ନୂଆଦିଲ୍ଲୀ: ନିଷିଦ୍ଧ ଔଷଧ ସେବନ (ଆଣ୍ଟି ଡୋପିଂ) ନିୟମ ଉଲ୍ଲଙ୍ଘନରେ ଭାରତ ପ୍ରଥମ ଥର ପାଇଁ ଦ୍ବିତୀୟ ସ୍ଥାନରେ ରହିଛି। ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ପକ୍ଷରୁ ରବିବାର ୨୦୨୦ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରିଛି। ୫୯ ମାମଲାରେ ଭାରତ ନିୟମ ଉଲ୍ଲଙ୍ଘନ କରିଥିଲା ବେଳେ ରୁଷିଆ ସବୁଠୁ ଅଧିକ ୧୩୫ ଥର ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କରିଛି। ୨୦୧୩ ମସିହାରେ ୱାଡା ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ରିପୋର୍ଟ ପ୍ରକାଶ କରିବା ଦିନଠୁ ବିଶ୍ବରେ ଭାରତ ଶୀର୍ଷ ୭ ଦେଶ ମଧ୍ୟରେ ରହିଆସୁଛି। ୨୦୧୪, ୨୦୧୫ ଓ ୨୦୧୯ରେ ରେ ଭାରତ ତୃତୀୟରେ ଥିଲା ବେଳେ ୨୦୧୮ରେ ଚତୁର୍ଥରେ ରହିଥିଲା।
ୱାଡା ପକ୍ଷରୁ ପ୍ରତି ବର୍ଷ ଦୁଇଟି ଅଲଗା ରିପୋର୍ଟ ପ୍ରକାଶ କରାଯାଉଛି। ୨୦୨୧ର ପରୀକ୍ଷା ରିପୋର୍ଟକୁ ଚଳିତ ବର୍ଷ ଜାନୁଆରିରେ ପ୍ରକାଶ କରାଯାଇଥିଲା ବେଳେ ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ରିପୋର୍ଟ ଡିସେମ୍ବର ମାସବେଳକୁ ଆସିଯାଇଥାଏ। କିନ୍ତୁ ଏଥର ଏହି ରିପୋର୍ଟ ଆସିବାରେ ବିଳମ୍ବ ହୋଇଛି। ୨୦୨୨ ନଭେମ୍ବର ୧୦ ତାରିଖ ମଧ୍ୟରେ ଗ୍ରହଣ କରାଯାଇଥିବା ତଥ୍ୟକୁ ଆଧାର କରି ୱାଡା ପକ୍ଷରୁ ୨୦୨୦ ବର୍ଷ ପାଇଁ ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଭାରତରେ ୨୦୨୦ ମସିହାରେ ୬୫ ରକ୍ତ ନମୂନା ସହ ମୋଟ ୧୧୮୬ ନମୂନା ପରୀକ୍ଷା କରିଛି। ୨୦୨୦ରେ କୋଭିଡ୍ ମହାମାରୀ ଯୋଗୁଁ କମ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାଗୁଡ଼ିକ ମଧ୍ୟରୁ ୫୫ ନମୂନା (୪.୬%) ପଜିଟିଭ୍ ଆସିଥିଲା। ଏହି ସଂଖ୍ୟା କୌଣସି ଜାତୀୟ ଆଣ୍ଟି ଡୋପିଂ ସଂଗଠନ ଦ୍ବାରା ୧୦୦୦ କିମ୍ବା ଏହାଠୁ ଅଧିକ ନମୂନା ପରୀକ୍ଷାରୁ ଆସିଥିବା ରିପୋର୍ଟ ତୁଳନାରେ ସର୍ବାଧିକ ଥିଲା। ଏହି ୫୫ ନମୂନାକୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ସଂଖ୍ୟା ଭାବେ ପରିଗଣିତ ହୋଇଛି।
୨୦୨୦ ରିପୋର୍ଟ ଅନୁସାରେ, ଭାରତରେ ଭାରୋତ୍ତୋଳନ (୧୫), ଦୌଡ଼କୁଦ (୧୨) ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଆଗରେ ରହିଛନ୍ତି। ସେହିପରି ଅଣ ଅଲିମ୍ପିକ୍ସ କ୍ରୀଡ଼ା ମଧ୍ୟରେ ଶକ୍ତିଉତ୍ତୋଳନ (୭), କବାଡ଼ି (୭) ରେ ମଧ୍ୟ ଏହି ମମାଲା ରେକର୍ଡ କରାଯାଇଛି। କୁସ୍ତିରୁ ୬ ମାମଲା ଆସିଛି। ଭାରତର ମୋଟ ୫୯ ଉଲ୍ଲଙ୍ଘନ ମାମଲାରୁ ୪ଟି ଅଣ ବିଶ୍ଲେଷଣ ମାମଲା ରହିଛି। ସେଥିରୁ ତିନୋଟି ଦୌଡ଼କୁଦରୁ ଏବଂ ଗୋଟିଏ ଜୁଡୋରୁ ରେକର୍ଡ ହୋଇଛି।