ନୂଆଦିଲ୍ଲୀ: ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜକୁ ୪୦ ବର୍ଷର ହିସାବ ଦେଇଛି। ବର୍ଷା ବାଧିତ ତୃତୀୟ ତଥା ଶେଷ ଦିନିକିଆ ୬ ଓ୍ଵିକେଟ୍ରେ ବିଜୟ ଲାଭ କରିବା ସହିତ ଶୃଙ୍ଖଳାକୁ ୨-୦ରେ ଜିତିଛି। ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବା ବେଳେ ପୂର୍ବରୁ ଟି-୨୦ ଶୃଙ୍ଖଳାରେ ଭାରତ ବିଜୟୀ ହୋଇଥିଲା। ଏବେ ଭାରତର ଶେଷ ଟାର୍ଗେଟ ଟେଷ୍ଟ ଶୃଙ୍ଖଳା ହାତମୁଠାକୁ ଆଣିବା, ଯାହାକି ଅଗଷ୍ଟ ୨୨ରୁ ଆରମ୍ଭ ହେବ।
ଭାରତ ଓ ଆୟୋଜକ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ବୁଧବାର ଖେଳାଯାଇଥିଲା। ଏହି ମ୍ୟାଚର ଫଳାଫଳ ଯେତେବେଳେ ଆସିଥିଲା, ସେତେବେଳକୁ ଭାରତରେ ଅଗଷ୍ଟ ୧୫ ଆରମ୍ଭ ହୋଇଯାଇଥିଲା। ପୋର୍ଟ ଅଫ ସ୍ପେନ୍ର କ୍ୱିନସ୍ ପାର୍କ ଓଭାଲ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହି ମ୍ୟାଚ୍ ୬ ଓ୍ଵିକେଟ୍ରେ ଜିତିଛି।
ଭାରତ ଏହି ବିଜୟ ସହିତ ୱେଷ୍ଟଇଣ୍ଡିଜର ୪୦ ବର୍ଷର ପୁରୁଣା ରେକର୍ଡ ସମକକ୍ଷ ହୋଇପାରିଛି। ଉଭୟ ଦେଶ ମଧ୍ୟରେ ୪୦ ବର୍ଷ ପୂର୍ବରୁ ଅର୍ଥାତ ୧୯୭୯ରେ ଦିନିକିଆ କ୍ରିକେଟ୍ ଆରମ୍ଭ ହୋଇଥିଲା। ସେହି ସମୟରେ ୱେଷ୍ଟଇଣ୍ଡିଜ ତୁଳନାରେ ଭାରତ ଶକ୍ତିଶାଳୀ ନ ଥିଲା। ଏହି କାରଣରୁ ଭାରତକୁ ଶୃଙ୍ଖଳା ହାରିବାକୁ ପଡ଼ିଥିଲା।
୨୦୧୯ ଅଗଷ୍ଟ ୧୪ ପୂର୍ବରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୧୨୯ଟି ମୁକାବିଲା ହୋଇଥିଲା। ଏଥିରୁ ୱେଷ୍ଟଇଣ୍ଡିଜ ୬୨ଟି ଜିତିଥିବା ବେଳେ ଭାରତ ୬୧ଟି ମ୍ୟାଚରେ ବିଜୟୀ ହୋଇଥିଲା। ଭାରତ ୩ୟ ଦିନିକିଆ ଜିତିବା ପରେ ଏବେ ୱେଷ୍ଟଇଣ୍ଡିଜ ସମକକ୍ଷ ହୋଇପାରିଛି। ଉଭୟ ଟିମ୍ ମଧ୍ୟରେ ୨ଟି ମ୍ୟାଚ ଟାଇ ହୋଇଥିବା ବେଳେ ୪ଟି ମ୍ୟାଚ୍ର ଫଳାଫଳ ବାହାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/virat-kohli.jpg)