୍ରଫି ଉପରେ ନିଜ ଦାବିଦାରୀ ଜାରି ରଖିଛି। ଏଥର କିନ୍ତୁ ଏହି ସମ୍ମାନଜନକ ଟ୍ରଫିକୁ ଫେରି ପାଇବାକୁ ଅଷ୍ଟ୍ରେଲିଆ ଆଗୁଆ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି। ପ୍ରଶିକ୍ଷକଙ୍କ ସହ ମିଶି ଅଧିନାୟକ ପ୍ୟାଟ୍ କମିନ୍ସ ଦଳ ଗଠନ ଏବଂ ବୋଲିଂ ତଥା ବ୍ୟାଟିଂ ଯୋଜନା ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟେକ ଭାରତୀୟ ବ୍ୟାଟର୍ ଓ ବୋଲରଙ୍କ ପାଇଁ ସ୍ବତନ୍ତ୍ର ଓ ଉତ୍ସର୍ଗୀକୃତ ଯୋଜନା ପ୍ରସ୍ତୁତ ହେଉଥିବା କମିନ୍ସ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଏହି ଶୃଙ୍ଖଳା ତାଙ୍କ ଦଳ ପାଇଁ ଚଳିତବର୍ଷର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଶୃଙ୍ଖଳା ହେବାକୁ ଯାଉଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୯୬-୯୭ରୁ ମାତ୍ର ଗୋଟିଏ ଟେଷ୍ଟ୍ରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ୧୬ଟି ସଂସ୍କରଣ ଖେଳାଯାଇଛି। ସେଥିମଧ୍ୟରୁ ୧୧ଥର ଶୃଙ୍ଖଳା ଜିତି କିମ୍ବା ଅମୀମାଂସିତ ରଖି ଭାରତ ଦୁଇ ଦେଶର ଦୁଇ ମହାନତମ କ୍ରିକେଟ୍ ତାରକାଙ୍କ ନାମରେ ଖେଳାଯାଉଥିବା ଏହି ଟ୍ରଫିକୁ ନିଜ ପାଖରେ ରଖିଛି। ଅଷ୍ଟ୍ରେଲିଆ କେବଳ ୫ଟି ସଂସ୍କରଣ ଜିତି ବର୍ଡର-ଗାଭାସ୍କର ଟ୍ରଫି ଭାରତଠାରୁ ଛଡ଼ାଇ ନେବାକୁ ସକ୍ଷମ ହୋଇଛି। ତେବେ ପ୍ରଥମ ସଂସ୍କରଣଠାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଭାରତର ଦବଦବା ଜାରି ରହିଛି। ଘରୋଇ ମାଟି ହେଉକି ଅଷ୍ଟ୍ରେଲିଆ ସବୁଠି ନିଜ ଯାଦୁ ଦେଖାଇ କ୍ରିକେଟ୍ପ୍ରେମୀଙ୍କ ମନ ଓ ହୃଦୟ ଜିତି ପାରିଛନ୍ତି। ଏଥର ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ଖେଳିବାକୁ ଯାଉଥିଲା ବେଳେ ଭାରତର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଫିଟ୍ନେସ୍ ନେଇ ସଂଶୟ ଜାରି ରହିଛି। ଅଷ୍ଟ୍ରେଲିଆରେ ସାମି ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଛନ୍ତି। ୮ ଟେଷ୍ଟ୍ ଖେଳି ଦୁଇଟି ପାଞ୍ଚ ୱିକେଟ୍ ସଫଳତା ସହ ୩୧ ୱିକେଟ୍ କରାୟତ୍ତ କରିଛନ୍ତି। ଯଶପ୍ରୀତ ବୁମ୍ରା ଓ ତାଙ୍କ ଯୋଡ଼ି ଅତୀତରେ କଙ୍ଗାରୁ ବ୍ୟାଟର୍ଙ୍କୁ ଅନେକ ଥର ହରଡ଼ଘଣାରେ ପକାଇଛନ୍ତି। ତେବେ ଗତବର୍ଷର ଦିନିକିଆ ବିଶ୍ବକପ୍ ପରେ ସାମି ଆଉ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବାରୁ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ବେଳକୁ ସେ ଯଦି ଫିଟ୍ ହୋଇ ନଥିବେ, ତେବେ ଏହା ଭାରତ ପାଇଁ ବହୁତ ବଡ଼ ଝଟ୍କା ହେବ। ଏହା ପୂର୍ବରୁ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଶୃଙ୍ଖଳା ବେଳକୁ ସାମି ଫିଟ୍ ହୋଇଯାଇଥିବେ ବୋଲି ଅବଶ୍ୟ ମୁଖ୍ୟ ଚୟନକର୍ତ୍ତା ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ଅଜିତ ଅଗରକର ଆଶା ପ୍ରକାଶ କରିଛନ୍ତି। ସେପଟେ ଅଷ୍ଟ୍ରେଲିଆ ଏଥର ୩-୧ରେ ଶୃଙ୍ଖଳା ଜିତିବ ବୋଲି କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି।
ପ୍ରଥମ ଥର ୫ ଟେଷ୍ଟ୍
ବର୍ଡର-ଗାଭାସ୍କର ଟ୍ରଫିର ୨୮ ବର୍ଷର ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଏବର୍ଷ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳାଯିବ। ଯାହାକୁ ନେଇ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି। ୫ଟିକିଆ ଟେଷ୍ଟ୍ ଖେଳାଯିବାକୁ ଥିବାରୁ ଦୁଇଟି ଯାକ ଦଳ ପାଖରେ ଶୃଙ୍ଖଳାକୁ ଫେରିବା ଓ ଜିତିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିବ ବୋଲି ଆଶା କରାଯାଉଛି। ୧୯୯୬-୯୭ ଋତୁରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ସଂସ୍କରଣରେ ମାତ୍ର ଗୋଟିଏ ଟେଷ୍ଟ୍ ଖେଳା ଯାଇଥିଲା। ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସଂସ୍କରଣରେ ତିନିଟି ଲେଖାଏଁ ମ୍ୟାଚ୍ ଥିଲା। ପରବର୍ତ୍ତୀ ୧୨ଟି ସଂସ୍କରଣ ମଧ୍ୟରୁ କେବଳ ୨୦୦୭-୦୮ର ସପ୍ତମ ସଂସ୍କରଣକୁ ଛାଡ଼ି ସବୁଥର ଚାରିଟି ଲେଖାଏଁ ଟେଷ୍ଟ୍ ଆୟୋଜିତ ହୋଇଛି। ଏଥର ୫ଟିକିଆ ଶୃଙ୍ଖଳା ରୂପରେ ନୂଆ ଇତିହାସ ଯୋଡ଼ିହେବ।
ମେଲବର୍ଣ୍ଣରେ ଟ୍ରଫି ଦେଖିଲେ ରାମଚରଣ
ଏକ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେବା ଲାଗି ମେଲବର୍ଣ୍ଣ ଯାଇଥିବା ଭାରତୀୟ ଅଭିନେତା ରାମଚରଣ ଜେତା ସେଠାରେ ରଖାଯାଇଥିବା ବର୍ଡର-ଗାଭାସ୍କର ଶୃଙ୍ଖଳାର ମୁଳ ଟ୍ରଫିକୁ ଦେଖିବାର ସୁଯୋଗ ପାଇଥିଲେ। ଏପରିକି ଟ୍ରଫି ସହ ଫଟୋ ବି ଉଠାଇଥିଲେ। ଯାହାର ଫଟୋ ରାମଚରଣଙ୍କ ସହ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ନିଜନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ପ୍ରକାଶ କରିଛନ୍ତି। ରାମଚରଣଙ୍କୁ ଏହି ଅବସରରେ ଭାରତୀୟ କଳା ଓ ସଂସ୍କୃତିର ଦୂତ ମଧ୍ୟ ନିଯୁକ୍ତ କରାଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରକାଶ କରିଥିବା ଫଟୋ ତଳେ ଲେଖିଥିଲା ଯେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ଆମ ଭିତରୁ ଜଣେ। ଅଷ୍ଟ୍ରେଲିଆ-ଭାରତ କ୍ରିକେଟ୍ ମହାସମର ପୂର୍ବରୁ ବଲିଉଡ୍ ମେଗାଷ୍ଟାର୍ ରାମଚରଣଙ୍କୁ ମେଲବର୍ଣ୍ଣରେ ପାଇବା ଅତ୍ୟନ୍ତ ଆନନ୍ଦର ବିଷୟ।
ବୋଲିଂ କରିବେ ଗ୍ରୀନ୍, ମାର୍ସ
ଆସନ୍ତା ଶୃଙ୍ଖଳାରେ ଅଷ୍ଟ୍ରେଲିଆର ବୋଲିଂ ରଣନୀତି ଉପରୁ ଆଂଶିକ ପରଦା ଉଠାଇଛନ୍ତି ଅଧିନାୟକ ପ୍ୟାଟ୍ କମିନ୍ସ। ପତ୍ରକାରଙ୍କ ସହ ବାର୍ତ୍ତାଳାପ କରି ସେ କହିଛନ୍ତି, ଅତୀତରେ ଆମେ ମିଚେଲ ମାର୍ସ ଓ କ୍ୟାମରନ୍ ଗ୍ରୀନ୍ଙ୍କ ବୋଲିଂକୁ ଯେତିକି ବ୍ୟବହାର କରିବା କଥା ସମ୍ଭବତଃ ତାହା କରି ପାରିନୁ। ହେଲେ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରେ ଉଭୟ କିଛି କିଛି ଓଭର ବୋଲିଂ କରିବେ। ଅଷ୍ଟ୍ରେଲିଆର ଗ୍ରୀଷ୍ମ ଋତୁ ସାଧାରଣତଃ ମଧ୍ୟମଗତି ବୋଲରଙ୍କୁ ସୁହାଇଥାଏ। ଏଣୁ ମାର୍ସ ଓ ଗ୍ରୀନ ଭାରତୀୟ ବ୍ୟାଟର୍ଙ୍କୁ ପରୀକ୍ଷାରେ ପକାଇବେ ବୋଲି ଆଶା ରଖିଛୁ।