ବିଶ୍ବ ମୁଷ୍ଟିଯୁଦ୍ଧ ଆୟୋଜନ ଅଧିକାର ହରାଇଲା ଭାରତ, ବିଏଫ୍‌ଆଇକୁ ଏଆଇବିଏର ସମାଲୋଚନା

ଅତୀତର ଆୟୋଜନ ଫି’ ମଧ୍ୟ ଦେଇନଥିବା ଅଭିଯୋଗ

ନୂଆଦିଲ୍ଲୀ: ଆଗାମୀ ୨୦୨୧ରେ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତି‌ଯୋଗିତା ଆୟୋଜନ ପାଇଁ ଅଧିକାର ପାଇଥିଲା ଭାରତ। ଏହି ଅଧିକାର ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ) ୨୦୧୭ ମସିହାରେ ଭାରତକୁ ପ୍ରଦାନ କରିଥିଲା। ହେଲେ ଆୟୋଜନ ବାବଦ ଚୁକ୍ତି ମୁତାବକ ପାଉଣା ଦାଖଲ କରିନଥିବାରୁ ଭାରତ ଏହି ବିଶ୍ବ ପ୍ରତିଯୋଗିତା ଆୟୋଜନ ଅଧିକାର ହରାଇଛି। ପ୍ରଥମ ଥର ପାଇଁ ଏଭଳି ଏକ ପୁରୁଷ ବିଶ୍ବ ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଥିଲା ବେଳେ ଏଆଇବିଏ ବୁଧବାର ଦିନ ପାଉଣା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଭାରତ ହାତରୁ ଏହି ଅଧିକାର କାଢି ନେଇଛି। ଏଥି ସହିତ ୨୦୨୧ ବିଶ୍ବ ପ୍ରତିଯୋଗିତା ସର୍ବିଆକୁ ଅର୍ପଣ କରିଛି। ତେବେ ଏଆଇବିଏ ତରବରିଆ ଭାବେ ଆମଠୁ ଅଧିକାର ପ୍ରତ୍ୟାହାର କରିନେଇଛି ବୋଲି ଅଭିଯୋଗ ବାଢ଼ିଛି ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ (ବିଏଫ୍‌ଆଇ)। ବିଏଫ୍‌ଆଇର ଏଭଳି ଅଭିଯୋଗ ପରେ ଏଆଇବିଏ ତା’ ଉପରେ କ୍ଷୁବ୍‌ଧ ହୋଇଛି। ଏପରିକି ଆନ୍ତର୍ଜାତିକ ସଂଘ ମଧ୍ୟ ବିଏଫ୍‌ଆଇକୁ ତୀବ୍ର ସମାଲୋଚନା କରିଛି।

ଏଆଇବିଏର କହିବା କଥା ହେଲା, ଭାରତୀୟ ସଂଘ କେବଳ ଆଗାମୀ ୨୦୨୧ ଆୟୋଜନ ଫି କାହିଁକି ଅତୀତର ମଧ୍ୟ ଆୟୋଜନ ଫି ଏପର୍ଯ୍ୟନ୍ତ ପୂରା ଦାଖଲ କରିନି। ଏବେ ବି ଗତ ୨୦୧୮ ମହିଳା ବିଶ୍ବ ପ୍ରତିଯୋଗିତା ଆୟୋଜନ ବାବଦ ପାଉଣାର ଏକ ତୃତୀୟାଂଶ ମଧ୍ୟ ଭାରତୀୟ ସଂଘ ଦେଇନାହିଁ। ଏଭଳି ସ୍ଥିତିରେ କିପରି ଏହି ସଂଘ ପ୍ରତି ସମବେଦନା ଜ୍ଞାପନ କରାଯାଇପାରିବ ବୋଲି ଏଆଇବିଏ ଅଭିଯୋଗ ଆଣିଛି। ଅତିକମ୍‌ରେ ୨୦୧୮ ଆୟୋଜନ ଅଧିକାର ବାବଦ ଦୁଇ ତୃତୀୟାଂଶ ପାଉଣା ଏବେ ବି ବାକି ରହିଛି। ସେହି ମହିଳା ବିଶ୍ବ ପ୍ରତିଯୋଗିତା ଶେଷ ହେବାର ପ୍ରାୟ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ବିଏଫ୍‌ଆଇ ବକେୟା ପାଉଣା ଭରଣା କରୁନି। ଏନେଇ ଆମେ ବହୁ ଧୈର୍ଯ୍ୟ ଧରିବା ସହିତ କ୍ଷତି ମଧ୍ୟ ସହିଲୁଣି ବୋଲି ଏଆଇବିଏ କହିଛି। ପୁଣି ୨୦୨୧ ପୁରୁଷ ବିଶ୍ବକପ୍‌ ଆୟୋଜନ ସହର ଭାବେ ଫି’ ମଧ୍ୟ ଧାର୍ଯ୍ୟ ସମୟ ସୁଦ୍ଧା ଦାଖଲ କରିନି। ଏସବୁକୁ କୃଷ୍ଟିରେ ରଖି ଭାରତଠୁ ପୁରୁଷ ବିଶ୍ବକପ୍‌ ଆୟୋଜନ ଅଧିକାର ପ୍ରତ୍ୟାହାର କରିନେଲୁ ବୋଲି ଏଆଇବିଏ କ୍ଷୋଭର ସହ କହିଛି। ହେଲେ ବିଏଫ୍‌ଆଇ ପାଉଣା ପ୍ରଦାନରେ ବିଳମ୍ବ ପାଇଁ ଏଆଇବିଏକୁ ଦାୟୀ କରିଛି।

ସମ୍ବନ୍ଧିତ ଖବର