ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ପାଖରେ ଅଧିକ ପ୍ରଭାବଶାଳୀ ଖେଳାଳି ଅଛନ୍ତି: ଗାଭାସ୍କର

ମୁମ୍ବାଇ: ନ୍ୟୁଜିଲାଣ୍ଡ ପାଖରେ ଏକ ଭଲ ଦଳ ଅଛି। ସେମାନେ ମଧ୍ୟ ଇଂଲଣ୍ଡକୁ ୧-୦ରେ ହରାଇ ବହୁତ ଭଲ ପ୍ରସ୍ତୁତି କରିଛନ୍ତି। ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ତା ମାଟିରେ ପରାସ୍ତ କରିଥିବାରୁ କିୱି ଖେଳାଳିଙ୍କ ମନୋବଳ ଯଥେଷ୍ଟ ଉଚ୍ଚରେ ଥିବ। ହେଲେ ଭାରତ ପାଖରେ ଏହି ଦଳ ତୁଳନାରେ ଅଧିକ ପ୍ରଭାବଶାଳୀ ଖେଳାଳି ଅଛନ୍ତି। ମ୍ୟାଚ୍‌ର ମୋଡ଼ ବଦଳାଇବାରେ ସେମାନେ ପୂରା ସିଦ୍ଧହସ୍ତ। ଯାହା ଆମେ ଅଷ୍ଟ୍ରେଲିଆରେ ଦେଖି ସାରିଛେ। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌କୁ ନେଇ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି।

ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ କେନ୍ ୱିଲିୟମସନ୍‌ଙ୍କ ଲଢ଼େଇ ସହ ଟ୍ରେଣ୍ଟ ବୋଲ୍ଟ-ରୋହିତ ଶର୍ମା, ନିଲ ୱାଗନର-ଚେତେଶ୍ବର ପୂଜାରା ଲଢ଼େଇ ମଧ୍ୟ ବେଶ୍ ରୋଚକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଗାଭାସ୍କର। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭଳି ଭାରତୀୟ ଚୂଡ଼ାନ୍ତ ଦଳରେ ରବିଚନ୍ଦ୍ରନ୍‌ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ରଖିବା ଉପରେ ଜୋର ଦେଇଛନ୍ତିି ସେ। ୱାଗନର ଜଣେ ଚତୁର ବୋଲର ହୋଇଥିବାରୁ ତାଙ୍କ ବଲ୍‌କୁ ଦେଖିଚାହିଁ ଖେଳିବାକୁ ଭାରତୀୟ ବ୍ୟାଟର୍‌ଙ୍କୁ ପରାମର୍ଶ ଦେଇଛନ୍ତି ଗାଭାସ୍କର। ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଥିବା ଡେଭନ୍ କନୱେଙ୍କ ବ୍ୟାଟିଂ ଦେଖି ନଥିଲେ ମଧ୍ୟ ସେ ଭାରତ ପାଇଁ ବିପଦ ସୃଷ୍ଟି କରି ପାରନ୍ତି ବୋଲି ମତଦେଇଛନ୍ତି ‌ସେ। ‘‘ମୁଁ ତାଙ୍କୁ ବ୍ୟାଟିଂ କରୁଥିବାର ଦେଖିନି। ହେଲେ ଟେଷ୍ଟ୍ କ୍ରିକେଟ୍‌ରେ ଯିଏ ଦ୍ବିଶତକ ଅର୍ଜନ କରିଛନ୍ତି ସେ ନିଶ୍ଚିତ ଭାବେ ଜଣେ ଚମତ୍କାର ଖେଳାଳି ହୋଇଥିବେ। ଭାରତ ବୋଲିଂର ବିବିଧତା ଇଂଲଣ୍ଡଠାରୁ ଭଲ ହୋଇଥିବାରୁ ସେ ଡବ୍ଲୁଟିସି ଫାଇନାଲ୍‌ରେ ନିଶ୍ଚିତ ପରୀକ୍ଷାରେ ପଡ଼ିବେ’’ ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର