ବେଙ୍ଗାଲୁରୁରେ ବଡ଼ ବିଜୟ ସମ୍ଭାବନା: ବୁମ୍‌ରାଙ୍କୁ ଭାରତରେ ପ୍ରଥମ ୫ ୱିକେଟ୍‌

ଆୟରଙ୍କ ନାମରେ ନୂଆ ଟେଷ୍ଟ ରେକର୍ଡ, ସୋବର୍ସଙ୍କୁ ଟପିଲେ କୋହଲି

ବେଙ୍ଗାଲୁରୁ: ଗୋଲାପି ବଲ୍ ଟେଷ୍ଟ୍‌ରେ ଭାରତୀୟ କ୍ରିକେଟ୍ ଦଳ ଗୌରବମୟ ପ୍ରଦର୍ଶନ କରିଛି। ମାତ୍ର ଦୁଇ ଦିନ ଭିତରେ ହିଁ ଏହି ପ୍ରତୀକ୍ଷିତ ତଥା ଦିବା-ରାତ୍ର ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ତା’ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ମୂଳପୋଛ କରିବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ବୋଲରମାନେ ଶ୍ରୀଲଙ୍କାକୁ ମାତ୍ର ୧୦୯ ରନ୍‌ରେ ଅଲଆଉଟ୍ କରିବା ପରେ ପ୍ରଥମ ପାଳି ଭିତ୍ତିରେ ୧୪୩ ରନ୍‌ର ଅଗ୍ରଣୀ ଲାଭ କରିଥିଲା ଭାରତ। ଦ୍ବିତୀୟ ପାଳିରେ ଋଷଭ ପନ୍ତଙ୍କ ବିସ୍ଫୋରକ ତଥା ‌କୀର୍ତ୍ତିମାନଭରା ଅର୍ଦ୍ଧଶତକ ସହ ଶ୍ରେୟସ୍ ଆୟରଙ୍କ ଲଗାତାର ଅର୍ଦ୍ଧଶତକ ବଳରେ ୩୦୩/୯ରେ ଘୋଷଣା କରି ଶ୍ରୀଲଙ୍କା ସମ୍ମୁଖରେ ୪୪୭ ରନ୍‌ର ଅସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମ ପାଳିର ସଫଳତାକୁ ଜାରି ରଖି ଦ୍ବିତୀୟ ପାଳିରେ ଯଶସ୍ବୀ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ନିଜ ତୃତୀୟ ବଲ୍‌ରେ ଲାହିରୁ ଥିରିମାନେଙ୍କୁ ଆଉଟ୍ କରି ଭାରତ ପାଇଁ ବଡ଼ ବିଜୟ ଲାଗି ଦୃଢ଼ ମୂଳଦୁଆ ପକାଇଥିଲେ। ଏହି ମ୍ୟାଚ୍‌ର ଆଉ ପୂରା ତିନି ଦିନର ଖେଳ ବାକିଥିଲା ବେଳେ ସଂଘର୍ଷରତ ଶ୍ରୀଲଙ୍କା ରବିବାର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ବିନିମୟରେ ମାତ୍ର ୨୮ ରନ୍ କରି ପରାଜୟ ଟାଳିବାକୁ ଲଢ଼େଇ କରୁଛି। ହାତରେ ଆଉ ୯ ୱିକେଟ୍ ବାକିଥିଲା ବେଳେ ଏବେ ବି ବିଜୟଠାରୁ ୪୧୯ ରନ୍ ପଛରେ ରହିଛି ସିଂହଳୀ ଦଳ। ରବିବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ଦିମୁଥ କରୁଣାରତ୍ନେ ୧୦ ଏବଂ କୁଶଲ ମେଣ୍ଡିସ୍ ୧୬ ରନ୍ କରି ଅପରାଜିତ ରହିଛନ୍ତି। ବୋଲର ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନ ୧୬ ୱିକେଟ୍‌ର ପତନ ଘଟିଥିଲା ବେଳେ ଦ୍ବିତୀୟ ଦିନ ୧୫ ୱିକେଟ୍ ଝାଡ଼ିଛନ୍ତି ଦୁଇ ଦଳର ‌‌ବୋଲର।

ବୁମ୍‌ରାଙ୍କୁ ଭାରତରେ ପ୍ରଥମ ୫ ୱିକେଟ୍‌

ବେଙ୍ଗାଲୁରୁ: ନିଜ ଟେଷ୍ଟ ଜୀବନରେ ଅଷ୍ଟମ ଥର ପାଇଁ ଯଶପ୍ରୀତ୍ ବୁମ୍‌ରା ୫ ୱିକେଟ୍ ସଫଳତା ପାଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଭାରତ ମାଟିରେ ଏଭଳି କୃତିତ୍ବ ଅର୍ଜନ କରିଛନ୍ତି। ପୂର୍ବରୁ ବୁମ୍‌ରାଙ୍କ ସମସ୍ତ ୭ ପାଞ୍ଚ ୱିକେଟ୍ ବିଦେଶ ମାଟିରେ ଥିଲା। ଏହି ସଫଳତା ପଥରେ ମଧ୍ୟ ବୁମରା କିଂବଦନ୍ତି ବୋଲର କପିଳ ଦେବଙ୍କ ନାମରେ ଥିବା ଏକ ଦୀର୍ଘଦିନର କୃତିତ୍ବର ସମକକ୍ଷ ହୋଇଥିଲେ। ଉଭୟ ୨୯ ଟେଷ୍ଟରୁ ୮ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ବୁମ୍‌ରା ମଧ୍ୟ ଚତୁର୍ଥ ବୋଲର ତଥା ତୃତୀୟ ପେସର୍‌ ଭାବେ ଗୋଲାପୀ ବଲ୍‌ ଟେଷ୍ଟରେ ୫ ୱିକେଟ୍ ହାସଲ କରିଛନ୍ତି। ପୂର୍ବରୁ ଦିବାରାତ୍ର ଟେଷ୍ଟ୍‌ରେ ଉମେଶ ଯାଦବ, ଈଶାନ୍ତ ଶର୍ମା, ଅକ୍ଷର ପଟେଲ୍‌ (୨ ଥର) ଏଭଳି ସଫଳତା ପାଇଥିଲେ। ବୁମ୍‌ରାଙ୍କ ୫ ୱିକେଟ୍‌ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଶ୍ରେଷ୍ଠ ଭାରତୀୟ ବୋଲିଂ ଚିତ୍ର। ଜାହିର୍ ଖାନ୍ (୫/୭୨, ମୁମ୍ବାଇ, ୨୦୦୯), ଭେଙ୍କଟେଶ ପ୍ରସାଦ (୫/୭୨, କାଣ୍ଡି, ୨୦୦୧), ଈଶାନ୍ତ ଶର୍ମା (୫/୫୪, କଲମ୍ବୋ, ୨୦୧୫)ଙ୍କୁ ବୁମରା ପଛରେ ପକାଇ ଦେଇଥିଲେ। ଏହି ଅବସରରେ ବୁମ୍‌ରାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ସଫଳତାକୁ ମନେ ପକାଇଛନ୍ତି ପୂର୍ବତନ ୱିକେଟ୍‌ରକ୍ଷକ ପାର୍ଥିବ ପଟେଲ୍। ‘ସବୁ ପରିସ୍ଥିତି ଓ ପରିବେଶରେ ବୁମ୍‌ରା ଫଳପ୍ରଦ ବୋଲର ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ। ଚିନ୍ନାସ୍ବାମୀ ପିଚ୍‌ ବିଶେଷ ସୁଇଙ୍ଗ୍ ପ୍ରଦାନ କରୁନଥିଲେ ମଧ୍ୟ ବୁମ୍‌ରା ନିଜକୁ ପ୍ରମାଣିତ କରିଛନ୍ତି। ରଣଜୀ ଟ୍ରଫି ବେଳେ‌ ସେ ଟେଲ୍‌ଏଣ୍ଡରଙ୍କୁ ୟର୍କର ଫିଙ୍ଗନ୍ତି, କିନ୍ତୁ ଅନ୍ୟ ବ୍ୟାଟର୍‌ଙ୍କ ପାଇଁ ଭିନ୍ନ କୌଶଳ କରିଥା’ନ୍ତି’ ବୋଲି ପଟେଲ୍ ପ୍ରକାଶ କରିଥିଲେ।

ଆୟରଙ୍କ ନାମରେ ନୂଆ ଟେଷ୍ଟ ରେକର୍ଡ

ଗତବର୍ଷ ପଦାର୍ପଣରେ ଚମକ ଦେଖାଇଥିବା ଶ୍ରେୟସ ଆୟର ଏବେ ପ୍ରଥମ ଭାରତୀୟ ଭାବେ ଏକ ଦିବାରାତ୍ର ଟେଷ୍ଟର ଉଭୟ ପାଳିରେ ଅର୍ଦ୍ଧଶତକ (୯୨ ଓ ୬୭) ହାସଲ କରିବାର ଗୌରବ ବହନ କରିଛନ୍ତି। ଭାରତ ମାତ୍ର ଚତୁର୍ଥ ଦିବାରାତ୍ର ଟେଷ୍ଟ୍‌ ଖେଳୁଥିବା ବେଳେ ଏଭଳି କୃତିତ୍ବ କୌଣସି ଭାରତୀୟ କରିନଥିଲେ। ମୋଟ ଉପରେ କିନ୍ତୁ ଆୟର ଚତୁର୍ଥ ବ୍ୟାଟର୍‌। ଡାରେନ୍ ବ୍ରାଭୋ (୮୭ ଓ ୧୧୬ ବନାମ ପାକିସ୍ତାନ, ଦୁବାଇ, ୨୦୧୬) ଏବଂ ଷ୍ଟିଭ୍ ସ୍ମିଥ୍ (୧୩୦ ଓ ୬୩ ବନାମ ପାକିସ୍ତାନ, ବ୍ରିସବେନ୍‌, ୨୦୧୬) ଥରେ ଲେଖାଏଁ ଏବଂ ମାର୍ନସ୍ ଲାବୁସେନ୍‌ ଦୁଇ ଥର (୧୪୩ ଓ ୫୦ ବନାମ ନ୍ୟୁଜିଲାଣ୍ଡ୍‌, ପର୍ଥ, ୨୦୧୯ ଏବଂ ୧୦୩ ଓ ୫୧ ବନାମ ଇଂଲଣ୍ଡ, ଆଡିଲେଡ୍‌, ୨୦୨୧) ଏଭଳି କରିଥିଲେ। ପ୍ରଥମ ପାଳିରେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହା ମୋତେ ଶତକ ଭଳି ଅନୁଭବ ଦେଇଛି ବୋଲି ଶ୍ରେୟସ କହିଛନ୍ତି।

ସୋବର୍ସଙ୍କୁ ଟପିଲେ କୋହଲି

ଶ୍ରୀଲଙ୍କା ବିପକ୍ଷ ଗୋଲାପୀ ବଲ୍‌ ଟେଷ୍ଟ୍‌ର ଉଭୟ ପାଳିରେ ବିରାଟ କୋହଲି ବଡ଼ ସ୍କୋର୍‌ କରିବାକୁ ବଞ୍ଚିତ ରହିଥିଲେ। ଏହି ଟେଷ୍ଟ୍‌ରେ ତାଙ୍କଠାରୁ ବହୁ ପ୍ରତୀକ୍ଷିତ ଶତକଟିଏ ଦେଖିବାକୁ ପ୍ରଶଂସକମାନେ ଚାହିଁ ବସିଥିଲେ। ହେଲେ କୋହଲି ପ୍ରଥମ ପାଳିରେ ୨୩ ଏବଂ ଦ୍ବିତୀୟ ପାଳିରେ ୧୩ ରନ୍‌ କରିପାରିଥିଲେ। ପ୍ରଥମ ପାଳିରେ ୨୩ ରନ୍‌ ଅବସରରେ ସେ ପୂର୍ବତନ ଅଷ୍ଟ୍ରେଲୀୟ ଓପ୍‌ନର ମାର୍କ ୱ’ଙ୍କ ସର୍ବାଧିକ ଟେଷ୍ଟ୍‌ ରନ୍‌ ସଂଖ୍ୟାକୁ ଅତିକ୍ରମ କରିଯାଇଥିଲା ବେଳେ ରବିବାର ଦ୍ବିତୀୟ ପାଳିରେ ୧୩ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ମହାନ୍‌ ଖେଳାଳି ଗ୍ୟାରି ସୋବର୍ସଙ୍କୁ ମଧ୍ୟ ଟପି ଯାଇଛନ୍ତି। ସୋବର୍ସ ତାଙ୍କ ଟେଷ୍ଟ୍‌ କ୍ୟାରିୟରରେ ମୋଟ ୮୦୩୨ ରନ୍‌ କରିଥିଲା ବେଳେ କୋହଲିଙ୍କ ରନ୍‌ ସଂଖ୍ୟା ୮୦୪୩ରେ ପହଞ୍ଚିଯାଇଛି। ନିଜର ୧୦୧ତମ ଟେଷ୍ଟ୍‌ରେ କୋହଲି ଏହି ଦୁଇ ଖେଳାଳିଙ୍କୁ ପଛ‌ରେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର